ଝାରସୁଗୁଡ଼ା: ସାମ୍ପ୍ରଦାୟିକ ଭେଦଭାବକୁ ନେଇ ସମଗ୍ର ବିଶ୍ବରେ ଅଶାନ୍ତି ଲାଗି ରହିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାରେ ରଥଯାତ୍ରା ସମୟରେ ଦେଖିବାକୁ ମିଳେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଦୃଶ୍ୟ। ଲଖନପୁର ବ୍ଲକ ରେମଣ୍ଡା ଗ୍ରାମରେ ହେଉଥିବା ମହାପ୍ରଭୁଙ୍କ ରଥଯାତ୍ରାରେ ସଦ୍ଭାବନାର ପ୍ରତୀକ ଭାବେ ଗାଁ’ର ମୁସଲମାନ ଗଉନ୍ତିଆ ପରିବାର ବିଗତ ୬ ପିଢ଼ି ଧରି ଛେରାପହଁରା କରି ଆସୁଛନ୍ତି। କେବଳ ଛେରାପହଁରା ନୁହେଁ, ଏହି ନବ ଦିନାତ୍ମକ ଯାତ୍ରାରେ ସେମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀତିକାନ୍ତିରେ ବି ସାମିଲ୍ ହୋଇଥାନ୍ତି। ଏହି ବିରଳ ପରମ୍ପରା ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳୁନଥିବାରୁ ଏହି ଗ୍ରାମକୁ ସଦ୍ଭାବନାର ଶ୍ରୀକ୍ଷେତ୍ର ବୋଲି ମଧ୍ୟ କୁହାଯାଏ। ସେପଟେ, ଅନ୍ୟ ସମସ୍ତ ସ୍ଥାନରେ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ରଥଯାତ୍ରା ହେଉଥିବା ବେଳେ ରେମଣ୍ଡାରେ ପଞ୍ଚମୀ ତିଥିରେ ରଥ ବାହାରି ତ୍ରୟୋଦଶୀ ତିଥିରେ ମନ୍ଦିରକୁ ବାହୁଡ଼ିଥାଏ।
ଲୋକକଥା ଅନୁସାରେ, ୧୮୯୯ ମସିହା ଯାଏ ରେମଣ୍ଡାର ଲୋକେ ରଥଯାତ୍ରା ଦେଖିବାକୁ ନିକଟସ୍ଥ କୁଲସର ଗ୍ରାମକୁ ଯାଉଥିଲେ। କିନ୍ତୁ ମହାନଦୀରେ ବନ୍ୟା ଆସିବା କାରଣରୁ ସେହି ବର୍ଷ କିଛି ଲୋକ ଭାସି ଯାଇଥିଲେ। ସେ ସମୟରେ ରେମଣ୍ଡା ଗ୍ରାମର ଗଉନ୍ତିଆ ଥିଲେ ୱାରିସ୍ ମହମ୍ମଦ। ତାଙ୍କ ପାଖରେ ଗ୍ରାମବାସୀ ପହଞ୍ଚି ନିଜ ଗ୍ରାମରେ ରଥଯାତ୍ରା କରିବାକୁ ଦାବି କରିଥିଲେ। ଫଳରେ ୧୯୦୦ ମସିହାରେ ରେମଣ୍ଡାରେ ରଥଯାତ୍ରା ଆରମ୍ଭ ହୋଇଥିଲା ଓ ଗଉନ୍ତିଆ ୱାରିସ୍ ମହମ୍ମଦଙ୍କୁ ରଥ ଛେରାପହଁରା ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ଗ୍ରାମରେ ଚତୁର୍ଦ୍ଧା ମୂର୍ତ୍ତି ନଥିବାରୁ କୁଲସର ଗ୍ରାମରୁ ମୂର୍ତ୍ତି ଆଣି ରେମଣ୍ଡାରେ ରଥଯାତ୍ରା ହେଉଥିଲା। ସେଇ ବର୍ଷଠାରୁ ରେମଣ୍ଡା ଗ୍ରାମରେ ଏହି ପରମ୍ପରା ନିରବଚ୍ଛିନ୍ନ ଭାବେ ଜାରି ରହିଛି। ୧୯୫୬ ମସିହାରେ ହୀରାକୁଦ ନଦୀବନ୍ଧର ପାଣିରେ କୁଲସର ଗ୍ରାମ ବୁଡ଼ି ଯାଇଥିଲା। ତେଣୁ ନିକଟସ୍ଥ ସୁନାରୀ ଗ୍ରାମରୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି ଆଣି ରଥଯାତ୍ରା କରାଗଲା। ୧୯୯୫ ମସିହାରେ ଗାଁ’ରେ ଏକ ଗୁଡ଼ିଘର ତିଆରି ସହ ବିଗ୍ରହ ସ୍ଥାପନ ହୋଇଥିଲା।
ଗଉନ୍ତିଆ ୱାରିସ୍ ମହମ୍ମଦଙ୍କ ପରେ ତାଙ୍କ ବଂଶଜ ଅଲ୍ଲିଉଲ୍ ମହମ୍ମଦ, ମହମ୍ମଦ ହନିଫ୍, ମହମ୍ମଦ ଖଲିଲ୍, ମହମ୍ମଦ ଜମିଲ୍ ଉଲ୍ଲା ଏହି ଦାୟିତ୍ବ ନିର୍ବାହ କରି ଆସୁଥିଲେ। ୨୦୨୨ ମସିହାରୁ ଗଉନ୍ତିଆ ମହମ୍ମଦ ଅଖ୍ତର ଏହି ଛେରାପହଁରା କରୁଛନ୍ତି। ରଥଯାତ୍ରା ସହିତ ଗାଁ’ରେ ହେଉଥିବା ନୂଆଁଖାଇ, ଭଜନ କୀର୍ତ୍ତନ, ନାମଯଜ୍ଞରେ ଆଦିରେ ବି ଗଉନ୍ତିଆ ପରିବାର ସଦସ୍ୟ ସାମିଲ୍ ହୋଇଥାନ୍ତି। ଏହି ପରମ୍ପରା ହିନ୍ଦୁ-ମୁସଲମାନଙ୍କ ଏକତା ଦୃଷ୍ଟିରୁ ବେଶ୍ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଏହା ଆଗକୁ ବି ଜାରି ରହିବ ବୋଲି ମହମ୍ମଦ ଅଖ୍ତର କହିଛନ୍ତି।