ଭୁବନେଶ୍ବର : କୋଭିଡ୍ ଲଢ଼େଇରେ ପ୍ରାଣ ହରାଇଥିବା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ବରରେ ସ୍ମାରକୀ ନିର୍ମାଣ କରାଯିବ। କୋଭିଡ୍ ଯୋଦ୍ଧାଙ୍କୁ ସବୁ ସମୟ ପାଇଁ ମନେ ରଖିବା ଲାଗି ରାଜ୍ୟ ସରକାର କରିଥିବା ଏଭଳି ଘୋଷଣାକୁ ଦେଢ଼ ବର୍ଷ ବିତି ଗଲାଣି। ହେଲେ ଏହି ସ୍ମାରକୀ ନିର୍ମାଣ ହେବା ତ ଦୂରର କଥା ପ୍ରକଳ୍ପ କେତେଦୂର ଆଗେଇଛି, ସେସଂପର୍କରେ କାହା ପାଖରେ ସୂଚନା ନାହିଁ। କରୋନା ରାଜ୍ୟରେ ଏବେ ଅନ୍ତିମ ପର୍ଯ୍ୟାୟରେ। ମନେ ହେଉଛି, କୋଭିଡ ସ୍ମାରକୀ ଘୋଷଣା କରି ସମସ୍ତେ ଭୁଲି ଯାଇଛନ୍ତି। ଚର୍ଚ୍ଚା ହେଲାଣି ଯେ କୋଭିଡ୍ ଯୋଦ୍ଧାଙ୍କୁ ଏଭଳି ଢଙ୍ଗରେ ସମ୍ମାନ ଦେଇଛନ୍ତି ରାଜ୍ୟ ସରକାର।
କୋଭିଡ୍ ଭଳି ମହାମାରୀ ଶହେ ବର୍ଷରେ ଥରେ ଆସିଥାଏ। କୋଭିଡ୍କୁ ପରାସ୍ତ କରିବାରେ ଯେଉଁମାନେ ଲଢ଼େଇ କରିଥିଲେ ସେମାନଙ୍କୁ କୋଭିଡ୍ ଯୋଦ୍ଧାଭାବେ ସରକାର ଘୋଷଣା କରିଥିଲା। ପ୍ରମୁଖତାରେ ସ୍ବାସ୍ଥ୍ୟକର୍ମୀ ରହିଥିଲେ। ପୁଲିସ୍, ସ୍ବେଚ୍ଛାସେବୀ, ସାମ୍ବାଦିକମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରାଯାଇଥିଲା। କୋଭିଡ ଯୋଦ୍ଧାଙ୍କ ବଳିଦାନର ପ୍ରତୀକ ସାଜିଥାନ୍ତା ଏହି ସ୍ମାରକୀ। ଘୋଷଣା ସମୟରେ ରାଜ୍ୟରେ ୬୦ରୁ ଅଧିକ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ହୋଇଥିଲା। ୩ଟି ଲହର ପରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ହେବ। ଗତବର୍ଷ ସ୍ବାଧୀନତା ଦିବସରେ ଏହାକୁ ଉଦ୍ଘାଟନ କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଥିଲେ। ବିଜୁ ପଟ୍ଟନାୟକ ପାର୍କଠାରେ ଏହି ସ୍ମାରକୀ ନିର୍ମାଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୂର୍ତ୍ତ ବିଭାଗକୁ ଚିଠି ଲେଖା ଯାଇଥିଲା। ପୂର୍ତ ବିଭାଗ ଏହାର ନକ୍ସା ପ୍ରସ୍ତୁତ କରିବା ପରେ ରାଜ୍ୟ ସରକାର ଏହାର ଅନୁମୋଦନ ଦେବେ ବୋଲି କୁହାଯାଇଥିଲା। ହେଲେ କେଉଁଠି କେମିତି ଏହି ଫାଇଲଟି ଲୁଚିଯାଇଛି।
ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ପୂର୍ତ୍ତ ବିଭାଗକୁ ଏହାର ନିର୍ମାଣ ଦାୟିତ୍ବ ଦିଆଯାଇଛି। ଆମେ ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ(ରାସ୍ତା) ଓ ମୁଖ୍ୟ ଯନ୍ତ୍ରୀ(କୋଠା)ଙ୍କୁ ଯୋଗାଯୋଗ କରିଥିଲୁ। ହେଲେ ସେମାନେ ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି କୌଣସି ପ୍ରସ୍ତାବ ଆସିନାହିଁ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବ କାହା ପାଖରେ ଅଟକିଲା? କୋଭିଡ୍ ଯୋଦ୍ଧାମାନଙ୍କୁ ସରକାର ଭଣ୍ଡେଇ ଦେଲେ କି?