ଭୁବନେଶ୍ୱର : ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସିଧାସଳଖ ନିଷ୍ପତ୍ତି ନ ନେଇ ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ମଗାଇଛନ୍ତି। ଜିଲ୍ଲାପାଳମାନେ ମନ୍ଦିର ସହିତ ଜଡ଼ିତ ବିଭିନ୍ନ ପକ୍ଷ ସହ ଆଲୋଚନା କରି ରିପୋର୍ଟ ଦେବେ। ସେହି ରିପୋର୍ଟ ଭିତ୍ତିରେ ସରକାର ନିଷ୍ପତ୍ତି ନେବେ। ପୁରୀ ଶ୍ରୀମନ୍ଦିର ସମେତ ଦେବୋତ୍ତର ବିଭାଗ ଅଧୀନରେ ଥିବା ମନ୍ଦିରଗୁଡ଼ିକ ମଧ୍ୟ ଏ ସମ୍ପର୍କିତ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ କୁହାଯାଇଛି। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ବିଟ୍‌ ଯୋଗେ ସବୁ ଜିଲ୍ଲାପାଳ ଓ ମନ୍ଦିର ପ୍ରଶାସନକୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳମାନେ ସମସ୍ତ ପ୍ରକାର ପ୍ରକାର ଆଲୋଚନା କରି ୧୦ ଦିନ ଭିତରେ ସରକାରଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି। କରୋନା ନିୟମ ପାଳନ କରି କିପରି ମନ୍ଦିର ଖୋଲାଯାଇପାରିବ, ସେ ସମ୍ପର୍କରେ ଏହି ‌ରିପୋର୍ଟରେ ଉଲ୍ଲେଖ ରହିବ।

Advertisment

ଗତ ଅଗଷ୍ଟ ମାସରୁ ଦେଶର ବିଭିନ୍ନ ସ୍ଥାନରେ ଧର୍ମାନୁଷ୍ଠାନଗୁଡ଼ିକ ଖୋଲା ସରିଲାଣି। କିନ୍ତୁ ଓଡ଼ିଶାରେ ଖୋଲି ନାହିଁ। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଧର୍ମାନୁଷ୍ଠାନ ଖୋଲିବା ପାଇଁ ସେବାୟତ ଓ ପୂଜକମାନେ ଦାବି ଜୋର୍‌ଦାର୍ କରୁଛନ୍ତି। ଏ ନେଇ ହାଇକୋର୍ଟରେ ମାମଲା ହୋଇଥିଲେ ମଧ୍ୟ କେ‌ାଭିଡ୍‌ ଗାଇଡ୍‌ଲାଇନ୍ ଆଧାରରେ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ସରକାରଙ୍କ ଉପରେ ହାଇକୋର୍ଟ ଛାଡ଼ିଥିଲେ। ଗତ ଅଗଷ୍ଟ ୧୦ ତାରିଖରେ ଧର୍ମାନୁଷ୍ଠାନ ଖୋଲିବା ନେଇ ଖୁବ୍ ଶୀଘ୍ର ସରକାର ନିଷ୍ପତ୍ତି ନେବେ ବୋଲି ଆଇନ୍‌ ମନ୍ତ୍ରୀ କହିଥିଲେ। କିନ୍ତୁ ଦୁଇ ମାସ ବିତିଯାଇଥିଲେ ବି ସରକାର ନିଷ୍ପତ୍ତି ନେଇ ପାରି ନାହାନ୍ତି। ଗତ ୨୮ ତାରିଖରେ ଏକ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ କରୋନା କଟକଣା ଭିତରେ ଧର୍ମାନୁଷ୍ଠାନ ଖୋଲିବା ସମ୍ଭବ ନୁହେଁ ବୋଲି ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ଧର୍ମାନୁଷ୍ଠାନ ଖୋଲିଲେ ସଂକ୍ରମଣ ବଢ଼ିବ ବୋଲି ସରକାର ଜଣାଇଥିଲେ। କିନ୍ତୁ ଏହାର ୧୦ ଦିନ ପରେ ସରକାର ଧର୍ମାନୁଷ୍ଠାନ ଖୋଲିବା ନେଇ ପୁଣି ପ୍ରକ୍ରିୟା ଆରମ୍ଭ କରିବା ଆଲୋଚନାର ବିଷୟ ହୋଇଛି।