ଜଗତସିଂହପୁର : ବନ୍ୟା ମୁକାବିଲା ପାଇଁ ସବୁ ପ୍ରକାର ଆଗୁଆ ପ୍ରସ୍ତୁତି ଶେଷ ହୋଇଛି ବୋଲି ପ୍ରଶାସନ ଦାବି କରୁଥିବା ବେଳେ ଏବେ ଏହାର ଦୁର୍ବଳ ଚିତ୍ର ଧରା ପଡି ଯାଇଛି। ଗଲା ୫ ଦିନ ହେଲାଣି ପାଣି ଘେରରେ ଥିବା ବନ୍ୟା ପୀଡ଼ିତଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚି ପାରୁ ନଥିବା ବେଳେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରେ ଡଙ୍ଗା ଅଭାବରୁ ରିଲିଫ୍ ବଣ୍ଟା ଯାଇ ପାରୁ ନଥିବା ଜଣା ପଡିଛି।
ତଥ୍ୟ ଅନୁଯାୟୀ, ଜିଲ୍ଲାରେ ଅଗଷ୍ଟ ୧୫ ତାରିଖ ରାତିରୁ ଲୋକେ ପାଣି ଘେରରେ ଅଛନ୍ତି। ୧୬ ତାରିଖରେ କୁଜଙ୍ଗ ବ୍ଲକରେ ଘାଇ ହୋଇଥିଲା। ଏହାର ପର ଦିନ ବି ଦୁଇଟି ଘାଇ ହେଲା। ସେପଟେ ତିର୍ତ୍ତୋଲ, ଜଗତସିଂହପୁର, ବାଲିକୁଦା ଓ ଏରସମା ବ୍ଲକରେ ଆଳିପିଙ୍ଗଳ ଓ ଅନ୍ୟାନ୍ୟ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିଲା। ବନ୍ୟା ଯୋଗୁଁ ୩୯ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୬୨୦ଟି ଗାଁର ଗ୍ରାମବାସୀ ଜଳବନ୍ଦି ହୋଇଥିଲେ। କିନ୍ତୁ ରିଲିଫ୍ ବାଣ୍ଟିବା ବେଳକୁ ପାଖରେ ଡଙ୍ଗା ନଥିଲା। କୁଜଙ୍ଗ ବ୍ଲକ ପାଇଁ ୩୦ଟି ଡଙ୍ଗା ଆବଶ୍ୟକ ଥିବା ବେଳେ ପ୍ରଶାସନ ନିକଟରେ ମହଜୁଦ୍ ଥିଲା ମାତ୍ର ୧୯ଟି। ଗାଁ ଦାଣ୍ଡରେ ପାଣିରେ ଯିବାକୁ ଆବଶ୍ୟକ ଛୋଟ ଛୋଟ ହୁଲି ଡଙ୍ଗି ନଥିଲା। ପୂର୍ବ ବନ୍ୟା ସମୟର ଟଙ୍କା ପ୍ରଶାସନ ଡଙ୍ଗା ମାଲିକମାନଙ୍କୁ ଏ ପର୍ଯ୍ୟନ୍ତ ଦେଇ ନଥିବାରୁ ସେମାନେ ଏଥର ଲୁଚିଲେ। ଏଭଳି ସ୍ଥିତିରେ ପ୍ରଶାସନିକ ଅଧିକାରୀମାନେ ହାତ ବାନ୍ଧି ବସିଥିବା ବେଳେ ପାଣି ଟିକେ ଖସିବା ପରେ ଗତକାଲି ଠାରୁ ରିଲିଫ୍ ସାମଗ୍ରୀ ଧରି ପ୍ରଭାବିତଙ୍କ ପାଖରେ ପହଞ୍ଚିବାକୁ ପଦକ୍ଷେପ ନେଇଛନ୍ତି। ଏହାକୁ ନେଇ ପୀଡ଼ିତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଅନ୍ୟପଟେ ଦୁର୍ବଳ ନଦୀ ବନ୍ଧ ମରାମତି ଦିଗରେ ମହାନଦୀ ସାଉଥ୍ ଡିଭିଜନ ଓ ଜଳସେଚନ ବିଭାଗ ଚଳିତ ବର୍ଷ କୌଣସି ପଦକ୍ଷେପ ନେଇ ନଥିବାରୁ ପାଇକା ନଈରେ ଦୁଇ ଦୁଇଟି ଘାଇ ହେଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।