ଧର୍ମାନୁଷ୍ଠାନ ଖୋଲିବା କଟକଣା ମାମଲା : ରାଜ୍ୟ ସରକାର, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଜବାବ ତଲବ

କଟକ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହିତ ରାଜ୍ୟର ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ଖୋଲାଯିବା ପ୍ରସଂଗରେ ଆଜି ହାଇକୋର୍ଟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ଜବାବ ତଲବ କରିଛନ୍ତି।

ଆଜି ମାମଲାର ଶୁଣାଣି ସମୟରେ ଦର୍ଶାଯାଇଥିଲା ଯେ ଧର୍ମନୁଷ୍ଠାନ ଖୋଲିବା ସଂପର୍କିତ ମାମଲାରେ ହାଇକୋର୍ଟ ଗତ ଅଗଷ୍ଟ ୧୦ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଏ ପର୍ଯ୍ୟନ୍ତ ପାଳନ କରାଯାଇନାହିଁ। ଏହାବ୍ୟତୀତ ଅଗଷ୍ଟ ୩୧ରେ ରାଜ୍ୟ ସରକାର ଧର୍ମାନୁଷ୍ଠାନରେ ସାଧାରଣଙ୍କ ଲୋକଙ୍କ ପ୍ରବେଶ ଉପରେ ଜାରି କରିଥିବା କଟକଣା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଏହାକୁ ରଦ୍ଦ କରାଯିବା ଆବଶ୍ୟକ।

କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ପ୍ରତିଦିନ ରାଜ୍ୟରେ ୩ ହଜାରରୁ ଅଧିକ କରୋନା ସଂକ୍ରମିତ ଏବେ ଚିହ୍ନଟ ହେଉଛନ୍ତି। ଏଥିସହିତ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମଧ୍ୟ କେତେକ ସେବକ କରେନା ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି। ତେଣୁ ଧର୍ମାନୁଷ୍ଠାନ ଖୋଲିବା ଉପରେ ଅଙ୍କୁଶ ରହିଛି। ହାଇକୋର୍ଟ ଉଭୟ ପକ୍ଷଙ୍କ ମତ ନେବା ପରେ ଅଗଷ୍ଟ ୧୦ର ନିର୍ଦ୍ଦେଶ ପାଳନ ପ୍ରସଂଗରେ ଜବାବରେ ସ୍ପଷ୍ଟ କରିବାକୁ ସରକାରଙ୍କୁ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୮କୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଜୟନ୍ତ କୁମାର ବଳଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିସନର, ଆଇନ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀ ଜିଲ୍ଲାପାଳ, ଏସପି, ଦେବୋତ୍ତର କମିସନର, ପୁଲିସ ଡିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର