ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ : ରିମାଣ୍ଡ ସରିଲା, ଜେଲ୍‌ ଫେରିଲେ ପାଠକ ବାପ-ପୁଅ

ବ୍ରହ୍ମପୁର : ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଘଟଣାରେ ଗିରଫ ହୋଇଥିବା ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ପୁଲିସ ରିମାଣ୍ଡ ଅବଧି ସରିବା ପରେ ଶନିବାର ଉଭୟେ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଫେରିଛନ୍ତି। ଗୋଳନ୍ଥରା ଥାନା ପୁଲିସ ଉଭୟଙ୍କୁ ଗୋଟିଏ ଦିନ ପାଇଁ ରିମାଣ୍ଡରେ ନେଇଥିଲା। ରିମାଣ୍ଡ ଅବଧି ସରିବା ପରେ ଶନିବାର ଉଭୟ ବାପ-ପୁଅଙ୍କୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁଣିଥରେ ସେମାନଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଥିଲା।
ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଘଟଣାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇଛନ୍ତି। ତାଙ୍କ ନାମରେ ଗୋଳନ୍ଥରା ଥାନାରେ ୩ଟି ଠକେଇ ମାମଲା ରୁଜୁ ହୋଇଛି। ଏହି ମାମାଲାରେ ପୁଲିସ ବିଧାୟକଙ୍କୁ ଜଡ଼ିତ କରିସାରିଛି। ଆଇଏଫ୍‌ଏସ୍ ଅଭୟକାନ୍ତ ଓ ପୁଅ ଆକାଶଙ୍କୁ ମଧ୍ୟ ପୁଲିସ ଏହି ମାମଲାରେ ଯୋଡ଼ିଛି। ଗତ ୧୧ତାରିଖରେ ବ୍ରହ୍ମପୁର ପୁଲିସର ଏକ ଟିମ୍‌ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ବର ଯାଇଥିଲା। ଝାରପଡ଼ା ଜେଲ୍‌ରୁ ଉଭୟ ବାପ-ପୁଅଙ୍କୁ ଆଣି ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ଜିଆର୍‌-୨୨୨୫/୨୦ରେ ଉଭୟ ବାପା-ପୁଅଙ୍କୁ ଜଡ଼ିତ କରାଯାଇଥିବା ବେଳେ ଜିଆର୍‌-୬୨/୨୧ରେ କେବଳ ଆକାଶଙ୍କୁ ଜଡ଼ିତ କରାଯାଇଛି। ପାଠକ ବାପ-ପୁଅଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଦୀପକ ପଟ୍ଟନାୟକ, ଅସିତ ଶତପଥୀ ଓ ସୁଜାତା ପାଣିଗ୍ରାହୀ ମକଦ୍ଦମା ପରିଚାଳନା କରିଥିଲେ। ଏହି ଠକେଇ ମାମଲାରେ ଅଧିକ ଜେରା କରିବା ପାଇଁ ଗୋଳନ୍ଥରା ଥାନା ପୁଲିସ ଗତକାଲି ଉଭୟ ବାପ-ପୁଅଙ୍କୁ ରିମାଣ୍ଡରେ ନେଇଥିଲା। ଟଙ୍କା ଠକେଇ ମାମଲାରେ ଉଭୟଙ୍କୁ ପୁଲିସ ବିଭିନ୍ନ ଦିଗ ଉପରେ ଜେରା କରିଥିଲା। ରବିବାର ଦିନ ଉଭୟ ବାପ-ପୁଅଙ୍କୁ ଭୁବନେଶ୍ବର ଝାରପଡ଼ା ଜେଲ୍‌କୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି।
ସମ୍ବନ୍ଧିତ ଖବର