କଟକରେ ଧର୍ମାନୁଷ୍ଠାନ ବନ୍ଦ ନିଷ୍ପତ୍ତି, ଘଟଗାଁ ତାରିଣୀ ମନ୍ଦିରରେ ସପ୍ତାହରେ ୩ ଦିିନ ଭକ୍ତଙ୍କ ଦର୍ଶନ ବନ୍ଦ

ଭୁବନେଶ୍ବର/କଟକ/କେନ୍ଦୁଝର: ଏପ୍ରିଲ ୨୨ ତାରିଖ ଠାରୁ କଟକ ସହରରେ ଥିବା ସବୁ ଧର୍ମାନୁଷ୍ଠାନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରଖାଯିବ। କଟକ ମହାନଗର ନିଗମ (ସିଏମ୍‌ସି) କମିସନର ଅନନ୍ୟା ଦାସ ଏହି ସୂଚନା ଦେଇଛନ୍ତି। କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ସିଏମ୍‌ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ଫଳରେ ଅଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ ଠାକୁରଙ୍କ ନୀତିକାନ୍ତି ହେବ।

କେନ୍ଦୁଝର ଜିଲ୍ଲା ଘଟଗାଁସ୍ଥିତ ତାରିଣୀ ମନ୍ଦିରରେ ଏଣିକି ସପ୍ତାହର ୩ ଦିନ ଭକ୍ତମାନେ ପ୍ରବେଶ କରିପାରିବେ ନାହିଁ। ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁସାରେ ଏଣିକି ପ୍ରତି ଶନିବାର, ରବିବାର ଓ ମଙ୍ଗଳବାର ତାରିଣୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ଓଡିଶା ବାହାର ଭକ୍ତ ଦର୍ଶନ ଉଦ୍ଦେଶ୍ୟରେ ଆସିଲେ ସାଥିରେ ଗତ ୭୨ ଘଣ୍ଟା ଅବଧିର ଆରଟିପିସିଆର କୋଭିଡ ନେଗେଟିଭ ରିପୋର୍ଟ ପ୍ରମାଣପତ୍ର ନେଇଆସିବା ଜରୁରୀ।ଭକ୍ତମାନେ ସାଥିରେ ନିଜ ପ୍ରମାଣପତ୍ର-ଆଧାର ବା ଭୋଟର ଆଇଡ଼ି ନେଇଆସିବା ଜରୁରୀ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ।

ଆସନ୍ତାକାଲି ଠାରୁ ଭୁବନେଶ୍ୱରରେ ବନ୍ଦ ରହିବ ଧର୍ମାନୁଷ୍ଠାନ। ସମସ୍ତ ଧାର୍ମିକ ଅନୁଷ୍ଠାନ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ବନ୍ଦ ରହିବ। କେବଳ ସେବାୟତଙ୍କ ଦ୍ୱାରା ନୀତିକାନ୍ତି କରାଯିବ। ଏହି ସମୟରେ ଭୁବନେଶ୍ବର ମହାନଗର ନିଗମରେ ଥିବା ସବୁ ମନ୍ଦିର, ମସଜିଦ୍, ଗୀର୍ଜାରେ ଭକ୍ତମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏହି ସମୟରେ ପୂଜକମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବି ବଜାୟ ରଖିବେ।ଭୁବନେଶ୍ୱରରେ ବି ସଂକ୍ରମିତଙ୍କ ସଂଖ୍ୟା ବି ଖୁବ୍ ଅଧିକ ରହୁଛି । ତେଣୁ ବିଏମସି ପକ୍ଷରୁ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ଉପରେ ନଜର ରଖାଯାଇଛି। ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ଧାର୍ମିକ ଅନୁଷ୍ଠାନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବିଏମସି କମିସନର ପ୍ରେମଚନ୍ଦ ଚୌଧୁରୀ।

ସମ୍ବନ୍ଧିତ ଖବର