‘ମହାପ୍ରଭୁଙ୍କ ଶରଣରେ ଶେଷ ପର୍ଯ୍ୟନ୍ତ ରହିବି’

ଯେଉଁ କମ୍ପାନି ଶ୍ରୀମନ୍ଦିର କାମ କରିଛି, ସେହି ସଂସ୍ଥା ସଂସଦର ନିର୍ମାଣ ଦାୟିତ୍ବ ବି ନେଇଛି

ଏବେ ରାଜ୍ୟ ରାଜନୀତିରେ ସବୁଠୁ ଚର୍ଚ୍ଚିତ ବ୍ୟକ୍ତିତ୍ବ ଭାବେ ଉଭା ହୋଇଛନ୍ତି ଭି. କେ. ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ ସହିତ ସଭାମଞ୍ଚରେ ହେଉ କିମ୍ବା ନିଜେ ବିଜେଡି ପାଇଁ ପ୍ରଚାରର ମଙ୍ଗ ଧରିବା ହେଉ, ଏଥିପାଇଁ କେବଳ ସେ ରାଜନୈତିକ କେନ୍ଦ୍ରବିନ୍ଦୁ ପାଲଟି ନାହାନ୍ତି। ବରଂ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ବିଜେପିର ରାଜ୍ୟ ତଥା ଜାତୀୟ ସ୍ତରର ତୁଙ୍ଗନେତାଙ୍କୁ ସିଧାସଳଖ ଆକ୍ରମଣ ଘଟଣା ତାଙ୍କୁ ଚର୍ଚ୍ଚିତ କରିଦେଇଛି। ଏବେ ତାଙ୍କୁ ନେଇ ରାଜ୍ୟବାସୀଙ୍କ ମନରେ ଅନେକ ପ୍ରଶ୍ନ। ନିର୍ବାଚନରେ ତାଙ୍କର ଭୂମିକା ରାଜ୍ୟ ଦେଖିଲା। ଆଗକୁ ଦଳ ଓ ସରକାରର ସେ ନେତୃତ୍ବ ନେବେ ନା ନାହିଁ, ବିଜେଡି ସରକାର ଗଠନ ନ କଲେ ସେ ଓଡ଼ିଶାରେ ରହିବେ ନା ନିଜ ରାଜ୍ୟ ତାମିଲନାଡ଼ୁକୁ ଚାଲିଯିବେ? ସର୍ବୋପରି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମଧ୍ୟରେ ଗଢ଼ିଉଠିଥିବା ସମ୍ପର୍କ ପଛର ରହସ୍ୟଟି କ’ଣ?
‘ସମ୍ବାଦ’ ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାରରେ ଏ ସମ୍ପର୍କରେ ଶ୍ରୀ ପାଣ୍ଡିଆନ ଅନେକ କଥା ସାମ୍‌ନାକୁ ଆଣିଛନ୍ତି।

 ସରକାରରେ ୫-ଟି ମାଧ୍ୟମରେ ବିଭିନ୍ନ ବିଭାଗରେ ରୂପାନ୍ତର କରୁକରୁ ଭି. କାର୍ତ୍ତିକ ପାଣ୍ଡିଆନଙ୍କର ବି ରୂପାନ୍ତର ହୋଇଗଲା। ସେ ଏବେ ଜଣେ ଚର୍ଚ୍ଚିତ ରାଜନେତା। ଏ ରୂପାନ୍ତର ଆକସ୍ମିକ ନା ଦୀର୍ଘଦିନର ଯୋଜନା?
-ଦେଖନ୍ତୁ, ପଞ୍ଚମଥର କ୍ଷମତାକୁ ଆସିବାପରେ ମୁଖ୍ୟମନ୍ତ୍ରୀଙ୍କ ମନରେ ଆସିଲା ଯେ ଓଡ଼ିଶାବାସୀ ମୋତେ ଏତେ ଭଲ ପାଉଛନ୍ତି। ମୁଁ ଏମିତି କିଛି କାମ କରିବି, ଯେଉଁଥିରେ ସେମାନେ ଖୁସି ଅନୁଭବ କରିବେ। ସରକାର ଯେଉଁ ବେଗରେ କାମ କରୁଛନ୍ତି, ତାହାକୁ ତ୍ବରାନ୍ବିତ କରିବାକୁ ପଡ଼ିବ। ଏଣୁ ସ୍ବାସ୍ଥ୍ୟ, ଶିକ୍ଷା, ବ୍ୟାଙ୍କିଙ୍ଗ୍‌ ଆଦି ପ୍ରତିଟି କ୍ଷେତ୍ରରେ ତୁରନ୍ତ ପରିବର୍ତ୍ତନ ଆଣିବାକୁ ଚାହିଁଲେ ମୁଖ୍ୟମନ୍ତ୍ରୀ। ସେଇ ଚିନ୍ତାରୁ ହିଁ ୫-ଟି ଜନ୍ମ ନେଲା ଏବଂ ଇଏ ପୂରା ତାଙ୍କର ହିଁ ପରିକଳ୍ପନା। ସବୁ ବିଭାଗକୁ ଟାର୍ଗେଟ୍ ଦିଆଗଲା। ନିର୍ଦ୍ଦିଷ୍ଟ ସମୟରେ ଦିଆଯାଇଥିବା ଲକ୍ଷ୍ୟ ପୂରଣ ଲାଗି ଉଦ୍ୟମ କରାଗଲା। ଗୋଟିଏ ଧାଡ଼ିରେ ଆପଣ କହିପାରିବେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ‘ନୂଆ ଓଡ଼ିଶା’ ସ୍ବପ୍ନର ଇଞ୍ଜିନ ହେଉଛି ୫-ଟି।
 କିନ୍ତୁ ଆପଣ ରାଜନୀତି ପ୍ରତି କେମିତି ମନ ବଳାଇଲେ?
-ମୋର ରାଜନୀତିକୁ ରୂପାନ୍ତର ହେଉଛି ଗୋଟିଏ ଦୁର୍ଘଟଣା। ୨୦୨୩ ଜାନୁଆରି ମଧ୍ୟଭାଗ ପର୍ଯ୍ୟନ୍ତ ଏସବୁ କଥା ମୋ ମନରେ ନଥିଲା। ମୁଁ ମାଲକାନଗିରି ଜିଲ୍ଲାରେ କେବେ କାମ କରିନାହିଁ। ତିନିଥର ମୁଖ୍ୟମନ୍ତ୍ରୀଙ୍କ ସହିତ ବିଭିନ୍ନ କାମରେ ଯାଇଥିଲି। ସେଥର ଆମେ ଗଲାବେଳକୁ ତିନି ଚାରିଘଣ୍ଟା ଲୋକ ଅପେକ୍ଷା କରିଥା’ନ୍ତି। ଲୋକମାନେ ମୋତେ ଦେଖିବା ପରେ ତାଙ୍କ ମୁହଁରେ ହସ ଆସିଲା। ସେମାନଙ୍କ ହସ ମୋ ହୃଦୟକୁ ଛୁଇଁଲା। ମୁଁ ବିଶ୍ବାସ କରିପାରିଲି ନାହିଁ, ଏତେ ଖରାରେ ଠିଆହୋଇ ସେମାନେ ବିରକ୍ତି ପ୍ରକାଶ କରିବା ପରିବର୍ତ୍ତେ ହସିକି ହାତ ମିଳାଇ କିଛି ନ ମାଗି ଚାଲିଗଲେ େକମିତି?
 ଏଇ ଘଟଣାଟି ଆପଣଙ୍କୁ ରାଜନୀତିକୁ ଆସିବା ପାଇଁ ପ୍ରେରଣା ଦେଲା କି?
-ନା’। ତା’ପରେ ମୁଁ ନବରଙ୍ଗପୁର ସମେତ ବିଭିନ୍ନ ଜିଲ୍ଲାକୁ ଯାଇଥିଲି। ସବୁଠି ଲୋକଙ୍କ ପାଖରେ ଅଳ୍ପ ବହୁତ ବା ସମାନ ଭଲପାଇବା ଦେଖିଲି। ସେବେ ମୋ ମନକୁ ଆସିଲା ଯେ ଜଣେ ବ୍ୟୁରୋକ୍ରାଟ୍ ଭାବେ କାର୍ଯ୍ୟ କରି ଓ ସେ ସୀମା ଭିତରେ ରହି େଲାକଙ୍କ ଆସ୍ଥାକୁ ମୁଁ ନ୍ୟାୟ ଦେଇପାରିବି ନାହିଁ। ମୁଖ୍ୟମନ୍ତ୍ରୀ ଓ ମୁଁ ଏ ସଂପର୍କରେ ଆଲୋଚନା କରିବା ପରେ ଚାକିରି ଛାଡ଼ିଲି। କିନ୍ତୁ ୨୦୧୧ରୁ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଁ କାମ କରିଛି। ମୁଁ ତାଙ୍କୁ ସହଯୋଗ କରିବି, ସେବେଠୁ ସଂକଳ୍ପ ନେଇଛି ଓ ସେଇ ଏଜେଣ୍ଡା ନେଇ ଆଗକୁ ବଢ଼ୁଛି। ସବୁବେଳେ କହିଛି ଯେ ମୋର ବାପା କିମ୍ବା ଜେଜେ ବାପା ଯଦି ଗୋଟିଏ ଦଳ ବା ରାଜ୍ୟପାଇଁ ଏତେ ପରିଶ୍ରମ କରିଥାନ୍ତେ, ସେବେ ମୁଁ ତାଙ୍କୁ ସହଯୋଗ କରିଥାନ୍ତି। ଏଠି ମୁଖ୍ୟମନ୍ତ୍ରୀଙ୍କ ସହିତ ମୋର ଆବେଗିକ ସଂପର୍କ ରହିଛି। ଏଣୁ ସବୁଛାଡ଼ି ରାଜନୀତିକୁ ଆସିଛି।
 ଜଣେ ଅଫିସର ଭାବେ ପାଣ୍ଡିଆନ ଅନେକ ନିର୍ବାଚନ ପରିଚାଳନା କରିଛନ୍ତି। ଏବେ ସେ ବିଜୁ ଜନତା ଦଳର ହର୍ତ୍ତାକର୍ତ୍ତା। କେଉଁ ଭୂମିକାଟି ବେଶି ଖୁସି ଦେଉଛି?
-ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗୋଟିଏ ରାଜନୈତିକ କାର୍ଯ୍ୟାଳୟ। ଯାହା ନିର୍ବାଚନ ଇସ୍ତାହାରରେ ଥାଏ ଓ ଯାହା ଲୋକ ପ୍ରତିନିଧି ଚାହାନ୍ତି, ତାହା ମୁଖ୍ୟମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟ ଜରିଆରେ କାର୍ଯ୍ୟାନ୍ବୟନ ପାଇଁ ଚେଷ୍ଟା କରିଥାନ୍ତି। ସେସବୁ କାର୍ଯ୍ୟ ମୁଁ କରିଛି। ହଁ, ଆପଣ ମନେ ରଖିନାହାନ୍ତି; ୨୦୦୪ ନିର୍ବାଚନରେ ମୁଁ ସିଇଓଙ୍କୁ ସହଯୋଗ କରିବା ଲାଗି ସେଠାେର ନିଯୁକ୍ତି ପାଇଥିଲି। ସେ ନିର୍ବାଚନ ପରିଚାଳନା ପ୍ରକ୍ରିୟାରେ ମଧ୍ୟ ମୋର ଅନୁଭବ ଅଛି। ତା’ପରେ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ବାଚନ ଦେଖିଛି। ଏବେ କିନ୍ତୁ ବିଜୁ ଜନତା ଦଳରେ ରହି ୩୬୦ ଡିଗ୍ରି ନିର୍ବାଚନକୁ ପର୍ଯ୍ୟାଲୋଚନା କରୁଛି। ଦେଖନ୍ତୁ, ଜିଲ୍ଲାପାଳ ଭାବେ ସ୍ବଚ୍ଛତାର ସହିତ ନିର୍ବାଚନ ପରିଚାଳନା କରିବା ଗୋଟିଏ ଖୁସି। ଯେଉଁ ପଦବିରେ ଯେତେବେଳେ ରହିଛି, ନିଜର ଭୂମିକାକୁ ନମ୍ରତା ଓ ସ୍ବଚ୍ଛତା ସହିତ ତୁଲାଇବାକୁ ଚେଷ୍ଟା କରିଛି ଓ କରୁଛି। ସେଇଟା ହିଁ ମୋତେ ଖୁସି ଦେଇଥାଏ।

ଯେଉଁ କମ୍ପାନି ଶ୍ରୀମନ୍ଦିର କାମ କରିଛି, ସେହି ସଂସ୍ଥା ସଂସଦର ନିର୍ମାଣ ଦାୟିତ୍ବ ବି ନେଇଛି
ତିନି ଚତୁର୍ଥାଂଶ ଆସନ ଜିତିବୁ, ଜୁନ୍ ୯ରେ ଶପଥ ଗ୍ରହଣ ଉତ୍ସବ ହେବ ହିଁ ହେବ

 ୨୦୨୪ ନିର୍ବାଚନରେ ଓଡ଼ିଶାରେ ନିଆରା ଚର୍ଚ୍ଚା। ପାଣ୍ଡିଆନ ନିର୍ବାଚନୀ ପ୍ରସଙ୍ଗ ପାଲଟିଯାଇଛନ୍ତି। ସବୁ ତାଙ୍କଠାରୁ ଆରମ୍ଭ, ତାଙ୍କଠି ଶେଷ। ଦଳ ଭିତରେ ଯେମିତି, ବିରୋଧୀଙ୍କ ସ୍ବରରେ ବି ସେମିତି। ଏମିତି କାହିଁକି?
-ଏଇଟା ବିରୋଧୀ ଦଳର ଗୋଟିଏ ରଣନୀତି। ନିର୍ବାଚନ ସବୁବେଳେ ଲଢ଼ାଯାଏ ଲୋକ ସାମ୍ନା କରୁଥିବା ସମସ୍ୟାକୁ ନେଇ। ଦରଦାମ ବୃଦ୍ଧି, ବେରୋଜଗାରୀ, ପୁଞ୍ଜି ନିବେଶ କେମିତି ଆସୁଛି, କେନ୍ଦ୍ର ସରକାର ଆମକୁ କେତେ ସହଯୋଗ କରୁଛନ୍ତି, କେତେ ମୋବାଇଲ୍ ଟାଵାର ବସିଛି, କୋଇଲା ରୟାଲଟି କ୍ଷେତ୍ରରେ କ’ଣ ହୋଇଛି, କୋଷ୍ଟାଲ ହାଇୱେ, ରିଙ୍ଗ୍ ରୋଡ୍, ଧାନର ଦର କଥା କାହିଁକି ଏବେ ମନେ ପକାଇଲେ, ଏସବୁ କଥା କହିଲେ ଲୋକଙ୍କୁ ଧରିବ। ଏଇଟା ଆମେ କରୁଛୁ। କିନ୍ତୁ ବିରୋଧୀ ଦଳ ପାଣ୍ଡିଆନ ଉପରେ ଆକ୍ରମଣ କରୁଛନ୍ତି, ତା’ର ଗୋଟିଏ କାରଣ ହେଲା- ସେମାନଙ୍କ ପାଖରେ ପ୍ରସଙ୍ଗ ନାହିଁ। ଏଣୁ ଲୋକଙ୍କୁ ଭ୍ରମିତ କରିବାପାଇଁ ଏପରି କରାଯାଉଛି। ତେବେ ବ୍ୟକ୍ତିଗତ ଭାବେ ମୁଁ ବହୁତ ଖୁସି। କାରଣ ଯୁଦ୍ଧ ଲଢ଼ୁଥିବା ଜଣେ ସୈନିକର କାମ ହେଲା, ନିଜ ରାଜ୍ୟ ଓ ନିଜ ରାଜାକୁ ସୁରକ୍ଷା ଦେବା। ମୁଁ ନବୀନ ପଟ୍ଟନାୟକଙ୍କର ଜଣେ ସୈନିକ। ମୁଁ ସାମ୍ନାରେ ଠିଆ ହୋଇ ଏ କାମ କରିପାରୁଛି।

 ୬ମାସର ରାଜନୀତି ଅଭିଜ୍ଞତା ସଂପନ୍ନ ବ୍ୟକ୍ତିଙ୍କୁ ନେଇ ବିରୋଧୀ କାହିଁକି ବିଚଳିତ ହେବେ?
-ଆପଣ ଏକଥା ବିରୋଧୀ ଦଳଙ୍କୁ ପଚାରିବା କଥା। ଏମିତିରେ ବି ମୁଁ ନିର୍ବାଚନ ଲଢ଼ୁନି। କେବଳ ପ୍ରଚାର କରୁଛି। ମୁଖ୍ୟମନ୍ତ୍ରୀଙ୍କ ଭଲ କାମ ଓ ବିରୋଧୀ ଦଳଙ୍କର ଅବହେଳା କଥା ନମ୍ରତାର ସହିତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଛି। ଏ ଭିତରେ ତାଙ୍କର ଏତେ ରାଗ କ’ଣ ପାଇଁ ମୋ ଉପରେ ବୁଝିପାରୁନି। ଏସବୁ ଭଗବାନଙ୍କ ଉପରେ ଛାଡ଼ିଦେବା।

 ଅନେକ ସ୍ଥାନରେ ଚର୍ଚ୍ଚା ହେଉଛି, ପାଣ୍ଡିଆନ ଜଣେ ଅଣଓଡ଼ିଆ ଅଫିସର। ଅଫିସରରୁ ରାଜନୀତିକୁ ଆସିଛନ୍ତି। ନବୀନଙ୍କ ଉତ୍ତରାଧିକାରୀ ହେବାର ସମ୍ଭାବନା ଉଜ୍ଜ୍ବଳ। ଏହାର ଉତ୍ତର ଆପଣ କେମିତି ଦେବାକୁ ଚାହିଁବେ?
-ଆଗରୁ କହିଛି, ମୁଁ ଜଣେ ଭାରତୀୟ। କିନ୍ତୁ ମୁଁ ଜଣେ ସଚ୍ଚା ଓଡ଼ିଆ। ପ୍ରଥମେ ବନ୍ଦେ ଉତ୍କଳ ଜନନୀ ବୁଝିପାରୁନଥିଲି, ତଥାପି ସେବେ ଲୋମ ଟାଙ୍କୁରି ଉଠେ। ମହାପ୍ରଭୁଙ୍କୁ ଦେଖିଲେ ଆଖିରେ ଲୁହ ଆସୁଥିଲା। ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଲେ ପ୍ରେରଣା ମିଳୁଥିଲା। ଓଡ଼ିଶାର ବରପୁତ୍ରଙ୍କ ସହିତ ମୁଁ ଆବେଗିକ ଭାବେ ଯୋଡ଼ି ହୋଇରହିଛି। ମୋର ପିଲାଛୁଆ ଦୁଇଜଣଙ୍କ ମାତୃଭୂମି ଓଡ଼ିଶା ଓ ମାତୃଭାଷା ଓଡ଼ିଆ। ମୋର ପରିଚୟ ହେଉଛି ଯେ ଓଡ଼ିଶାରେ ମୁଁ ଭଲ କାମ କରୁଛି। ଓଡ଼ିଶା ପାଇଁ କରୁଛି।

 ପାଣ୍ଡିଆନ କ’ଣ ଅବଶିଷ୍ଟ ଜୀବନ ଓଡ଼ିଶାରେ ବିତାଇବେ ନା କେବେ ତାମିଲନାଡ଼ୁ ଫେରିଯିବେ?
-ଏଥିରେ କ’ଣ ସନ୍ଦେହ ଅଛି? ମୋର ପିଲାଛୁଆ ଏଠି ଅଛନ୍ତି। ମୋତେ ଏତେ ବଡ଼ ପରିବାର (ବିଜେଡି) ସହିତ ମୁଖ୍ୟମନ୍ତ୍ରୀ ଯୋଡ଼ିଛନ୍ତି। ସେମାନଙ୍କର ଭଲପାଇବା ଓ ସ୍ନେହରେ ବାନ୍ଧିହୋଇଯାଇଛି। ମୁଁ ଜଣେ ସୁପରଷ୍ଟାର ନୁହେଁ। ମୋର ପରିଚୟ ହେଉଛି କାମ। ମୁଁ ମହାପ୍ରଭୁଙ୍କ ଶରଣ ତଳେ ଜୀବନ ଥିଲା ପର୍ଯ୍ୟନ୍ତ ରହିବି, ଆପଣଙ୍କ ଜରିଆରେ ଏତିକି କଥା ଆଜି ସ୍ପଷ୍ଟ କରିଦେବାକୁ ଚାହିଁବି। ମୁଁ ଆଗ ଜନ୍ମରେ କ’ଣ ଥିଲି କହିପାରିବି ନାହିଁ। କିନ୍ତୁ ଏଇଜନ୍ମରେ ମହାପ୍ରଭୁ ମୋତେ ଏତେ ସୁଯୋଗ ଦେଇଛନ୍ତି, ତାଙ୍କ ମନ୍ଦିର କାମର ଜଣେ ସାକ୍ଷୀ ମୁଁ। ତାଙ୍କ ସହିତ ଏବଂ ତାଙ୍କ ପାଖରେ ହିଁ ଶେଷ ପର୍ଯ୍ୟନ୍ତ ରହିବି।

 କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ ଅଭିଯୋଗର କେମିତି ଉତ୍ତର ରଖିବାକୁ ଚାହିଁବେ?
-ମୁଖ୍ୟମନ୍ତ୍ରୀ ସବୁବେଳେ କହିଛନ୍ତି, ମୋର ଉତ୍ତରାଧିକାରୀ ଓଡ଼ିଶାବାସୀ ଚୟନ କରିବେ। ଏଇଟା ସମସ୍ତଙ୍କ ସାମ୍ନାରେ କହିଛନ୍ତି। ଏତିକି ହିଁ ସତ। ଓଡ଼ିଶାବାସୀ ତାଙ୍କ ଭଲ ପାଇଁ, ଓଡ଼ିଶାର ଭଲ ପାଇଁ କାହାକୁ ବି ଚୟନ କରିବେ, ଗ୍ରହଣ କରିବେ, ସେଇଟା ତାଙ୍କ ନିଷ୍ପତ୍ତି।

ମୁଁ ପ୍ରଶଂସାରେ ଉଲ୍ଲସିତ ହେଉନି କି କାହା ଗାଳିରେ ବିଚଳିତ ହେଉନି

 ବିରୋଧୀଙ୍କଠାରୁ ସାମାଜିକ ଗଣମାଧ୍ୟମ ଯାଏଁ ସବୁଠି ଆପଣଙ୍କ ସମାଲୋଚନା େହଉଛି। ଆପଣଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି ହେଉଥିବ ନିଶ୍ଚୟ…। ନିଜ ଭିତରେ କେବେ ଅନୁତାପ ଆସୁନି, କାହିଁକି ରାଜନୀତିରେ ପାଦ ଦେଲେ..?
-ବିଲକୁଲ୍ ଆସୁନି। ମୁଁ ଜାଣେ ଯେ ମୁଁ କ’ଣ କରୁଛି। ମୁଖ୍ୟମନ୍ତ୍ରୀଙ୍କ ପାଖରୁ ପ୍ରେରଣା ପାଇଛି। ବହୁତ ପ୍ରଶଂସା କଲେ ବି ସେ ଟିକେ ହସିକି ଚାଲିଯାନ୍ତି। ବହୁତ ସମାେଲାଚନା କଲେ ମଧ୍ୟ ନିରବ। ସେ ସ୍ଥିତପ୍ରଜ୍ଞ। ମୁଁ ତାଙ୍କଠାରୁ ପ୍ରେରଣା ପାଇଛି। ମୁଁ ପ୍ରଶଂସାରେ ଉଲ୍ଲସିତ ହେଉନି କି କାହା ଗାଳିରେ ବିଚଳିତ ହୁଏନି।

 ଏଇ କଥାଟି ଏଇଥିପାଇଁ ଉଠାଇଲି, କାରଣ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ଆପଣଙ୍କ ଆଡ଼କୁ ଆଙ୍ଗୁଠି ଉଠାଇଲେ। ନାମ ନ ନେଇଥିଲେ ବି ଆପଣଙ୍କୁ ଇଙ୍ଗିତ କରି କହିଲେ, ମହାପ୍ରଭୁଙ୍କ ରତ୍ମଭଣ୍ଡାର ଚାବି ତାମିଲନାଡ଼ୁ ଚାଲିଯାଇଛି। ଆପଣ ଏହା ଉପରେ କେମିତି ପ୍ରତିକ୍ରିୟା ରଖିବାକୁ ଚାହିଁବେ?
-କିଛି ପ୍ରତିକ୍ରିୟା ରଖିବି ନାହିଁ। ପ୍ରଧାନମନ୍ତ୍ରୀ ଏତେ ବଡ଼ ଲୋକ ଯେ ତାଙ୍କର ବକ୍ତବ୍ୟକୁ ଭିତ୍ତିହୀନ କହିଲେ, ତାଙ୍କ ଭଳି ଜଣେ ଉତ୍ତୁଙ୍ଗ ବ୍ୟକ୍ତିଙ୍କ ଲାଗି ମଧ୍ୟ ଏହା ଭଲ ନୁହେଁ। ମୁଁ କହିବି, ମହାପ୍ରଭୁ ସବୁ ଜାଣିଛନ୍ତି, ସେ ହିଁ ସବୁ କରିବେ।
ମୁଁ କିନ୍ତୁ ରାଜନୀତି ଦୃଷ୍ଟିକୋଣରୁ ଗୋଟିଏ ଉତ୍ତର ଦେବାକୁ ଚାହିଁବି। ଯେହେତୁ ନବୀନବାବୁ ବହୁତ କଷ୍ଟରେ ବିରୋଧୀଙ୍କୁ ମୁକାବିଲା କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ କରିଛନ୍ତି, ମା’ ସମଲେଇ, ଆଖଣ୍ଡଳମଣିଙ୍କ ମନ୍ଦିର, ମସ୍‌ଜିଦ୍, ଚର୍ଚ୍ଚ, ଗୁରୁଦ୍ବାରା, ଆଦିବାସୀଙ୍କ ପୀଠସ୍ଥଳୀ ସବୁ ଅଞ୍ଚଳର କାମ କରାଯାଇଛି; ଏଇଟା ବିଜେପିକୁ ଟିକେ ଜୋର୍‌ରେ ଲାଗିଛି। ସେମାନେ ହିନ୍ଦୁତ୍ବ ଦଳ। ନବୀନ ବାବୁ କେମିତି ଏ କାମ କରିବେ? ଯଦି ଶ୍ରୀମନ୍ଦିର କାମ ସେ କରିଦେବେ, ତେବେ ସବୁଦିନ ପାଇଁ ତାଙ୍କ ନାମ ଇତିହାସରେ ଯୋଡ଼ି ହୋଇରହିଯିବ। ଏଇଟାକୁ ସେମାନେ ରାଜନୀତି ଉଦ୍ଦେଶ୍ୟରେ ବନ୍ଦ କରିବାକୁ ଚେଷ୍ଟା କଲେ। ପ୍ରଥମେ କାମ ବନ୍ଦ ଉଦ୍ୟମ କଲେ। ପରେ କାମ ବିଳମ୍ବ କରାଇଲେ। ହେଲେ ମହାପ୍ରଭୁଙ୍କ ଆଶୀର୍ବାଦରେ କାମ ସରିଗଲା। ଶ୍ରେୟ ନେଇଯିବେ କାଳେ, ସେଇଟାକୁ ଏପଟସେପଟ କରିବା ଲାଗି ମଠ ଭାଙ୍ଗିବା, ରତ୍ନଭଣ୍ଡାର କଥା ସବୁ ଉଠାଉଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ରାଜନୈତିକ ଫାଇଦା ପାଇଁ ଏସବୁ କରିନାହାନ୍ତି। ତାଙ୍କର ଫଟୋ ବି କୌଣସି ଖବରକାଗଜରେ ଆସିନାହିଁ, ଏକଥା ସେମାନେ ଭୁଲିଯାଇଛନ୍ତି।

 ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଏତେ ଅର୍ଥ ଖର୍ଚ୍ଚ ହେଲା। ତା ପରେ ବି ଏହି ପ୍ରକଳ୍ପ ସମେତ, ରତ୍ନଭଣ୍ଡାର, ଶ୍ରୀମନ୍ଦିର ଚାରିଦ୍ବାର ଖୋଲାଯିବା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ନୀତି ଶୃଙ୍ଖଳା ଭଳି କିଛି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚିତ ହେବାକୁ ପଡୁଛି? ନିର୍ବାଚନରେ ବିରୋଧୀ ଏହାକୁ ପ୍ରସଙ୍ଗ କରିବା ସ୍ବାଭାବିକ ନୁହେଁ କି?
-ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଶ୍ରୀମନ୍ଦିର ପରିକ୍ରମାରେ ମାତ୍ର ୩୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆଉ ଯେଉଁ କମ୍ପାନି ଏ କାମ କରୁଛି, ସେହି ସଂସ୍ଥା ସଂସଦର ନିର୍ମାଣ ଦାୟିତ୍ବ ନେଇଛି। ସବୁଠୁ ଭଲ ଯଦି କରିବେ ବୋଲି ଭାବି ସେମାନେ ସଂସଦ ନିର୍ମାଣ ଦାୟିତ୍ବ ଦେଇଛନ୍ତି, ଆମେ ବି ସବୁଠୁ ଶ୍ରୀମନ୍ଦିର କାମ ଭଲ ହେବ ବୋଲି ତାଙ୍କୁ କାମ ଦେଇଛୁ। ସତ କଥା ହେଲା ବିରୋଧୀଙ୍କ ପାଖରେ ଆଉ କିଛି ଅସ୍ତ୍ର ନାହିଁ। ମୋତେ ଆଗରେ ରଖି ସେମାନେ ଲଢ଼ୁଛନ୍ତି ଏବଂ ଶ୍ରୀମନ୍ଦିର ଭଳି ଆଉ କିଛି ପ୍ରସଙ୍ଗ ଧରି ସେମାନେ ଏଠି ବୁଲୁଛନ୍ତି। ସେମାନେ କହୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କର ୨୪ ବର୍ଷ ହେଲା। ସରକାର ବିରୋଧରେ ଅନ୍ତଃସ୍ବର ଅଛି। ତେବେ ସେମାନେ ଗୋଟିଏ ମୁଖ୍ୟମନ୍ତ୍ରୀ ଚେହେରା ଦେଉନାହାନ୍ତି କାହିଁକି? ୧୦ବର୍ଷ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଚେହେରା ବନେଇଲେ। ସେ ନିଜ ମାଟିରୁ ଠିଆ ହୋଇପାରିଲେ ନାହିଁ, ନିଜକୁ ସମ୍ବଲପୁରକୁ କୋରିୟର କରିଦେଲେ। ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ତାଙ୍କ ବିରୋଧରେ ସ୍ବର କେତେ ତୀବ୍ର, ଏଥିରୁ ପ୍ରମାଣିତ। ନବୀନ ବାବୁ ଗୋଟିଏ ଜାଗାରୁ ୨୪ବର୍ଷ ହେଲା ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି। ଲୋକେ ତାଙ୍କୁ ଜିତାଇ ଆସୁଛନ୍ତି।

 ଶ୍ରୀମନ୍ଦିର ସଂକ୍ରାନ୍ତ ଅନେକ ପ୍ରସଙ୍ଗରେ ଆମେ ଦେଖିଥାଉ, ସରକାର ଗୋଟିଏ ଅଜଣା ଭୟରେ ରୁହନ୍ତି। ଅତି ସମ୍ବେଦନଶୀଳ ପ୍ରସଙ୍ଗ ବୋଲି ସରକାର ଦୂରେଇ ରହନ୍ତି ନା ଆଉ କିଛି କାରଣ ରହିଛି?
-ନା, ସେମିତି ନୁହେଁ। ଶ୍ରୀମନ୍ଦିରରେ ସରକାରଙ୍କର ଭୂମିକା ସୀମିତ। ସେଠି ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ଓ ଛତିଶାନିଯୋଗ, ସେବାୟତଙ୍କର ବଡ଼ ଦାୟିତ୍ବ ରହିଛି। ସବୁଠୁ ଉପରେ ଗଜପତି ମହାରାଜା ଅଛନ୍ତି। ଏଣୁ ସବୁକିଛି ସେମାନେ କରିପାରିବେ। ସରକାର କେବଳ ଶ୍ରୀମନ୍ଦିର ପାଇଁ ଭିତ୍ତିଭୂମି କରିପାରିବେ। ଶ୍ରୀମନ୍ଦିର ପରିଚାଳନା ସେମାନଙ୍କର ଦାୟିତ୍ବ।

 ବିଜୁ ଜନତା ଦଳର ଭଲ ପାଇଁ କାମ କରୁଥିବେ ବୋଲି ସମ୍ଭବତଃ ମୁଖ୍ୟମନ୍ତ୍ରୀ ଆପଣଙ୍କୁ ଏତେ ବଡ଼ ଦାୟିତ୍ବ ଦେଇଛନ୍ତି?
-(ରୋକିଦେଇ)ନାଇଁ, ଏଇଟା ନୁହେଁ। ମୁଁ ଲୋକଙ୍କ ପାଇଁ ଭଲ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋତେ ବିଜୁ ଜନତା ଦଳର କାମ କରିବା ଲାଗି ସୁଯୋଗ ଦେଇଛନ୍ତି। ଏବେ ପଚାରନ୍ତୁ…
 ସରକାରରେ ବି ଆପଣଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୂପ ଭରସା କରୁଥିଲେ। ମୁଖ୍ୟ ଅସ୍ତ୍ର ୫-ଟି ଆପଣଙ୍କ ହାତରେ ଥିଲା। ଅନେକ ଘଟଣାରେ ଦେଖାଯାଏ ସମସ୍ତେ ନବୀନଙ୍କୁ ସମ୍ମାନ ଦିଅନ୍ତି। କିନ୍ତୁ ଆପଣଙ୍କୁ ନେଇ ନବୀନଙ୍କ ନିଷ୍ପତ୍ତିଟି ସମସ୍ତେ ଗ୍ରହଣ କରିପାରୁନାହାନ୍ତି କି?
-ବିରୋଧୀ ଖୁସି ହେବେ ବୋଲି ଭାବି ମୁଖ୍ୟମନ୍ତ୍ରୀ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଆପଣ ଦେଖନ୍ତୁ, ଦୁଇଟା ବିଶ୍ବକପ୍‌ ହେଲା। ଓଡ଼ିଶା ନାଚିଲା। ବିରୋଧୀ ଦଳ ପ୍ରଶଂସା କଲେ କି? ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ କଲେ। ବିରୋଧୀ ପ୍ରଶଂସା କଲେ କି? ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଲା। ବିରୋଧୀ ଦଳ ପ୍ରଶଂସା କଲେ କି? ବିପର୍ଯ୍ୟୟ ପରିଚାଳନାକୁ ଜାତିସଂଘ ପ୍ରଶଂସା କଲେ। ବିରୋଧୀ ଦଳ ଏହାକୁ ଗ୍ରହଣ କଲେ କି? ବିରୋଧୀ ସବୁ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ରାଜନୈତିକ ଓ ବ୍ୟକ୍ତିଗତ ଭାବେ ନୀଚା ଦେଖାଇବାକୁ ଚେଷ୍ଟିତ ଥାନ୍ତି।

ମୋର କାମ ହେଉଛି ମୋର ପରିଚୟ, ଆଉ କାହାର ସାର୍ଟିଫିକେଟ୍ ଦରକାର ନାହିଁ
ବିରୋଧୀ ସବୁ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ନୀଚା ଦେଖାଇବାକୁ ଚେଷ୍ଟିତ ଥାନ୍ତି
ବିଜେପିର ମୁଖ୍ୟମନ୍ତ୍ରୀ କଥାଟି ଫିଲ୍ମର ‘କଟ୍ଟାପା’ ଭଳି ହୋଇଗଲାଣି
ଆଉ କିଛି ପ୍ରସଙ୍ଗ ନାହିଁ ବୋଲି ବିରୋଧୀ ରାଗୁଛନ୍ତି

 ହେଲେ ଆପଣଙ୍କ ଦଳର ଛାମୁଆ ନେତାମାନେ ମଧ୍ୟ ପାଣ୍ଡିଆନଙ୍କ ବିରୋଧରେ କଥା ଉଠିଲେ, ସୁରକ୍ଷା ପାଇଁ ଆଗକୁ ଆସିବା ଦେଖାଯାଉନାହିଁ? ସେମାନେ ବି ଖୋଲା ପ୍ରଶଂସା କରନ୍ତି ନାହିଁ। -ଏଇଟାରେ ମୁଁ ଏକମତ ନୁହେଁ। ମୋ ସହିତ ସମସ୍ତଙ୍କର ଆବେଗିକ ସଂପର୍କ ରହିଛି। ୧୦ ପ୍ରତିଶତ ଲୋକ, କିଏ ଟିକେଟ୍ ପାଇବେନି, କିଏ ଫାଇଦା ପାଇବେନି, କିଏ ସୁବିଧା ପାଇବେନି, ସେମାନେ ଏମିତି କରିପାରନ୍ତି। ଗୋଟିଏ ରାଜନୈତିକ ଦଳରେ ୯୦ ପ୍ରତିଶତ ଗ୍ରହଣୀୟତା କିଛି କମ୍ କଥା ନୁହେଁ। ବିଜେଡି ଗୋଟିଏ ଗାଣତନ୍ତ୍ରିକ ଦଳ। ସମସ୍ତଙ୍କର ମତାମତ ଦେବାର ଅଧିକାର ଅଛି। କିନ୍ତୁ କ୍ୟାଡ଼ର କେମିତି ଦେଖୁଛନ୍ତି, କୋଟିଏ ଲୋକଙ୍କୁ ନେଇ ଏ ପରିବାର କେମିତି ଗ୍ରହଣ କରୁଛି, ସେଇଟା ଆପଣ ଜିଲ୍ଲା ଗସ୍ତବେଳେ ଦେଖିପାରୁଥିବେ।

 ଅତି ଲୋକପ୍ରିୟ ଜିଲ୍ଲାପାଳ ଥିଲେ ପାଣ୍ଡିଆନ। ଜଣେ ଦକ୍ଷ ଓ କର୍ମଠ ଅଫିସର ବି। ପାଣ୍ଡିଆନଙ୍କୁ କେହି କେହି ଏବେ ଜଣେ ପ୍ରତିଶୋଧ ପରାୟଣ, ରାଗୀ ବ୍ୟକ୍ତି ବୋଲି ଚିତ୍ରଣ କରୁଛନ୍ତି। ଏ ଅଭିଯୋଗର ଜବାବ ଆପଣ କେମିତି ରଖିବେ?
-(ଟିକେ ହସି…)ଏଇଟା ମଧ୍ୟ ବିରୋଧୀ ଦଳର ଗୋଟିଏ ରାଜନୈତିିକ କୌଶଳ। କେମିତି ଜଣକୁ ବ୍ୟକ୍ତିଗତ ଭାେବ ବଦନାମ କରିବା, କେମିତି ତାଙ୍କ ନାମରେ ଅପପ୍ରଚାର କରିବା, ସେଇ କାମରେ ଲାଗିଛନ୍ତି। ଯେେହତୁ ସେମାନେ ମୋର ସ୍ବଚ୍ଛତା ଓ ଦକ୍ଷତା, ବିନମ୍ରତା ଉପରେ ପ୍ରଶ୍ନ ଚିହ୍ନ ଲଗାଇପାରୁନାହାନ୍ତି, ଏଣୁ ଏମିତି କରୁଛନ୍ତି। ମୁଁ କ’ଣ, ଲୋକ ମୋତେ ୨୪ବର୍ଷ ହେଲା ଦେଖିଲେଣି। ମୁଖ୍ୟମନ୍ତ୍ରୀ ବି ଜଣେ ରାଗୀ ଓ ପ୍ରତିଶୋଧପରାୟଣ ବ୍ୟକ୍ତିଙ୍କୁ ତାଙ୍କ ପାଖରେ ରଖିନଥାନ୍ତେ କି ଭଲ ପାଇନଥାନ୍ତେ।

 ବିଜେପିର ମାଳ ମାଳ ନେତା ଏବେ ନବୀନ ସରକାରର ସାର୍ଟିଫିକେଟ୍ ଲେଖୁଛନ୍ତି। ଦାଦନ, ଅପପୁଷ୍ଟି, କେନ୍ଦ୍ର ସରକାରଙ୍କ ଯୋଜନା ଚୋରି, ଦୁର୍ନୀତିର ଟିକା ପିନ୍ଧାଉଛନ୍ତି। ଏସବୁ କ’ଣ ମିଛ?
-ମୁଁ ଆଗରୁ ଗୁଜରାଟ ସହିତ ଓଡ଼ିଶାର ତୁଳନା କରି ଜବାବ ରଖିସାରିଛି। ଗୁଜରାଟର ଅପପୁଷ୍ଟି, ଏନିମିଆର ଚିତ୍ର, ମହିଳା ସଶକ୍ତୀକରଣ ସ୍ଥିତି, କେତେ ମହିଳାଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଅଛି, କେତେ ମହିଳାଙ୍କ ପାଖରେ ମୋବାଇଲ୍‌, ମୁଣ୍ଡ ପିଛା ଋଣ, ପୁଞ୍ଜିନିବେଶ ଏସବୁର ବିସ୍ତୃତ ହିସାବ ରଖିଛି। ଏହା ମୋର ରିପୋର୍ଟ ନୁହେଁ। କେନ୍ଦ୍ର ସରକାର, ୟୁନିସେଫ୍ ବା ଆର୍‌ବିଆଇ ରିପୋର୍ଟ। ସବୁଥିରେ ଓଡ଼ିଶା ଆଗରେ ରହିଛି। ରାଜସ୍ବ ବଳକାରେ ଓଡ଼ିଶା ଦେଶରେ ଏକ ନମ୍ବରରେ ଅଛି। ସେମାନେ ବାହାରୁ ଆସିଛନ୍ତି, ସତ ଜଣାନାହିଁ। ନିଜେ କେନ୍ଦ୍ର ସରକାର ହିଁ ଓଡ଼ିଶାକୁ ବହୁତ ପ୍ରଶଂସା କରୁଛି। ଦୁଇ ଦିନ ଆଗରୁ ଦକ୍ଷତା ବିକାଶରେ ଓଡ଼ିଶା ୧ନମ୍ବର ହୋଇଛି ଓ ୧୭ଟି ଗୋଲ୍‌ଡ ମେଡାଲ୍‌ ପାଇଛି। ଏହା ରେକର୍ଡ। ଦ୍ବିତୀୟତଃ କେନ୍ଦ୍ରୀୟ ନେତା ଆସିବାର ଆଉ ଗୋଟିଏ କାରଣ ବି ରହିଛି। ଏଠି ବିଭିନ୍ନ ପ୍ରକାର ନେତା ଅଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କୁ ଆମ ବବିବାବୁ (ପ୍ରଣବ ପ୍ରକାଶ ଦାସ) ସେଠି ସମ୍ବଲପୁରରେ ଫେଭିକଲ୍ ଲଗାଇ ଦେଇଛନ୍ତି। ସେ ବାହାରକୁ ଆସିପାରୁନାହାନ୍ତି। ଭୁବନେଶ୍ବର ସାଂସଦ ନିଜ ନିର୍ବାଚନମଣ୍ଡଳୀ ବାହାରକୁ ଯାଇପାରୁନାହାନ୍ତି। ପାଞ୍ଚବର୍ଷରେ କିଛି କାମ କଲେନି। ୬ମାସ ହେଲା ମନ୍ଦିର ବୁଲି ବୁଲି କୁଲର୍ ବାଣ୍ଟୁଛନ୍ତି। ରାଜଧାନୀ ସାଂସଦ ଭାବେ ସେ କେତେ କ’ଣ କରିପାରିଥାନ୍ତେ। କ୍ୟାପିଟାଲ୍ ରିଙ୍ଗ୍ ରୋଡ୍‌ଠାରୁ ଆରମ୍ଭ କରି ବଡ଼ ଭିତ୍ତିଭୂମି ପ୍ରକଳ୍ପ େକନ୍ଦ୍ରଠାରୁ ଆଣିପାରିଥାନ୍ତେ। ହେଲେ ସେ ଶ୍ରୀମନ୍ଦିର ପ୍ରକଳ୍ପ, ଲିଙ୍ଗରାଜ ପ୍ରକଳ୍ପ ବନ୍ଦ କରିବାକୁ ଲାଗିଲେ। ମୋର ବିଶ୍ବାସ ଥିଲା, ସେ ଆଇଏଏସ୍ ଛାଡ଼ି ଆସିଛନ୍ତି, କିଛି ଭଲ କାମ କରିବେ। ବିଜେଡିକୁ ବହୁତ କଷ୍ଟ ହେବ, ତାଙ୍କୁ ମୁକାବିଲା କରିବାକୁ। ମାତ୍ର ସେ ହାତଛଡ଼ା କରିଦେଲେ। ୧୦ଜଣ ସରପଞ୍ଚ ଯେଉଁ କାମ କରୁଛନ୍ତି, ସେ କାମ ବି ସେ କରିପାରିଲେ ନାହିଁ। ଯେହେତୁ ସ୍ଥାନୀୟ ନେତା ଫେଲ୍, ଏଣୁ ବାହାରୁ ନେତା ଆସୁଛନ୍ତି।

