ରିମାଣ୍ଡ୍‌ ସରିଲା, ଜେଲ୍‌କୁ ଫେରିଲେ ସର୍ବେଶ୍ବର

ଭୁବନେଶ୍ବର : ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ହୋଇଥିବା ଠକେଇ ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ସର୍ବେଶ୍ବର ରାଓଙ୍କ ରିମାଣ୍ଡ୍‌ ସରିଛି। ଦୁଇ ଦିନିଆ ରିମାଣ୍ଡ୍‌ରେ ଆଣି କ୍ରାଇମବ୍ରାଞ୍ଚ୍‌ ପଚରାଉଚରା କରିସାରିବା ପରେ ତାଙ୍କୁ ଆଜି କୋର୍ଟରେ ହାଜର କରାଇଥିଲା ଓ ସେଠାରୁ ତାଙ୍କୁ ପୁଣି ଥରେ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଟାଟା ମୋଟର୍ସରେ ଚାକିରି କରାଇ ଦେବାକୁ ଅନେକ ଯୁବକଯୁବତୀଙ୍କଠାରୁ ସର୍ବେଶ୍ବରଙ୍କ ଜରିଆରେ ମୋଟା ଅଙ୍କର ଟଙ୍କା ଅଣାଯାଇଛି। ଅନ୍‌ଲାଇନ୍‌ରେ ଟଙ୍କା କାରବାର ହୋଇନାହିଁ। ଧରାପଡ଼ିବା ଆଶଙ୍କାରେ ନଗଦ କାରବାରକୁ ଗୁରୁତ୍ବ ଦିଆଯାଇଥିଲା ବୋଲି ସର୍ବେଶ୍ବର କ୍ରାଇମ୍‌ବ୍ରାଞ୍ଚକୁ ସୂଚନା ଦେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଚାକିରି ଆଶାୟୀମାନେ ସିଧାସଳଖ ଆକାଶ ପାଠକ କିମ୍ବା ପ୍ରଦୀପଙ୍କ ସହ ଯୋଗାଯୋଗ କରିପାରୁନଥିଲେ। ସର୍ବେଶ୍ବର ଥିଲେ ମଧ୍ୟସ୍ଥି। ସର୍ବେଶ୍ବର ଆଶାୟୀଙ୍କ ବାୟୋଡାଟା ସଂଗ୍ରହ କରି ଆକାଶ ପାଖକୁ ପଠାଉଥିଲେ। ପରେ ସର୍ବେଶ୍ବରଙ୍କ ଜରିଆରେ ଟଙ୍କା କାରବାର ହେଉଥିଲା। ତେଣୁ ସର୍ବେଶ୍ବରଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ କରାଯାଇଛି। କିଏ କେତେ ଟଙ୍କା ଦେଇଛି? କେଉଁ ଆକାଉଣ୍ଟରୁ ଟଙ୍କା ଆସିଛି? ପ୍ରଦୀପ ଓ ଆକାଶଙ୍କୁ କେତେ ଟଙ୍କା ପଠାଯାଇଛି? ଏ ସବୁ ଛାନ୍‌ଭିନ୍‌ କରିଛି କ୍ରାଇମ୍‌ବ୍ରାଞ୍ଚ। ସୂଚନା ମୁତାବକ, ସର୍ବେଶ୍ବର ଇଂରାଜୀ ଅଧ୍ୟାପକ ଭାବରେ ଚାକିରି କଲାବେଳେ ଜାଲିଆତି ଅଭିଯୋଗ ଆସିଥିଲା। ଯୋଗ୍ୟତା ନଥିଲେ ମଧ୍ୟ ଜାଲିଆତି କରି ୟୁଜିସି ସ୍କେଲ୍‌ରେ ଦରମା ପାଇ ଆସୁଥିଲେ। ଏଭଳିଭାବେ ସରକାରଙ୍କୁ ୪୪ ଲକ୍ଷ ଟଙ୍କା ଚୁନ ଲଗାଇଥିବା ଅଡିଟ୍‌ ବେଳେ ଏଜି ଧରିଥିଲେ। କିନ୍ତୁ ପ୍ରଦୀପ ପାଣିଗ୍ରାହୀ ଉଚ୍ଚଶିକ୍ଷା ମନ୍ତ୍ରୀ ହେବା ପରେ ସର୍ବେଶ୍ବରଙ୍କ କେଳେଙ୍କାରୀକୁ ଚାପି ଦେଇଥିଲେ।

ସମ୍ବନ୍ଧିତ ଖବର