ଏମ୍-ଟେକ୍ ନାମଲେଖାରୁ ବଞ୍ଚିତ ଛାତ୍ରଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି, ନାମଲେଖା ସୁଯୋଗ ଦେବାକୁ ଓଜେଇଇ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ

‌କଟକ: ଏମ୍‌.ଟେକ୍ ବାୟୋଟେକନୋଲୋଜି ପାଠ୍ୟକ୍ରମରେ ନାମଲେଖାରୁ ବଞ୍ଚିତ ଛାତ୍ରଙ୍କ ନାମଲେଖା ପାଇଁ ପଦକ୍ଷେପ ନେବାକୁ ଓଜେଇଇକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)ରେ ସଫଳ ହୋଇଥିବା ଆବେଦନକାରୀ ଛାତ୍ରଙ୍କୁ ଭୁବନେଶ୍ବର ଘାଟିକିଆସ୍ଥିତ କଲେଜ ଅଫ୍ ଇଂଜନିୟରିଂ ଆଣ୍ଡ ଟେକନୋଲୋଜି (ସିଇଟି)ରେ ଏମ୍.ଟେକ୍ ବାୟୋଟେକନୋଲୋଜି ପାଠ୍ୟକ୍ରମରେ ୧୦ ଦିନ ଭିତରେ ନାମଲେଖା ବ୍ୟବସ୍ଥା କରିବାକୁ ହାଇକୋର୍ଟ ଓଜେଇଇ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ସଂଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାଗୃତିରଂଜନ ମିଶ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ଅଧୀନ ଗୁଣୁପୁରସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଆବେଦନକାରୀ ବେ-ଟେକ୍ ଶେଷ ବର୍ଷ ପାଠପଢା ଜାରି ରଖିଥିବା ବେଳେ ଏମ-ଟେକ୍‌ରେ ନାମଲେଖା ପାଇଁ ଓଜେଇଇ-୨୦୨୦ ଦେଇଥିଲେ। ଓଜେଇଇରେ ସଫଳତା ହାସଲ କରିଥିବା ଆବେଦନକାରୀ ୨୦୨୦ ନଭେମ୍ବର ୧୫ରେ ସିଇଟିରେ ଏମ୍.ଟେକ୍ ବାୟୋଟେକନୋଲୋଜି ପାଠ୍ୟକ୍ରମରେ ନାମଲେଖା ପାଇଁ ନିଜ ପସନ୍ଦ ସଂପର୍କିତ ବିକଳ୍ପ ନେଇ ରେଜିଷ୍ଟ୍ରେସନ୍ କରିଥିଲେ। ୨୦୨୦ ନଭେମ୍ବର ୨୨ରେ କାଉନସେଲିଂ ସମୟରେ ଓଜେଇଇ ପକ୍ଷରୁ ସିଟ୍ ଆବଣ୍ଟନ କରାଯାଇଥିଲା ଓ ଆବେଦନକାରୀଙ୍କୁ ପସନ୍ଦ ମୁତାବକ ଅନୁଷ୍ଠାନରେ ସିଟ୍ ମିଳିଥିଲା। ଆବେଦନକାରୀଙ୍କୁ ସମସ୍ତ ସାର୍ଟିଫିକେଟ୍, ଡକୁମେଣ୍ଟ ଓ ନାମଲେଖା ଫି ଦାଖଲ କରିବାକୁ କୁହାଯାଇଥିଲା। ୨୦୨୦ ନଭେମ୍ବର ୨୬ରେ ସ୍କିଲ ଡେଭଲପମେଣ୍ଟ ଆଣ୍ଡ ଟେକନିକାଲ ଏଜୁକେସନ୍ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇ ସମସ୍ତ ଅନୁଷ୍ଠାନରେ ନାମଲେଖା ପ୍ରକ୍ରିୟା ଡିସେମ୍ବର ୨୧ ଭିତରେ ଶେଷ କରିବାକୁ କୁହାଯାଇଥିଲା। ଫଳରେ ଆବେଦନକାରୀଙ୍କୁ ଆବଶ୍ୟକ ଫି ସହିତ ସାର୍ଟିଫିକେଟ ଡିସେମ୍ବର ୨୧ ଭିତରେ ଦାଖଲ କରିବାକୁ କୁହାଯାଇ ଥିଲା। କିନ୍ତୁ ଆବେଦନକାରୀଙ୍କ ବି-ଟେକ୍ ପରୀକ୍ଷାଫଳ ବିପିୟୁଟି ପକ୍ଷରୁ ୨୦୨୦, ଡିସେମ୍ବର ୨୯ରେ ପ୍ରକାଶ ପାଇଥିଲା ଓ ଅନ୍ ଲାଇନରେ ପାସ୍ ସାର୍ଟିଫିକେଟ ମିଳିଥିଲା। ଏହାପରେ ଆବେଦନକାରୀ ଚେ‌ଷ୍ଟା କରିଥିଲେ ମଧ୍ୟ ତାଙ୍କ ନାମଲେଖା ସଂପର୍କିତ ଫି ଓ ସାର୍ଟିଫିକେଟ ଅନ୍ ଲାଇନରେ ଦାଖଲ ହୋଇ ପାରି ନଥିଲା।

ଏଭଳି ସ୍ଥିତିରେ ଆବେଦନକାରୀ ସିଇଟିରେ ଏମ୍‌-ଟେକ୍ ପାଠ୍ୟକ୍ରମରେ ନାମଲେଖାରୁ ବଞ୍ଚିତ ହୋଇଥିଲେ। ଏହି ପ୍ରସଂଗ‌ ନେଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପ୍ରତିବର୍ଷ ବିପିୟୁଟି ବି-ଟେକ୍ ଶେଷ ସେମିଷ୍ଟର ପରୀକ୍ଷା ଏପ୍ରିଲ-ମେ’ ମାସରେ ହେଉଥିବା ବେଳେ ଚଳିତ ବର୍ଷ କୋଭିଡ-୧୯ ଯୋଗୁଁ ଡିସେମ୍ବର ୧୪ରେ ପରୀକ୍ଷା ଶେଷ ହୋଇଥିଲା। ଏଥିରେ ଆବେଦନକାରୀଙ୍କ କୌଣସି ଦୋଷ ନାହିଁ। ବିପିୟୁଟି ବି-ଟେକ୍ ପରୀକ୍ଷାଫଳ ପ୍ରକାଶ ତାରିଖକୁ ଦୃଷ୍ଟିରେ ରଖି ଏମ୍-ଟେକ୍ ନାମଲେଖା ପାଇଁ ସାର୍ଟିଫିକେଟ ଦାଖଲ ତାରିଖ ଧାର୍ଯ୍ୟ କରାଯିବା ଆବଶ୍ୟକ ଥିଲା। ସିଇଟିରେ ଏମ୍-ଟେକ୍ ବାୟୋଟେକନୋଲୋଜି ସିଟ ଖାଲି ଥିବା ବେଳେ ତାଙ୍କୁ ନାମଲେଖା ସୁଯୋଗ ଦିଆଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରଣଜିତ ସାମଲ ଓ ଶର୍ମିଷ୍ଠା ସାମଲ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର