ସ୍ଥଳଭାଗ ଛୁଇଁଲା ‘ରେମାଲ’: ପବନର ବେଗ ୧୩୦ କିମି

ଉପକୂଳ ଓଡ଼ିଶାରେ ରାତି ସାରା ବର୍ଷା, ଆଜିଠାରୁ ପୁଣିଥରେ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘‌ରେମାଲ’ ଆଜି ଭୀଷଣ ବାତ୍ୟାର ରୂପ ନେଇ ମଧ୍ୟରାତ୍ରିରେ ବାଂଲାଦେଶ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳକୁ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ପାଖାପାଖି ୧୨୦ କି‌ଲୋମିଟର ରହିଥିବା ଜଣାପଡ଼ିଛି। ଆଜି ରାତି ୮ଟା ୩୦ରେ ‘‌ରେମାଲ’ ସାଗର ଦୀପଠାରୁ ୧୩୦ କିମି, ଖେପୁପରାଠାରୁ ୧୪୦ ଓ ମୋଙ୍ଗଲା(ବାଂଲାଦେଶ)ଠାରୁ ୧୬୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିଲା। ପଶ୍ଚିମବଙ୍ଗ ଉପକୂଳଠାରୁ ୭୦ କିମି ଦୂରରେ ସମୁଦ୍ର ଭିତରେ ଗତି କରିବା ସହିତ ଆହୁରି ଘନୀଭୂତ ହୋଇଥିଲା। ସେତେବେଳେ ପବନର ଘଣ୍ଟା ପ୍ରତି ବେଗ ୧୧୦ରୁ ୧୨୦ କିମି ରହିଥିଲା। ଲ୍ୟାଣ୍ଡଫଲ୍ ପରେ ବାଂଲାଦେଶ ଉପକୂଳ ଓ ସଂଲଗ୍ନ ପଶ୍ଚିମବଙ୍ଗରେ ତାଣ୍ଡବ ରଚିବା ଆରମ୍ଭ କରିଛି। ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ ପବନର ଘଣ୍ଟା ପ୍ରତି ବେଗ ୧୧୦ରୁ ୧୨୦ କିମି ରହିଛି। ସ୍ଥଳ ବିଶେଷରେ ପବନର ବେଗ ୧୩୦ କିମି ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ବାତ୍ୟାକୁ ନେଇ ଆଜି ଦିନତମାମ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଘନ ଘନ ବୈଠକ କରାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥିତିର ସମୀକ୍ଷା କରିଥିଲେ।

ବାତ୍ୟା ପ୍ରଭାବରେ ଉତ୍ତର ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିଛି। ଓଡ଼ିଶା ଉପକୂଳରେ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ଲାଗିରହିବ। ଉତ୍ତର ଓଡ଼ିଶା ଉପକୂଳ ମଧ୍ୟ ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ବନ୍ଦରଗୁଡ଼ିକରେ ତିନି ନମ୍ବର ବିପଦ ସଙ୍କେତ ଜାରି ହୋଇଛି। ଉପକୂଳ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମଧରଣର ବର୍ଷା ଲାଗିରହିଛି। ରାତିରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି। ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା ହେଉଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଯାଜପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରଭାବ ପଡ଼ିଛି। ପବନ ବି ଜାରି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆର୍‌ସି) ବାତ୍ୟା ପ୍ରଭାବିତ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନ‌ିର୍ଦ୍ଦେଶ ଦେଇଥିଲେ। ପାଖାପାଖି ୨୦ ହଜାର ଡଙ୍ଗା ସମୁଦ୍ର ଭିତରକୁ କୂଳକୁ ଫେରି ଆସିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ‘ରେମାଲ’ର ପ୍ରଭାବ ଓଡ଼ିଶା ଉପରେ ପଡୁ ନ ଥିଲେ ମଧ୍ୟ ଉପକୂଳ ଜିଲ୍ଲାଗୁଡିକରେ ବର୍ଷା ହେଉଛି। ସମୁଦ୍ର ଅଶାନ୍ତ ରହିଥିବାରୁ ଉପକୂଳିଆ ଲୋକଙ୍କ ମନରେ ଛନକା ପଶିଛି।

ଆଜି ସକାଳ ୮ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ଜଗତସିଂହପୁରରେ ୩୦.୩ ମିମି ବର୍ଷା ହୋଇଥିବା ବେଳେ ଭଦ୍ରକରେ ୨୫, ପାରାଦୀପରେ ୨୭.୨, ଚାନ୍ଦବାଲିରେ ୨୪.୭, ବାଲେଶ୍ବରରେ ୨୩.୪, ବାରିପଦାରେ ୧୦.୪ ମିମି ବର୍ଷା ହୋଇଛି। କଟକ, ଭୁବନେଶ୍ବର, ପୁରୀ, କେନ୍ଦୁଝର, ତାଳଚେର, ବଲାଙ୍ଗୀର, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ନବରଙ୍ଗପୁର, ଯାଜପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ରାତିରେ ଉତ୍ତର ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ସହ ସଂଲଗ୍ନ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗିରହିଛି। ସେପଟେ ନୂଆପଡ଼ାରେ ଆଜି ରାଜ୍ୟର ସର୍ବାଧିକ ତପେମାତ୍ରା ୪୨.୨ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୪୦.୭, ସମ୍ବଲପୁରରେ ୪୦ ଡିଗ୍ରି ରହିଥିଲା। ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ପୁଣି ବଢ଼ିବା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର