୩ ମାମଲାରେ ବିଧାୟକ ପ୍ରଦୀପଙ୍କ ନାଁରେ ରିମାଣ୍ଡ ଆବେଦନ; ଜବାବସୁଆଲ ଶେ‌ଷ, ୧ରେ ରାୟ

ବ୍ରହ୍ମପୁର : ଟାଟା ମୋଟର୍ସରେ ଚାକିରି ନାଁରେ ଟଙ୍କା ଠକେଇ ନେଇ ଗୋଳନ୍ଥରା ଥାନାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ୩ଟି ମାମଲା ରୁଜୁ ହୋଇଥିଲା। ଏହି ୩ଟି ମାମଲାରେ ତାଙ୍କ ନାମରେ ରିମାଣ୍ଡ ଲଗାଇବା ପାଇଁ ବ୍ରହ୍ମପୁର ପୁଲିସ ପକ୍ଷରୁ କୋର୍ଟରେ ଆବେଦନ ହୋଇଥିଲା। ‌ଆବେଦନର ଶୁଣାଣି କରୁଥିବା ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆଜି ଉଭୟ ପକ୍ଷ ଓକିଲଙ୍କ ଜବାବସୁଆଲ ଶେଷ ହୋଇଛି। ଆସନ୍ତା ୧ତାରିଖରେ ଏହା ଉପରେ କୋର୍ଟ ରାୟ ଦେବେ।

ପୁଲିସର ଆବେଦନକୁ ବିଧାୟକ ପ୍ରଦୀପଙ୍କ ଓକିଲ ଦୀପକ ପଟ୍ଟନାୟକ, କୁମାରକାନ୍ତ ବେହେରା ଓ ଅସିତ ଶତପଥୀ କୋର୍ଟରେ ବିରୋଧ କରିଥିଲେ। ପୁଲିସ କରିଥିବା ରିମାଣ୍ଡ ଆବେଦନର ନକଲ ପ୍ରଦାନ କରିବା ପାଇଁ କୋର୍ଟକୁ ଅନୁରୋଧ କରିଥିଲେ। ଯେହେତୁ ଏହି ୩ଟି ମାମଲାରେ ଜାମିନ୍‌ ପାଇଁ ହାଇକୋର୍ଟରେ ଆବେଦନ କରାଯାଇଛି, ସେଥିପାଇଁ କିଛି ସମୟ ଦିଆଯାଉ। ପୁଲିସର ଏହି ଆବେଦନକୁ ନେଇ ସରକାରୀ ଓକିଲ ଏବଂ ପ୍ରତିପକ୍ଷଙ୍କ ଓକିଲ ମଧ୍ୟରେ ଜବାବସୁଆଲ୍‌ ହୋଇଥିଲା। ଏସ୍‌ଡିଜେଏମ୍‌ ଜିତେନ୍ଦ୍ରୀୟ ପାଣିଗ୍ରାହୀ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିଥିଲେ। ଏହାପରେ ଆସନ୍ତା ୧ତାରିଖରେ ରାୟ ପ୍ରକାଶ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ପ୍ରକାଶ ଥାଉ କି, ଟାଟା ମୋଟର୍ସରେ ଚାକିରି ନାଁରେ ଟଙ୍କା ଠକେଇ ଘଟଣାରେ ବିଧାୟକ ପ୍ରଦୀପଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା। ବର୍ତ୍ତମାନ ସେ ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀ ଭାବେ ରହିଛନ୍ତି। ଏପଟେ ତାଙ୍କ ନାମରେ ଗୋଳନ୍ଥରା ଥାନାରେ ୩ଟି ଠକେଇ ମାମଲା ରୁଜୁ ହୋଇଛି। ଏହି ୩ଟି ମାମଲା (ଜିଆର୍‌-୨୨୨୫/୨୦, ୨୨୬୮/୨୦, ୬୨/୨୧)ରେ ବିଧାୟକ ପ୍ରଦୀପଙ୍କୁ ରିମାଣ୍ଡ ଲଗାଇବା ପାଇଁ ଆଜି ଗୋଳନ୍ଥରା ପୁଲିସ କୋର୍ଟରେ ଆବେଦନ କରିଥିଲା।

ସମ୍ବନ୍ଧିତ ଖବର