ସବୁବେଳେ ଧର୍ମର ଜୟ ହୁଏ: ରାଜ୍ୟପାଳ

ବୀରମହାରାଜପୁର ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରସ୍ଥିତ ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ ପରିସରରେ ହେଉଥିବା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବର ଦ୍ବିତୀୟ ଦିନରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧନୁଯାତ୍ରା ଅବସରରେ ସାଂସ୍କୃତିକ ବାର୍ତ୍ତା ଦେଇଥିଲେ। ଯୁଗେ ଯୁଗେ ହିଂସା ଓ ଆତଙ୍କରାଜର ସ୍ଥାନ ନାହିଁ। ଏହାକୁ ବିନାଶ କରି ଶାନ୍ତି ସ୍ଥାପନ ଧନୁଯାତ୍ରା ସଂଦେଶ ଦେଉଛି ବୋଲି ସେ କହିଥିଲେ। ଧନୁଯାତ୍ର କମିଟି ସଭାପତି ସତ୍ୟଞ୍ଜୀବ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ବିଶିଷ୍ଟ ଅତିଥି ଭାବେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗଦେଇ ବୀରମହାରାଜପୁର ଅଞ୍ଚଳ ହେଉଛି କଳା ଓ ସଂସ୍କୃତିର ମାଟି, ସଂଗ୍ରାମୀର ମାଟି, ଅଞ୍ଚଳର ବିକାଶ ପାଇଁ ଦଳମତ ନିର୍ବିଶେଷରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି କହିଥିଲେ।

ବ୍ଲକ୍‌ ଉପାଧ୍ୟକ୍ଷ ତଥା ଧନୁଯାତ୍ରା କମିଟିର କାର୍ଯ୍ୟକାରୀ ସଭାପତି ନାରାୟଣ ଲୁହା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ପାରାୟଣ ଗାୟକ ଅସିତ ଷଡ଼ଙ୍ଗୀ, ପରିବେଶବିତ ଋଷିନାଥ ମହାକୁର, ସପ୍ତଦୀପା ସାହିତ୍ୟ ସଂସଦ ସଭାପତି ଦ୍ବିତୀକୃଷ୍ଣ ପଣ୍ଡା ଓ ବାନ୍ଧକଳା ଶିଳ୍ପୀ ତ୍ରିପୁରାରୀ ମେହେରଙ୍କୁ ମୁଖ୍ୟ ଅତିଥି ପ୍ରଫେସର ଗଣେଶୀଲାଲ ସମ୍ବର୍ଦ୍ଧିତ କରିଥିଲେ। ଯୁଗଳ କିଶୋର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସାଂସ୍କୃତିକ ସଭା ପରେ ମୁକ୍ତାକାଶ ରଙ୍ଗମଞ୍ଚରେ ନାଟ୍ୟାଭିନୟ କ୍ରମରେ କୃଷ୍ଣ ବଳରମଙ୍କ ଜନ୍ମ, କୃଷ୍ଣଙ୍କୁ ନେଇ ବସୁଦେବଙ୍କ ଗୋପପୁର ଗମନ ଆଦି ପରିବେଷଣ କରାଯାଇଥିଲା। ଗୋପାଳ ସାହୁ କଂସ ଭୂମିକାରେ ଅଭିନୟ କରୁଛନ୍ତି। ତାଙ୍କର ସଂଳାପ ଓ ଅଭିନୟ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖୁଛି। ରଙ୍ଗସଭାରେ ସମ୍ବଲପୁରୀ ନୃତ୍ୟ ସହିତ ଆଧୁନିକ ନୃତ୍ୟ ପରିବେଷଣ କରାଯାଇଥିଲା। ମଞ୍ଚରୁ ଓହ୍ଲାଇବା ପରେ ରାଜ୍ୟପାଳ ଛାତ୍ରଛାତ୍ରୀ, ଯୁବକ, ମହିଳା ଓ ବରିଷ୍ଠ ନାଗରିକମାନଙ୍କ ସହିତ ହାତମିଳାଇ କିଛି ସମୟ କଥାବାର୍ତ୍ତା ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ, ଏସ୍‌ପି ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଉପଜିଲ୍ଲାପାଳ ଅଶୋକ ଭୋଇ, ଏସ୍‌ଡିପିଓ ଡୋଳାମଣି ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ତଦାରଖ କରିଥିଲେ।

ସମ୍ବନ୍ଧିତ ଖବର