ରିଲିଫ୍‌ ଟ୍ରକ୍‌ ଲୁଟିଲେ

ପୁରୀ : ବାତ୍ୟା ପରେ ରିଲିଫ୍‌ ପାଇଁ ସବୁଠି ହୋହଲ୍ଲା, ପାଟିତୁଣ୍ଡ। ‌େଲାକେ କେଉଁଠି ରିଲିଫ୍‌ ନପାଇ ରାସ୍ତାକୁ ଓହ୍ଲାଇ ପଡ଼ିଲେଣି ତ ଆଉ‌ କେଉଁଠି ରିଲିଫ୍‌ ଗାଡ଼ିରୁ ଜିନିଷ ଭିଡ଼ି ନେଲେଣି। ରିଲିଫ୍‌ ନେବା ପାଇଁ ଘଣ୍ଟା ଘଣ୍ଟା ଖରାରେ ଧାଡ଼ି ବାନ୍ଧି ଛିଡ଼ା ହେବାକୁ ପଡ଼ୁଛି। ଭାରି କଲବଲ ହେଉଛନ୍ତି ପ୍ରଭାବିତ ଲୋକେ। ସେପଟେ ରିଲିଫ୍‌ ନ ପାଇ ଲୋକେ ତାତିଲେଣି। ଏମିତି ସ୍ଥିତି ଆଜି ପୁରୀ ସହର ଓ ସଦର ଅଞ୍ଚଳରେ ଦେଖାଯାଇଛି।

ବାତ୍ୟା ପରେ ରିଲିଫ୍‌ ବଣ୍ଟନ ହୋଇଛି ବର୍ତ୍ତମାନ ସବୁଠୁ ବଡ଼ ସମସ୍ୟା। ଗାଁ ଗାଁରେ ରିଲିଫ୍‌ ପହଞ୍ଚି ପାରିନାହିଁ। ସାହିବସ୍ତିରେ ବି। ଖାଦ୍ୟ, ପିଇବା ପାଣି ଏବଂ ବିନା ବିଜୁଳିରେ ଲୋକେ ପେଷି ହୋଇଗଲେଣି। ତେଣୁ ବିଭିନ୍ନ ସ୍ଥାନରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଗତକାଲି ବିଭିନ୍ନ ସ୍ଥାନରେ ରାସ୍ତାରୋକ ହୋଇଥିଲା। ଆଜି ବଳିଆପଣ୍ଡା ବସ୍ତିରେ ରିଲିଫ୍‌ ପାଇଁ ଲୋକେ ଦିନ ୧୧ଟାରୁ ୨ଟା ପର୍ଯ୍ୟନ୍ତ ଧାଡ଼ି ବାନ୍ଧି ଛିଡ଼ା ହୋଇଥିଲେ। ସବୁଠି ରିଲିଫ୍‌ ବଣ୍ଟନ ପ୍ରକ୍ରିୟାକୁ ପୁଲିସ ଲାଠି ଧରି ଜଗି ରହିଥିଲା। ତେବେ ଅପରାହ୍ନରେ ହରେକୃଷ୍ଣପୁର ଛକ ନିକଟରେ ରିଲିଫ୍‌ ବଣ୍ଟନ ବେଳେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ଟ୍ରକ୍‌ରେ ସ୍ବେଚ୍ଛାସେବୀମାନେ ରିଲିଫ୍‌ ସାମଗ୍ରୀ ରଖି ଜଣ ଜଣ କରି ବାଣ୍ଟୁଥିଲେ। ହେଲେ ଲୋକେ ଅସମ୍ଭାଳ ହୋଇ ମାତ୍ର ୧୦/୧୨ ମିନିଟ୍‌ ପରେ ଟ୍ରକର ଚାରିପଟୁ ଉଠି ମନଇଚ୍ଛା ହାତରେ ଧରି ଲୁଟି ନେଇଥିଲେ ରିଲିଫ୍‌ ସାମଗ୍ରୀ। ସ୍ବେଚ୍ଛାସେବୀ ଓ ପୁଲିସ କେବଳ ଜଳଜଳ ହୋଇ ଚାହିଁବା ଛଡ଼ା ଅନ୍ୟ ଉପାୟ କିଛି ନଥିଲା।

ସମ୍ବନ୍ଧିତ ଖବର