 ବିରୋଧୀ ଅଭିଯୋଗ କରୁଛନ୍ତି ଯେ ନବୀନଙ୍କ ଦୁର୍ବଳ ସ୍ବାସ୍ଥ୍ୟର ଫାଇଦା ଉଠାଇ, ଆପଣ କୁଆଡ଼େ ସବୁ କ୍ଷମତା ହଡ଼ପ କରିନେଉଛନ୍ତି। ଆପଣ ସେମାନଙ୍କୁ ଜବାବ ଦେଉନାହାନ୍ତି କାହିଁକି?
-ସେ ଦଶବର୍ଷ ହେଲା ସେୟା କହିଆସୁଛନ୍ତି। ୨୦୧୪ ନିର୍ବାଚନରେ ବି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦେହ ଖରାପ। ମୁଁ ଜାଣିପାରୁନି ଯେ ଏମାନେ କାହିଁକିି ମୁଖ୍ୟମନ୍ତ୍ରୀଙ୍କ ଦେହ ଖରାପକୁ ନେଇ ଏତେ ବ୍ୟସ୍ତ ଅଛନ୍ତି? ଇଣ୍ଟରନେଟ୍‌ରେ ସର୍ଚ୍ଚ କଲେ ଦେଖିବେ ଯେ ୨୦୧୨-୧୩ରେ କହିଲେ, ମୁଖ୍ୟମନ୍ତ୍ରୀ ଲଣ୍ଡନ ଯାଉଛନ୍ତି ଚିକିତ୍ସା ପାଇଁ। ବାସ୍ତବ କଥା ହେଲା, ଏହାଠାରୁ ଆଉ କିଛି ସେମାନେ ନବୀନ ବାବୁଙ୍କ ବିଷୟରେ କହିପାରିବେ ନାହିଁ। ତାଙ୍କ ସ୍ବଚ୍ଛତା, ଲୋକପ୍ରିୟତା ଓ ଶାସନ ଉପରେ ତ ଆଦୌ ନୁହେଁ। ସବୁଥିରେ ଏକନମ୍ବର ଅଛନ୍ତି। କିଛି ନା କିଛି କହିବାକୁ ପଡ଼ିବ। ଏଣୁ ନାରା ଲଗାଇଛନ୍ତି ଯେ ତାଙ୍କୁ ଅଫିସରମାନେ କଣ୍ଟ୍ରୋଲ କରୁଛନ୍ତି। ନବୀନଙ୍କ ଦେହ ଖରାପ ଅଛି। ଏଇଟାକୁ ରାଜ୍ୟବାସୀ ସବୁବେଳେ ପ୍ରତ୍ୟାଖ୍ୟାନ କରିଛନ୍ତି। ନିକଟରେ ଜିଲ୍ଲା ପରିଷଦରେ ୩୦ଟି ଜିଲ୍ଲାରେ ହାରିଲେ। ମୁଁ ଭାବୁଥିଲି, ଏତେ ବଡ଼ ବିପର୍ଯ୍ୟୟ ପରେ ସେମାନେ ନିଶ୍ଚିତ କିଛି ବଡ଼ ରଣନୀତି କରିବେ ବୋଲି। ହେଲାନି। ପୁରୁଣା କଥାରେ ରହିଗଲେ।

 ନିର୍ବାଚନ କମିସନ ଭୋଟ ତାରିଖ ଘୋଷଣା କରିବା ବେଳକୁ ବିଜେଡି-ବିଜେପି ଏକାଠି ନିର୍ବାଚନ ଲଢ଼ିବା ପାଇଁ କସରତ ଚାଲିଥିଲା। ହଠାତ୍ ବିଚ୍ଛେଦ ଏବଂ ପରସ୍ପର ବିରୋଧରେ ବିଷୋଦ୍‌ଗାର!
-ଆଗରୁ କହିଛି, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଗୋଟିଏ ଭଲପାଇବା ଅଛି। ସେଇଟାକୁ ସମ୍ମାନ ଦେଇ ସେ ଦୁଇଜଣ ରାଜନୀତି ଊର୍ଧ୍ବକୁ ଯାଇ ଚିନ୍ତା କରିଥିଲେ, ଦେଶ ଓ ରାଜ୍ୟ ପାଇଁ ମିଶିକି କାମ କରିବେ। ଏଥିରେ ରାଜନୀତି ନଥିଲା।

 ଏ ବିଚାରରେ ତେବେ କିଏ ବାଧକ ସାଜିଲେ?
-ପ୍ରଧାନମନ୍ତ୍ରୀଙ୍କର ଉଚ୍ଚକୋଟୀର ଚିନ୍ତାଧାରାକୁ ଏଠାକାର କୁଜି ନେତାମାନେ ବୁଝିପାରିଲେ ନାହିଁ। ଓଡ଼ିଶାର କୁଜି ନେତାମାନେ ପଦପଦବି ଆଶାରେ ଅଛନ୍ତି। ନବୀନବାବୁ ଓଡ଼ିଶାକୁ ଆଉ ଗୋଟିଏ ସ୍ତରକୁ ନେବାପାଇଁ ଚାହିଁଥିଲେ, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କର ବି ସହମତି ଥିଲା।

 ୨୦୧୯ ନିର୍ବାଚନ ବି କେନ୍ଦ୍ର-ରାଜ୍ୟ ବଡ଼ ଲଢ଼େଇର ସାକ୍ଷୀ। କିନ୍ତୁ ନିର୍ବାଚନ ଫଳ ବାହାରିନଥିଲା, ପୂରା ଦେଶ ଦେଖିଲା, ବିମାନବନ୍ଦରରୁ ନବୀନ ଓ ଧର୍ମେନ୍ଦ୍ର ପ୍ରଧାନ ଏକାଠି ବାହାରିଲେ। ଫାଟିଯାଇଥିବା ସଂପର୍କ ଭୋଟ୍ ପରେ ଯୋଡ଼ି ହେବ କି?
-ଆମେ ଏବେ ଯୁଦ୍ଧରେ ଅଛୁ। ସମସ୍ତେ ଆମକୁ ଆକ୍ରମଣ କରୁଛନ୍ତି। ଆମେ ତାଙ୍କୁ ମୁକାବିଲା କରୁଛୁ। ଏଇସମୟରେ ଆମର ଏକମାତ୍ର ଲକ୍ଷ୍ୟ ରହିବ ଯେ କେମିତି ଆମେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା, ଭଲପାଇବାକୁ ଲୋକଙ୍କ ପାଖରେ ପହଞ୍ଚାଇ ତିନି ଚତୁର୍ଥାଂଶ ଆସନ ଜିତିବୁ। ମୁଁ କହିସାରିଛି, ଏ ଲକ୍ଷ୍ୟ ଆମେ ହାସଲ କରିବୁ। ୯ତାରିଖରେ ଶପଥ ନେବୁ।

 ଆମେ େଦଖିଥିଲୁ,‘ଆପଣମାନେ ଖୁସି ତ!’ ଏଇ ଧାଡ଼ିକିଆ ପ୍ରଚାର ୨୦୧୯ରେ ନବୀନଙ୍କୁ ସଫଳତା ଦେଇଥିଲା। ୨୦୨୪ରେ ସେ ପାଞ୍ଚଧାଡ଼ି ଭାଷଣ ରଖି ପ୍ରଚାର କରୁଛନ୍ତି। ହେଲେ ପାଣ୍ଡିଆନ ଗର୍ଜୁଛନ୍ତି। ଏ ରଣନୀତିଟି କଣ। ଦଳର ଅନ୍ୟ ସବୁ ତୁଙ୍ଗ ନେତାଙ୍କ ମୁହଁ ଖୋଲୁନି। କେନ୍ଦ୍ର ସହିତ ଯୋଗାଯୋଗରେ ନାହାନ୍ତି ତ?
-ସେମିତି କିିଛି ବି ନାହିଁ। ଯେହେତୁ ବିରୋଧୀ କେବଳ ମୋତେ ଟାର୍ଗେଟ କରୁଛନ୍ତି, ଏଣୁ କେବଳ ମୁଁ କହିବା ଭଳି ଲାଗୁଛି। କିନ୍ତୁ ଆମର ନେତାମାନେ ଭାଷଣରେ କେନ୍ଦ୍ର ବିରୋଧରେ କହୁଛନ୍ତି।

 ଜୁନ୍ ୪ରେ ବିଜେଡିକୁ କେତେ ସଂଖ୍ୟାଦେବେ, ବିଜେପିକୁ ଓ କଂଗ୍ରେସକୁ କେତେ ଦେବେ?
-ମହାପ୍ରଭୁଙ୍କ ଉପରେ ଛାଡ଼ିଛୁ। ତାଙ୍କ ଆଶୀର୍ବାଦରେ ତିନି ଚତୁର୍ଥାଂଶ ଆସନରେ ଜିତିବୁ ଓ ଲୋକସଭାରେ ଗତଥର ଅପେକ୍ଷା ଅଧିକ ସିଟ୍ ହାସଲ କରିବୁ। ବିଜେପି, କଂଗ୍ରେସ ନିଜ ହିସାବ ଦେବେ।

 ଜୁନ ୯ରେ ଶପଥ ଗ୍ରହଣ ପରେ ଆପଣ ନବୀନଙ୍କଠାରୁ କିଭଳି ପୁରସ୍କାର ଆଶା କରିବେ?
-ମୁଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି, ଥିବି। ମହାପ୍ରଭୁ ଯାହା କରିବା କଥା କରିବେ।
 ଚର୍ଚ୍ଚା ହେଉଛି, ଆପଣ ହିଞ୍ଜିଳିରୁ ଉପନିର୍ବାଚନ ଲଢ଼ିବେ?
ଏସବୁ କଳ୍ପନାଜଲ୍ପନା। ତୁଚ୍ଛା କଥା।
 ଆଗକୁ ବିଧାନସଭାରେ ପାଣ୍ଡିଆନ ବିତର୍କ କରୁଥିବା ଓଡ଼ିଶାବାସୀ ଦେଖିବାକୁ ପାଇବେ ତ? ନା ମୁଖ୍ୟମନ୍ତ୍ରୀ ଆଉ କ’ଣ ପରିଚୟ ତିଆରି କରିବେ, ୫-ଟି ଅଧ୍ୟକ୍ଷ ପଦବି ଭଳି?
-ଏ ନିର୍ବାଚନ ମୁଁ ଲଢୁନି। ଆଶା କରୁଛି ଯେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ପାଦ ପକାଇ ରୂପାନ୍ତର କାମକୁ ଆହୁରି ଆଗକୁ ନେବେ। ଆଉସବୁ ମହାପ୍ରଭୁଙ୍କ ଇଚ୍ଛା।
ହେଲେ, ମୋତେ କିନ୍ତୁ ବହୁତ ଲୋକ ପଚାରନ୍ତି ଯେ ତୋତେ ଏତେ ଆକ୍ରମଣ, ସମାଲୋଚନା ହେଉଛି, ବ୍ୟସ୍ତ ଲାଗୁନି। ମୁଁ ସବୁବେଳେ କହିଛି ଯେ ମୋର ତ କିଛି ନିଜସ୍ବ ସ୍ବାର୍ଥ ନାହିଁ। ମୁଁ କାହିଁକି ବ୍ୟସ୍ତ ହେବି।
 ପାଣ୍ଡିଆନ ରାଜନୀତିକୁ ଆସିବା ପରେ ବାବୁଙ୍କ ଅପେକ୍ଷା ନେତାଙ୍କୁ ନିଶ୍ଚିତ ଗୁରୁତ୍ବ ମିଳିବ। ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲିବ। ଏମିତି କିଛି ହେବ ନା ହେବନି?
-ସବୁ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଚେଷ୍ଟା କରନ୍ତି। ଆଗକୁ ନୂଆ କଥା ଆପଣମାନେ ଦେଖିବେ।
 ପ୍ରଥମ ତିନିଟି ଇସ୍ତାହାର ନିଷ୍ପତ୍ତିର କାର୍ଯ୍ୟାନ୍ବୟନ ପରେ ବଡ଼ ପଦକ୍ଷେପଟି କଣ?
ସେଇଟା ସରପ୍ରାଇଜ୍। ତିନିଟା ତ କୁହାଯାଇଛି। ବିଜେପି ଆଗ ତିନିଟା କହୁ। ସେମାନେ ତ ମୁଖ୍ୟମନ୍ତ୍ରୀ ଚେହେରା ଦେଇପାରୁନାହାନ୍ତି ଏବେ ସୁଦ୍ଧା। ତାଙ୍କୁ ମୁଁ ଅନୁରୋଧ କରିବି, ସେତିକି ତ କରନ୍ତୁ। ସେଇଟା ନ କରି ଏମିତି କରିବୁ, ସୁନ୍ଦର ଲୋକକୁ କରିବୁ ଏମିତିର କିଛି ମାନେ ନାହିଁ। ଏଇଟା ସେ ମୁଭିର ‘କଟ୍ଟାପା’ ଭଳି ହୋଇଗଲାଣି।

 

ସମ୍ବନ୍ଧିତ ଖବର