ଜୁନ୍‌ ୩୦ ଯାଏ ରାଜ୍ୟରେ ଖୋଲିବନି ଧର୍ମାନୁଷ୍ଠାନ

ଭୁବନେଶ୍ବର : ସାମାଜିକ ଦୂରତା ରକ୍ଷା କରି ୮ ତାରିଖଠାରୁ ସାରା ଦେଶରେ ଏଏସ୍‌ଆଇ ମାନ୍ୟତା ପ୍ରାପ୍ତ ୮୨୦ଟି ମନ୍ଦିର ଓ ଉପାସନା ପୀଠ ଖୋଲିବା ନେଇ କେନ୍ଦ୍ର ସରକାର ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ ଓଡ଼ିଶାରେ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର ସମେତ ୪୬ଟି ଉପାସନା ପୀଠ ଓ ମନ୍ଦିର ଖୋଲି ପାରିଥାନ୍ତା। କିନ୍ତୁ କେନ୍ଦ୍ର ସରକାର ଖୋଲିବା ଅନୁମତି ଦେଇଥିଲେ ବି ରାଜ୍ୟ ସରକାର ପୂର୍ବ ଘୋଷଣା ମୁତାବକ ମନ୍ଦିର ଓ ଉପାସନା ପୀଠ ଚଳିତମାସ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିବା ସ୍ବତନ୍ତ୍ର ରିଲିଫ କମିସନର ଜଣାଇଛନ୍ତି।

DNA India

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ରାଜ୍ୟରେ ଥିବା ସମସ୍ତ ଧାର୍ମିକ ସ୍ଥଳ, ଉପାସନା ପୀଠ ସମେତ ସପିଂ ମଲ୍‌ ଚଳିତମାସ ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ସମୟ ଭିତରେ ହୋଟେଲ୍‌ ଓ ରେସ୍ତରାଁଗୁଡ଼ିକ ପାଇଁ କଟକଣା କୋହଳ କରାଯାଇଛି। ହୋଟେଲ୍‌ଗୁଡ଼ିକ କେବଳ ଲୋକମାନଙ୍କୁ ଖାଦ୍ୟ ପାର୍ସଲ୍‌ ଓ ହୋମ୍‌ ଡେଲିଭରି ପାଇଁ ଜମାଟୋ ଓ ସ୍ବିଗି ଭଳି ସଂସ୍ଥାକୁ ଅନୁମତି ପ୍ରଦାନ କରାଯାଇଛି। ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର