ଭୁବନେଶ୍ୱର : ବାତ୍ୟା ଫନିର ତାଣ୍ଡବ ପରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ଉପକୂଳ ଓଡିଶା । ବାତ୍ୟା ପ୍ରଭାବିତ ଲୋକଙ୍କ ପାଇଁ ଗୋଟିଏ ପରେ ଗୋଟିଏ ସହାୟତାର ହାତ ମଧ୍ୟ ବଢୁଛି । କିନ୍ତୁ ସାମୁଦ୍ରିକ ଝଡ ଫନି ଯେଉଁ ଚିହ୍ନ ଛାଡିଦେଇ ଯାଇଛି, ତାହା କେବେ ଯେ, ଲିଭିବ ତାର ଆକଳନ କରିବା ମଧ୍ୟ ମୁସ୍କିଲ । ଆଉ ଏହାରି ଭିତରେ ପ୍ରଥମେ ଉତ୍ତରପ୍ରଦେଶ, ତାମିଲନାଡୁ, ଗୁଜୁରାଟ ଏବଂ ଛତିଶଗଡ ପରେ ଏବେ ଓଡିଶାକୁ ସହାୟତାର ହାତ ବଢାଇଛି ଆନ୍ଧ୍ରପ୍ରଦେଶ ।
ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓଡିଶା ସରକାରଙ୍କ ରିଲିଫ ପାଣ୍ଠିକୁ ୧୫ କୋଟି ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି । କେବଳ ଏତିକି ନୁହେଁ, ୧୫ କୋଟି ଟଙ୍କା ବାଦ, ଓଡିଶାକୁ ୯୨ଟି ପାଣି ଟ୍ୟାଙ୍କର, ବିଦ୍ୟୁତ ସରବରାହ ପାଇଁ ୧,୦୨୦ ଶ୍ରମିକ, ୧.୮୫ ଲକ୍ଷ ପାଣି ପ୍ୟାକେଟ୍, ୧.୫ ଲକ୍ଷ କ୍ଲୋରିନ୍ ବଟିକା ଏବଂ ୧୦୦୦ ଲିଟର ବିଶିଷ୍ଟ ୬୦୦ଟି ପାଣି ଟ୍ୟାଙ୍କ ମଧ୍ୟ ଓଡିଶାକୁ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି।