ବୁଲା କୁକୁର, ଗୋରୁଙ୍କୁ ଦିଆଯିବ ଖାଦ୍ୟ : ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଦିଆଗଲା ୫୪ଲକ୍ଷ

୫୩ ପୌରାଞ୍ଚଳରେ ଅଛନ୍ତି ୧.୨୦ ଲକ୍ଷ ବୁଲା କୁକୁର

ଭୁବନେଶ୍ବର : ଲକ୍‌ ଡାଉନ୍ ପାଇଁ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ପ୍ୟକେଜ୍‌ ଘୋଷଣା କରିବା ପରେ ଏବେ ରାଜ୍ୟ ସରକାର ବୁଲା କୁକୁର/ଗୋରୁଙ୍କ ପାଇଁ ୫୪ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଦେଇଛନ୍ତି। ଲକ୍‌ ଡାଉନ୍ ପାଇଁ ଦୋକାନ ବଜାର, ହୋଟେଲ, ରେସ୍ତୋରାଁ, ହଷ୍ଟେଲ ଆଦି ବନ୍ଦ ହୋଇଯାଇଥିବାରୁ ସହରାଞ୍ଚଳରେ ବୁଲା ପଶୁମାନେ ଖାଇବାକୁ ନପାଇ ବହୁ ହଇରାଣ ହେଉଛନ୍ତି। ଏପରିକି ବହୁ କୁକୁର ପାଗଳା ହୋଇଗଲେଣି। ବୁଲା ପଶୁ ଖାଦ୍ୟ ଅଭାବରୁ ହିଂସ୍ର ହୋଇଯାଉଥିବାରୁ ସେମାନଙ୍କୁ ଯେପରି ପ୍ରତିଦିନ ଖାଇବାକୁ ଦିଆଯିବ ସେନେଇ ଏହି ଅର୍ଥ ବରାଦ ହୋଇଛି। ରାଜ୍ୟର ୫ଟି ମହାନଗର ନିଗମ ସମେତ ୪୮ଟି ପୌରାଞ୍ଚଳରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ପୌର ପ୍ରଶାସକ ସଂଗ୍ରାମଜିତ ନାୟକ ଆଜି ସମସ୍ତ ମହାନଗର ନିଗମ କମିସନର, ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି।

ରାଜ୍ୟର ୫ଟି ମହାନଗର ନିଗମ ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର‌ ସମେତ ୪୮ଟି ମ୍ୟୁନିସପାଲଟିରେ ଥିବା ପ୍ରାୟ ଏକ ଲକ୍ଷ ୨୦ହଜାର ବୁଲା କୁକୁର ଏ‌ବେ ଖାଇବାକୁ ପାଉନାହାନ୍ତି। ସେମାନଙ୍କୁ ତୁରନ୍ତ ଖାଇବାକୁ ଦେବାକୁ କୁହାଯାଇଛି। ୧୮ଦିନ ପାଇଁ ଏହି ବ୍ୟବସ୍ଥା କରିବାକୁ କୁହାଯାଇଛି। ଏଥିରେ ଭୁବନେଶ୍ବରରେ ଦିନକୁ ୨୦ହଜାର ଟଙ୍କା ହିସାବରେ ୩ଲକ୍ଷ ୬୦ହଜାର, ବାକି ୪ଟି ମହାନଗର ନିଗମରେ ଦିନକୁ ୧୦ହଜାର ଟଙ୍କା ହିସାବରେ ୭ଲକ୍ଷ ୨୦ହଜାର, ୪୮ଟି ମ୍ୟୁନିସପାଲଟିରେ ୫ହଜାର ଲେଖାଏଁ ହିସାବରେ ୪୩ଲକ୍ଷ ୨୦ହଜାର ଟଙ୍କା ଦେବାକୁ କୁହାଯାଇଛି।

ବୁଲା କୁକୁର/ ପଶୁଙ୍କୁ ଖାଇବାକୁ ଦେବାକୁ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ପୌରସଂସ୍ଥାର ୱାର୍ଡସ୍ତରୀୟ କର୍ମଚାରୀମାନଙ୍କ ମା‌ଧ୍ୟମରେ ଖାଦ୍ୟ ବାଣ୍ଟିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର