ଆଉ ୧୫ଦିନରେ ଶେଷ ହେବ ବଳକା କରୋନା ମୃତ୍ୟୁ ଅଡିଟ୍

୧୭୦୩ ପଜିଟିଭ୍, ୬୯ ମୃତ୍ୟୁ

ଭୁବନେଶ୍ବର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ହଜାର ତଳକୁ ଖସି ଆସିଲାଣି। ଉପକୂଳ ଜିଲ୍ଲାଗୁଡ଼ିକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲା ଗୁଡ଼ିକରେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ବଳକା କୋଭିଡ୍‌ ମୃତ୍ୟୁ ଘୋଷଣା କରାଯାଉଥିବାରୁ ଦୈନିକ କୋଭିଡ୍‌ ମୃତ୍ୟୁ ୬୦ ଉପରେ ଦେଖିବାକୁ ମିଳୁଛି। ଚଳିତମାସ ପ୍ରଥମ ସପ୍ତାହରୁ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଆରମ୍ଭ ହୋଇଥିବା ବେଳେ ତାହା ଏବେ ବି ଜାରି ରହିଛି। ତେବେ ରାଜ୍ୟରେ ଯେଉଁ ବଳକା କୋଭିଡ୍‌ ମୃତ୍ୟୁର ଘୋଷଣା ବାକି ରହିଛି ତାହା ଶେଷ ହେବା ପାଇଁ ଆହୁରି ୧୦-୧୫ଦିନ ଲାଗିପାରେ। ଡିଏମ୍ଇଟି ପ୍ରଫେସର ଡା. ସିବିକେ ମହାନ୍ତି ଆଜି ଗଣମଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ପ୍ରଫେସର ମହାନ୍ତି କହିଛନ୍ତି ଯେ କରୋନା ମୃତ୍ୟୁର ଅଡିଟ ପରେ ତଥ୍ୟ ଘୋଷଣା କରାଯାଉଛି। ଯେହେତୁ ମୃତକଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଘୋଷଣା ହୋଇଛି ତେଣୁ ସବୁ ଦିଗକୁ ଅନୁଧ୍ୟାନ କରି ଅଡିଟ ରିପୋର୍ଟ ଦିଆଯାଉଛି। ଆସନ୍ତା ୧୦-୧୫ଦିନ ଭିତରେ ବଳକା କୋଭିଡ୍‌ ମୃତ୍ୟୁର ଅଡିଟ ଶେଷ ହେବ। ରାଜ୍ୟର କିଛି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ଉପରେ ରହିଛି। କୋଭଡ୍‌ ଗାଇଡଲାଇନ୍‌ର ଅନୁପାଳନ, ସଂକ୍ରମଣ ହାର, କେସ୍ ଲୋଡ୍‌ ଦେଖି ଅନ୍‌ଲକ ସଂପର୍କରେ ନିଷ୍ପତ୍ତି ନିଆଯିବ। ରାଜ୍ୟରେ ଆଉ କିଛିଦିନ କଟକଣା ରହିବା ଉଚିତ୍। ଯେହେତୁ ଲୋକମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ଠିକ୍ ଭାବେ ପାଳନ କରୁ ନାହାନ୍ତି ତେଣୁ କିଛି କଟକଣା ରହିବା ଦରକାର। ଅପରପକ୍ଷରେ ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନାର ଦ୍ବିତୀୟ ଲହର ଶେଷ ହୋଇନାହିଁ। ତୃତୀୟ ଲହରକୁ ନେଇ ଆଲୋଚନା ଜାରି ରହିଛି। ନିର୍ଦ୍ଦିଷ୍ଟ ଭାବେ କେବେ ତୃତୀୟ ଲହର ଆସିବ ତାହା ଏବେ ବି ରହସ୍ୟ ଭିତରେ ରହିଛି। ସ୍ବାସ୍ଥ୍ୟ ନିର୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ଅଗଷ୍ଟ-ଅକ୍ଟୋବର ଭିତରେ ତୃତୀୟ ଲହର ଆସିବ ବୋଲି ଅନୁମାନ କରାଯାଉଛି। ଏବେ ବି ରାଜ୍ୟରେ ଦ୍ବିତୀୟ ଲହର ଜାରି ରହିଛି। ଖୋର୍ଧା ଓ କଟକରେ ସଂକ୍ରମଣ ୩ ଅଙ୍କରେ ରହିଛି। ‌ଯେହେତୁ ଏଠାକୁ ଅଧିକ ଲୋକ ଯିବାଆସିବା କରୁଛନ୍ତି ସେଥିପାଇଁ ସଂକ୍ରମଣ ଅଧିକ ରହୁଛି। ତୃତୀୟ ଲହର ପାଇଁ ରାଜ୍ୟରେ ପ୍ରସ୍ତୁତି ଜାରି ରହିଛି। ଜାତୀୟ ରାଜପଥ କଡ଼ରେ ଥିବା ଅଞ୍ଚଳରେ ସଂକ୍ରମଣ ବଢ଼ୁଛି ବୋଲି ଡା. ମହାପାତ୍ର କହିଛନ୍ତି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୭୦୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ରହିଛି ୨.୧୬ ପ୍ରତିଶତ। ମାତ୍ର କେନ୍ଦ୍ରାପଡ଼ାରେ ୫.୪, ପୁରୀ ୪.୮, କଟକ ୪.୧, ଖୋର୍ଧା ଓ ବାଲେଶ୍ବରରେ ସଂକ୍ରମଣ ହାର ୩.୧ ପ୍ରତିଶତ ରହିଛି। ଯାହାକି ରାଜ୍ୟର ସଂକ୍ରମଣ ହାରଠାରୁ ଢେର ଅଧିକ। ଖୋର୍ଧାରେ ସଂକ୍ରମଣ ସାମାନ୍ୟ କିମିଛି। ତଥାପି ଜିଲ୍ଲାରୁ ଆଜି ୩୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସଂକ୍ରମଣ ନ କମିବାକୁ ନେଇ ବରିଷ୍ଠ ଚିକିତ୍ସକ ଡା. ନିରୋଜ ମିଶ୍ର କହିଛନ୍ତି ଯେ କଣ୍ଟେନମେଣ୍ଟ‌, ଲକ୍‌ଡାଉନ୍‌, ସଙ୍ଗରୋଧ ନିୟମ ଠିକ୍ ଭାବେ ପାଳନ ହେଉ ନ ଥିବାରୁ ସଂକ୍ରମଣ କମୁନାହିଁ। ଭୁବନେଶ୍ବରରେ କିଛି କ୍ଲଷ୍ଟରରେ ସଂକ୍ରମଣ ବ୍ୟାପୁଛି। ସହରରେ ଗୋଷ୍ଠୀ ସଂକ୍ରମଣ ହୋଇଥିବାରୁ ସଂକ୍ରମଣ କମିବା ଲାଗି ବିଳମ୍ବ ହେଉଛି। ଦିଲ୍ଲୀ ଓ ମୁମ୍ବାଇରେ ଅଧିକ ସଚେତନତା ସହିତ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଜଲଦି ଘୋଷଣା ହୋଇଥିଲା। ତେଣୁ ସଂକ୍ରମଣ ଶୀଘ୍ର କମିଥିଲା ବୋଲି ଡା. ମିଶ୍ର କହିଛନ୍ତି।

ଖୋର୍ଧାକୁ ବାଦ୍ ଦେଲେ କଟକ ୨୪୦, କେନ୍ଦ୍ରାପଡ଼ା ୧୪୯, ପୁରୀ ୧୩୯, ଯାଜପୁର ୮୫, ବାଲେଶ୍ବର ୮୮, ଭଦ୍ରକ ୭୦, ମୟୂରଭଞ୍ଜ ୬୨, ଅନୁଗୁଳ ୫୯, ଢେଙ୍କାନାଳ ୫୨, ଜଗତସିଂହପୁର ୫୧, ନୟାଗଡ଼ ୪୬, ସୁନ୍ଦଗଡ଼ ୪୩ ଓ ଷ୍ଟେଟ୍‌ ପୁଲରୁ ୭୧ଜଣଙ୍କୁ ଚିହ୍ନଟ କରଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୭୨ହଜାର ୫୧୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୬୯ଜଣ କରୋନାରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଖୋର୍ଧାରୁ ସର୍ବାଧିକ ୧୪, ସୁନ୍ଦରଗଡ଼ ୧୦, ‌ଅନୁଗୁଳ ୯, ଢେଙ୍କାନାଳ ୮, ଝାରସୁଗୁଡ଼ା ୫, ବରଗଡ଼, ପୁରୀ, ସମ୍ବଲପୁରରେ ୪ ଲେଖାଏଁ, କନ୍ଧମାଳ ୩, ବଲାଙ୍ଗୀର ୨, ନୂଆପଡ଼ା, ନୟାଗଡ଼, ମାଲକାନଗିରି, ଜଗତସିଂହପୁର, କଟକ, ଭଦ୍ରକରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୫୭୦୩ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର