ଧାରା ୩୭୦ ଉଚ୍ଛେଦ : ସବୁଠି ଜୟଗାନ

ଜମ୍ମୁ- କଶ୍ମୀରରୁ ସମ୍ବିଧାନର ଧାରା ୩୭୦ର ଉଚ୍ଛେଦ ପରେ ଭାବବିହ୍ବଳ ହୋଇଉଠିଛନ୍ତି ଦେଶବାସୀ। ସବୁଠି ଶୁଭୁଛି ଅଖଣ୍ଡ ଭାରତର ଜୟଗାନ। କେନ୍ଦ୍ର ସରକାରଙ୍କ ଏହି ଐତିହାସିକ ପଦକ୍ଷେପ ରାଷ୍ଟ୍ରୀୟ ଏକତାକୁ ମଜବୁତ କରିବାରେ ସହାୟକ ହେବ ବୋଲି କହିଛନ୍ତି। ଯେଉଁମାନେ ବି ବିରୋଧ କରିଛନ୍ତି, ସେମାନଙ୍କର ମଧ୍ୟ କିଛି ବଳିଷ୍ଠ ଯୁକ୍ତି ରହିଥାଇପାରେ। ତେବେ ଅଧିକାଂଶ ୩୭୦ ଧାରା ଉଚ୍ଛେଦକୁ ନେଇ ପ୍ରଶଂସାରେ ଶତମୁଖ ହୋଇ ଉଠିଛନ୍ତି। ଏ ସମ୍ପର୍କରେ ‘ସମ୍ବାଦ’କୁ ଯିଏ ଯାହା କୁହନ୍ତି….।

ଆଜିର ଏହି ଐତିହାସିକ ନିର୍ଣ୍ଣୟ ଏକ ଦେଶ, ଏକ ଆଇନ, ଏକ ମୁଖ୍ୟ, ଏକ ଚିହ୍ନ ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ପରମପୂଜ୍ୟ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ଏବଂ ଦେଶକୁ ଯୋଡ଼ି ରଖିବା ପାଇଁ ବର୍ଷ ବର୍ଷ ଧରି ଜମ୍ମୁ କଶ୍ମୀରରେ ବଳିଦାନ ଦେଇଥିବା ଅଗଣିତ ଭୂମିପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ

ଯେଉଁ ସମସ୍ୟାର ସମାଧାନ ୭୦ ବର୍ଷ ଧରି ହୋଇପାରିନଥିଲା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କରି ଦେଖାଇଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ପରେ କଶ୍ମୀରରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣ ହେବା ସହ ସେଠାକାର ଯୁବକଯୁବତୀଙ୍କୁ କର୍ମସଂସ୍ଥାନ ମିଳିବ। ବିଶେଷକରି ଲଦାଖ୍ ଅଞ୍ଚଳ କେନ୍ଦ୍ରଶାସିତ ଘୋଷଣା ହେବା ପରେ ସେଠାକୁ କେନ୍ଦ୍ର ସରକାରଙ୍କ ଶତପ୍ରତିଶତ ଅର୍ଥ ପହଞ୍ଚିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟ ବିଜେପି ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଛି।
ପ୍ରଦୀପ୍ତ ନାୟକ, ବିରୋଧୀ ଦଳ ନେତା

କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ପାଇଁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରି ସମ୍ବିଧାନକୁ ଉଲ୍ଲଘଂନ କରିଛନ୍ତି। ବହୁ ଲୋକଙ୍କ ସମର୍ଥନ ପାଇବା ପରେ ମୋଦୀ ସରକାରଙ୍କ ଅହଂ ଭାବ ବଢ଼ିଯାଇଥିବା ଏଥିରୁ ସ୍ପଷ୍ଟ ହୋଇଛି। ସ୍ବାଧୀନତା ପରବର୍ତ୍ତୀ ସ୍ବତନ୍ତ୍ର ପ୍ରଦେଶଗୁଡ଼ିକ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହେବା ପାଇଁ ବହୁ କଷଣ କରିବାକୁ ପଡ଼ିଥିଲା। ଚୁକ୍ତି ବଳରେ କଶ୍ମୀର ପାଇଁ ସମ୍ବିଧାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏବେ କେନ୍ଦ୍ର ସରକାର ଯେପରି ଏକଚାଟିଆ ଭାବେ ନିଷ୍ପତ୍ତି ନେଇଛନ୍ତି। ଫଳରେ, କଶ୍ମୀରରେ ଜନ ବିଦ୍ରୋହ ଉଠିପାରେ। ବୁଡ଼ିଗଲା ଲୋକ ତଳକୁ ଯିବାଭଳି ନ୍ୟାୟରେ ଏପରି କରି କେନ୍ଦ୍ର ସରକାର ଅଦୂରଦର୍ଶିତାର ପରିଚୟ ଦେଇଛନ୍ତି। ଏହା ମରଣକାଳେ ବିପରୀତ ବୁଦ୍ଧି ପରି ସମାନ୍। ଏହି ପ୍ରସଙ୍ଗରେ ବିଜେଡି କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବା ଦୁର୍ଭାଗ୍ୟଜନକ।
ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା

ଏମିତି ବହୁ ପୂର୍ବରୁ ହେବାର ଥିଲା। କଶ୍ମୀର ଯଦି ଭାରତର ଗୋଟିଏ ଅବିଚ୍ଛେଦ୍ୟ ଅଙ୍ଗ, ତେବେ ଭାରତୀୟ ସମ୍ବିଧାନର ଆଇନ କାହିଁକ ସେଠାରେ ଲାଗୁ ହେବନି? କଶ୍ମୀରରେ ମୁସଲମାନମାନେ ସଂଖ୍ୟାଗରିଷ୍ଠ। ହେଲେ ସେଠାରେ ରହୁଥିବା ଭାରତୀୟ ସଂଖ୍ୟାଲଘୁମାନେ ଯେଉଁ ସାହାଯ୍ୟ ପାଉଥିଲେ, ମୁସଲମାନେ ମଧ୍ୟ ସେହି ସାହାଯ୍ୟ ପାଇଛନ୍ତି। ଭାରତର ଅନ୍ୟ ରାଜ୍ୟର ନାଗରିକମାନେ କଶ୍ମୀରରେ ଜାଗା କିଣିପାରିବେ ନାହିଁ। ଯେତେବେଳେ କି କଶ୍ମୀରର ଜଣେ ନାଗରିକ ଭାରତର ଅନ୍ୟ ‌‌ଯେକୌଣସି ଜାଗାରେ ଜମି କିଣିପାରିବ ବା ପାଠ ପଢ଼ିପାରିବ। ତେଣୁ ଏସବୁ ଦୃଷ୍ଟିକୋଣରୁ ପ୍ରଧାନମନ୍ତ୍ରୀ ୩୭୦ ଧାରା ଉଚ୍ଛେଦ ପରି ପଦକ୍ଷେପ ନେଇଥିବାରୁ ତାଙ୍କୁ ଅଶେଷ ଧନ୍ୟବାଦ।
ଐରଖାରବେଳ ସ୍ବାଇଁ, ପୂର୍ବତନ ସାଂସଦ, ବାଲେଶ୍ବର

ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତ ଉପରେ ଅନ୍ତର୍ଜାତୀୟ ଚାପ ବଢ଼ିବ। ବିଶେଷକରି ଆମେରିକା, ଚୀନ୍, ଇଂଲଣ୍ଡ, ପାକିସ୍ତାନ ଓ ଋଷିଆର ଚାପ ପଡ଼ିବ। ଏହି ଚାପକୁ ଭାରତ କିଭଳି ମୁକାବିଲା କରିବ, ତାହା ଦେଖିବାକୁ ବାକି ରହିଲା। ଏହାଛଡ଼ା କଶ୍ମୀର ଭିତରେ ମଧ୍ୟ ଅସ୍ଥିରତା ଲାଗି ରହିବ। ଏହି ସବୁ ସମସ୍ୟାର ସମାଧାନ କରିପାରିଲେ ଆଜି ଯେଉଁ ପଦକ୍ଷେପ ନିଆଯାଇଛି ତାହାର ଲକ୍ଷ୍ୟ ପୂରଣ ହୋଇପାରିବ।
ବିପିନ୍ ବିହାରୀ ମିଶ୍ର, ପୂର୍ବତନ ପୁଲିସ ମହାନିର୍ଦେଶକ

ମହାନ ଭାରତରେ ଜମ୍ମୁ ଓ କଶ୍ମୀରର ସ୍ଥାନ ସ୍ବତନ୍ତ୍ର। ୧୯୪୯ ମସିହାରେ ସ୍ବାଧୀନ ଭାରତର ଐତିହାସିକ ମିଶ୍ରଣ ପ୍ରକ୍ରିୟାରେ ୩୭୦ ଧାରା ଜରିଆରେ ଜମ୍ମୁ ଓ କଶ୍ମୀରକୁ ସ୍ବତନ୍ତ୍ର ମର୍ଯ୍ୟାଦା ଓ ଅଧିକାର ଦିଆଯାଇଥିଲା। ସଂଖ୍ୟା ଗରିଷ୍ଠତାର ପାଶବିକ ଶକ୍ତି ବଳରେ ଏହାକୁ ପ୍ରତ୍ୟାହାର କରି ରାଜ୍ୟକୁ ବିଭାଜନ କରି କେନ୍ଦ୍ରଶାସିତ ରାଜ୍ୟରେ ପରିଣତ କରିବା ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଅଗଣତାନ୍ତ୍ରିକ ପଦକ୍ଷେପ। ଏହା ଆମ ଦେଶ ଓ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ।
ଦିବାକର ନାୟକ, ଜାତୀୟ କାର୍ଯ୍ୟକାରୀ ସଭ୍ୟ, ସିପିଆଇ

ଧାରା ୩୭୦ ଏକ ଐତିହାସିକ ଭୁଲ୍। ଆମେ ଜମ୍ମୁ ଓ କଶ୍ମୀରକୁ ନିଜର ଅଭିନ୍ନ ଅଙ୍ଗ ବୋଲି କହୁଥିବା ବେଳେ ଦୁଇଟି ସମ୍ବିଧାନ, ଚିହ୍ନ ଓ ଦୁଇଟି ପ୍ରଧାନ ବ୍ୟବସ୍ଥା ଥିଲା। ମାତ୍ର ଆଜି ଧାରା ୩୭୦ ଓ ଧାରା ୩୫(ଏ) ଉଚ୍ଛେଦ ହେବା ପରେ ଜମ୍ମୁ ଓ କଶ୍ମୀର ଦେଶର ମୁଖ୍ୟଧାରାରେ ସାମିଲ ହେବ। ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଏଥିରେ ଉପ-ରାଜ୍ୟପାଳ ନିଯୁକ୍ତ ହେବେ। ତାଙ୍କ ଜରିଆରେ କାର୍ଯ୍ୟ ଆଗେଇବ। ଫଳରେ କେନ୍ଦ୍ର ସରକାରଙ୍କ କ୍ଷମତା ବଢ଼ିବ। ସଂସଦରେ ଯେଉଁ ଆଇନଗୁଡ଼ିକ ପାରିତ ହେଉଛି ଜମ୍ମୁ ଓ କଶ୍ମୀରରେ ସେସବୁ ପାରିତ ହେବ। ଜମ୍ମୁ ଓ କଶ୍ମୀରରେ ଯେଉଁସବୁ ଆର୍ଥିକ ଅନିୟମିତା ହେଉଥିଲା ତାହାର ଯାଞ୍ଚ କରିବାରେ ସମସ୍ୟା ଉପୁଜୁଥିଲା। ସେଠାରେ କିଛି ରାଜନୈତିକ ପରିବାର ଲାଭବାନ ହେଉଥିଲେ। ମାତ୍ର ଏହି ନୂଆ ଆଇନ ଫଳରେ ସମସ୍ତ ନାଗରିକମାନେ ଲାଭବାନ ‌ହେବେ। କଶ୍ମୀର ମାମଲା ଜାତିସଂଘରେ ଚାଲିଥିବା ବ‌େଳେ ପାକିସ୍ତାନ ଏହାର ଆଶ୍ରୟ ନେଇପାରେ। ତେବେ ଏହାର ଫଳାଫଳ କ’ଣ ହେବ ଓ କେନ୍ଦ୍ର ସରକାର କିଭଳି ଏହାକୁ ସାମ୍ନା କରିବେ ତାହା ପରବର୍ତୀ ସମୟରେ ଜଣାପଡ଼ିବ।
କର୍ଣ୍ଣେଲ(ଅ) ଶରତ ମହାପାତ୍ର

ପୂର୍ବରୁ ଧାରା ୩୭୦ ଓ ଧାରା ୩୫(ଏ) ଯୋଗୁଁ ଜମ୍ମୁ ଓ କଶ୍ମୀର ମୂଳ ଭାରତରୁ ଅଲଗା ରହୁଥିଲା। ଜମ୍ମୁ ଓ କଶ୍ମୀରର ଅଲଗା ସମ୍ବିଧାନ ଓ ପତାକା ରହିଥିଲା। ସେଠାରେ ଥିବା ରାଜନୈତିକ ଦଳମାନେ ଏହାର ଫାଇଦା ନେଉଥିଲେ। ଏହାର ଉଚ୍ଛେଦ ହେବା ଫଳରେ କଶ୍ମୀରର ବିକାଶ ହୋଇପାରିବ। ଧାରା ୩୫(ଏ) ଯୋଗୁଁ ସେଠାରେ କେହି ଜାଗା କିଣୁ ପାରୁ ନଥିଲେ କି କୌଣସି କମ୍ପାନି ପ୍ରତିଷ୍ଠା ହୋଇପାରୁ ନଥିଲା। ମାତ୍ର ଏବେ କଶ୍ମୀରର ସାମାଜିକ ଓ ଅର୍ଥନ‌ୈତିକ ବିକାଶ ହୋଇପାରିବ। ଏହାସହ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି କଶ୍ମୀରର ଯେଉଁସବୁ ଅଞ୍ଚଳକୁ ନେଇ ବିବାଦ ‌ରହିଛି, ଏବେ ବାହାରୁ ଲୋକମାନେ ସେଠାରେ ରହିବା ଫଳରେ ଏକ ସାମାଜିକ ମିଶ୍ରଣ ପ୍ରତିଷ୍ଠା ହେବ। ଫଳରେ ଆତଙ୍କବାଦୀ ସଂଖ୍ୟା ଧୀରେ ଧୀରେ କମିବ। ଲଦାଖ ଲୋକଙ୍କ ବହୁ ଦିନରୁ ଅଲଗା ପାଇଁ ଦାବି ରହିଥିଲା। ମାତ୍ର ରାଜନୈତିକ ଇଚ୍ଛାଶକ୍ତି ଅଭାବ ଯୋଗୁଁ ତାହା ହୋଇପାରୁ ନଥିଲା। ମାତ୍ର ଏବେ ସେଠାର ଲୋକମାନେ ମଧ୍ୟ ବିକାଶ ଧାରାରେ ସାମିଲ ହୋଇପାରିବେ। କହିବାକୁ ଗଲେ ଏକ ନୂଆ କଶ୍ମୀରର ଗଠନ ହେବ।
ଅମରେନ୍ଦ୍ର ରାଉତ, ପୂର୍ବତନ ନୌସେନା ଅଧିକାରୀ

ସଂସଦରେ ଅଧି‌ବେଶନ ଚାଲିଥିବା ବେଳେ ବ୍ୟାପକ ଆଲୋଚନା ନ କରି ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ଠିକ୍‌ ହୋଇନାହିଁ। କଶ୍ମୀରର ଜନପ୍ରତିନିଧି, ଜନସାଧାରଣଙ୍କ ସହ ମଧ୍ୟ ଆଲୋଚନା କରିବାର ଆବଶ୍ୟକତା ଥିଲା। ଏଭଳି ଦୂରଦୃଷ୍ଟି ଅଭାବରୁ ଆଗକୁ ପରିସ୍ଥିତ ଖରାପ ହୋଇପାରେ। ଦକ୍ଷିଣ ଏସିଆରେ ଉତ୍ତେଜନା ବଢ଼ିବ। କଶ୍ମୀର ଲୋକଙ୍କୁ ମାନସିକ ଭାବେ ଭାରତୀୟ ଚେତନା ଓ ଅସ୍ମିତାଠାରୁ ଦୂ‌‌ରେଇ ଦେଇପାରେ। କଶ୍ମୀରର ଇତିହାସ, ଭୂଗୋଳ,, ରାଜନୀତି, ସଂସ୍କୃତି ଯାହା ତାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାର ଆବଶ୍ୟକ ରହିଛି। ଆଲୋଚନା ନକରି ଏଭଳି ପଦକ୍ଷେପ ନେବା ଗ୍ରହଣ ଯୋଗ୍ୟ ନୁହେଁ।
ଡ. ମାନସ ବେହେରା, ବିଭାଗୀୟ ମୁଖ୍ୟ, ରାଜନୀତି ବିଜ୍ଞାନ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ

ଅଖଣ୍ଡ ଭାରତ ନିର୍ମାଣର ସ୍ବପ୍ନ ଦିଗରେ ଆମେ ଆଜି ଆଉ ଏକ ପାଦ ଆଗକୁ ବଢ଼ିଛେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏଭଳି ନିଷ୍ପତ୍ତି ଇତିହାସ ମନେ ରଖିବ। ପିଲାମାନେ ଏହି କଥା ଇତିହାସ ବହିରୁ ପାଇବେ। ଆଜି ଆଉ କଶ୍ମୀରବାସୀ ଅଲଗା ନୁହନ୍ତି, ସେମାନେ ସମ୍ପୂର୍ଣ୍ଣ ଭାବେ ଭାରତୀୟ ହୋଇଯାଇଛନ୍ତି। କଶ୍ମୀରରେ ଆଉ ଅଲଗା ପତକା ବି ଉଡ଼ିବନି। ଫର୍‌ ଫର୍‌ ହୋଇ ଆମ ତ୍ରିରଙ୍ଗା ଉଡ଼ିବ। ଯାହା ତଳେ ଆମେ ସମାନ ଅଧିକାର ନେଇ ବଞ୍ଚିବା। ଆଉ ବିଭକ୍ତୀକାଣ କି ବିଚ୍ଛିନ୍ନ ଚିନ୍ତାଧାରା ରହିବ ନାହିଁ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଭାରତ ପାଇଁ ସୁଖଦ ଓ ସମୃଦ୍ଧ ହେବ।
ଜୟଶ୍ରୀ ମହାପାତ୍ର, ନିର୍ଦ୍ଦେଶିକା, ଓମେନ୍‌ ଲିଗାଲ୍‌ ସେଲ୍‌(ସମ୍ପର୍କ ଓ ସମାଧାନ)

ଦେଶ ସ୍ବାଧୀନ ହେବାର ଏତେ ବର୍ଷ ପରେ ଆଜି ଭାରତ ଏକ ହୋଇଛି। ଗୋଟିଏ ଦେଶ ଗୋଟିଏ ସମ୍ବିଧାନର ମୂଳଦୁଆ ଆଜି ପଡ଼ିଛି। ଏଣୁ ଆଜିର ଦିନଟି ନିଶ୍ଚିତ ଭାବେ ଉତ୍ସବ ମନାଇବାର ଦିନ। ଦେଶ ଭିତରେ ରହି ଆଉ କେହି ଆମ ତ୍ରିରଙ୍ଗାର ଅପମାନ କରିପାରିବେନି। ଦେଶର କୌଣସି ସ୍ଥାନରେ ଅଲଗା ଧ୍ବଜା ଉଡ଼ିବ ନାହିଁ। ଭାରତ ଅଖଣ୍ଡତ୍ବର ମୂକସାକ୍ଷୀ ହୋଇ ସବୁଠି ଆମ ତ୍ରିରଙ୍ଗା ଉଡ଼ିବ। କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଏଯାଏଁ ଏହା କଥାରେ କୁହାଯାଉଥିଲା। କିନ୍ତୁ ଆଜିଠାରୁ ଏହି କଥା ଆଉ ଖାଲି କଥାରେ ରହିବନି ସତ ବୋଲି ପ୍ରମାଣ ହେବ।
ଗିରିଜା ଶଙ୍କର ଜେନା, ଆଇନ ଛାତ୍ର

ଏହା ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ। ବିଗତ ୭୨ ବର୍ଷ ଧରି ପ୍ରତୀକ୍ଷାର ଅନ୍ତ ଘଟିଛି। ଦେଶର ସୁରକ୍ଷା, ଅଖଣ୍ଡତା, ସାର୍ବଭୌମତା ସୁନିଶ୍ଚିତ କରିବା ପାଇଁ ଏହା ଏକ ବାସ୍ତବବାଦୀ ଓ ସମୟାନୁ‌ପଯୋଗୀ ଚିନ୍ତାଧାରା। ଏକକ ସମ୍ବିଧାନ ଏବଂ ଏକକ ନାଗରିକତ୍ବ କଶ୍ମୀର ସମସ୍ୟାର ଚିରସ୍ଥାୟୀ ସମାଧାନ କରିବାରେ ନିଶ୍ଚିତ ସଫଳ ହେବ। ଏଭଳି ପଦକ୍ଷେପ ଦ୍ବାରା କଶ୍ମୀର ଉପତ୍ୟକାରେ ଶାନ୍ତି ବଜାୟ ରହିବା ସହ ଅନୁପ୍ରବେଶକାରୀଙ୍କ ଉପରେ ରୋକ୍‌ ଲଗା ଯାଇପାରିବ। ଖାଲି ସେତିକି ନୁହେଁ, ଦେଶ ଉପରୁ ଆର୍ଥିକ ବୋଝ କମିବା ସହ ଆତଙ୍କବାଦୀ ସମସ୍ୟାରୁ ମୁକ୍ତି ମିଳିବ।
ସନ୍ଦୀପ ଅମୀୟ ରଂଜନ, ଆଇନ ଛାତ୍ର, ଉତ୍କଳ ବିଶ୍ବବିଦ୍ୟାଳୟ

କେନ୍ଦ୍ରର ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଧାରା ୩୭୦ ଓ ୩୫(କ) ଉଚ୍ଛେଦ ଦ୍ବାରା ଭାରତର ଅଖଣ୍ଡତା ତା’ର ପ୍ରକୃତ ସ୍ବରୂପ ପାଇଛି। ଏଭଳି ଏକ ଐତିହାସିକ ପଦକ୍ଷେପ ଦ୍ବାରା ‘ଏକ ରାଷ୍ଟ୍ର, ଏକ ସମ୍ବିଧାନ’ ସ୍ବପ୍ନ ଆଜି ସାକାର ହୋଇଛି। ଏହାଛଡ଼ା ସ୍ବତନ୍ତ୍ର ଦୁଇଟି କେନ୍ଦ୍ରସାଶିତ ଅଞ୍ଚଳ ଘୋଷଣା ଦ୍ବାରା ଜାମ୍ମୁ ଓ କଶ୍ମୀର ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଭିବୃଦ୍ଧିରେ ସହାୟକ ହେବ।
ଅମ୍ବରୀଶ ଲଡ଼ୁମଙ୍ଗରାଜ, ଆଇନ ଛାତ୍ର, ଉତ୍କଳ ବିଶ୍ବବିଦ୍ୟାଳୟ
କେନ୍ଦ୍ର ସରକାରଙ୍କ ଏଭଳି ସାହସିକ ପଦକ୍ଷେପ ଭାରତବାସୀଙ୍କ ହୃଦୟ ଜିତିଛି। ଏହାଦ୍ବାରା ଏକ ସମ୍ବିଧାନ ଓ ଏକ ନାଗରିକତ୍ବ ବଜାୟ ରହିବ। ଅପରପକ୍ଷେ ଜାମ୍ମୁ ଓ କଶ୍ମୀରବାସୀଙ୍କ ମୂଳ ସମ୍ୟାର ସମାଧାନର ବାଟ ଖୋଲିଛି। ଖାଲି ସେତିକି ନୁ‌ହେଁ, ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ସମସ୍ୟାର ସମାଧାନ ହେବା ସହ ଆର୍ଥିକ ସମସ୍ୟା ଓ ବେକାରୀ ସମସ୍ୟା ଦୂର ହୋଇଯିବ। ଆଗରୁ ଜମ୍ମୁ ଓ କଶ୍ମୀରକୁ ଭାରତର ଯେଉଁ ଅବିଛେଦ୍ୟ ଅଙ୍ଗ ବୋଲି କୁହାଯାଉଥିଲା, ତାହା ଆଜି ବାସ୍ତବରୂପ ପାଇଛି।
ଅବିନାଶ ସିଂ, ଆଇନଜୀବୀ

ସମ୍ବନ୍ଧିତ ଖବର