ମନେପଡ଼େ ସେଦିନର ଅଗଷ୍ଟ ୧୫: ସଂଗ୍ରାମ ବିନା ମୁକ୍ତି ସମ୍ଭବ ନଥିଲା

ପୁ‌ରୀ/କାକଟପୁର : ସଂଗ୍ରାମ ବିନା ମୁକ୍ତି ନାହିଁ। ଅନ୍ତତଃ ସ୍ବାଧୀନତା ପ୍ରାପ୍ତି ପାଇଁ ଏ କଥାଟି ସୋମନାଥଙ୍କ ମନରେ ବସା ବାନ୍ଧି ସାରିଥିଲା। ସ୍କୁଲ୍‌ରେ ପଢ଼ିବା ବେଳେ କଂଗ୍ରେସ ନେତାମାନଙ୍କ ଭାଷଣ ଶୁଣିଶୁଣି ତାଙ୍କ ମନରେ ବି ବିଦ୍ରୋହର ନିଆଁ ଲାଗିସାରିଥିଲା। ସେ ବି ଅନ୍ୟ ସଂଗ୍ରାମୀଙ୍କ ଭଳି ବାରମ୍ବାର ବନ୍ଦୀ ଜୀବନ କାଟିଲେ। କିନ୍ତୁ ସଂଗ୍ରାମ ଛାଡ଼ିଲେ ନାହିଁ। ଶେଷରେ ୧୯୪୭ ଅଗଷ୍ଟ ୧୪ ତାରିଖରେ ସେ ଭାରତ ସ୍ବାଧୀନ ହେଉଥିବାର ଆଭାସ ପାଇଥିଲେ। ଅଗଷ୍ଟ ୧୫ ଦିନ ସମଗ୍ର ଭାରତ ବର୍ଷ ସ୍ବାଧୀନତା ଦିବସ ପାଳୁଥିବା ବ‌େଳେ ସେ ମଧ୍ୟ ପିଲାଙ୍କ ସହ ମିଶି ପତାକା ଉଡ଼ାଇ ଗାଁ’କୁ ଗାଁ ବୁଲିଥିଲେ। କୀର୍ତ୍ତନିଆମାନେ ଖୁସିରେ ନାଚୁଥିଲେ। ଗାଁ’ ଲୋକେ ଭାରତ ମାତା କି ଜୟ ଧ୍ବନୀ ଦେଉଥିଲେ। ସେଦିନର ସେ କଥା ମନେ ପଡ଼ିଲେ ଯେତିକି ଖୁସି ଲାଗେ, ସଂଗ୍ରାମୀମାନଙ୍କ ତ୍ୟାଗ କଥା ମନେ ପଡ଼ିଲେ ସେତିକି କଷ୍ଟ ଲାଗେ ବୋଲି କହିଛନ୍ତି ପୁରୀ ଜିଲ୍ଲା କାକଟପୁର ବ୍ଲକ୍‌ ବାଜପୁରର ସ୍ବାଧୀନତା ସଂଗ୍ରାମୀ ସୋମନାଥ ପାତ୍ର।

୯୮ ବର୍ଷୀୟ ସୋମନାଥ ପାତ୍ର ସେଦିନର ସେଇ ଅବିସ୍ମୃତ ମୁହୂର୍ତ୍ତକୁ ମନେ ପକାଇବା ବେଳେ ତାଙ୍କ ଦେହରେ ଯେମିତି ସେତେବେଳର ସେଇ ସଂଗ୍ରାମୀର ବଳ ଜାଗି ଉଠୁଥିଲା। ଆଜି ସ୍ବାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ହେଲେ ସେଦିନର ସେଇ ସ୍ମୃତି‌ ରୋମନ୍ଥନ କରିବା ବେଳେ ତାଙ୍କ ଭିତରେ ଏକ ଅପୂର୍ବ ଶିହରଣ ଖେଳିଯାଉଛି। ଏମିତି ସମୟ ଆସିଲା, କଂଗ୍ରେସ ନେତାଙ୍କ ସହ‌ ଯୋଗାଯୋଗର ସୂତ୍ର ପାଲଟିଥିଲେ ସୋମନାଥ। କଂଗ୍ରେସ ନେତା ଶ୍ୟାମସୁନ୍ଦର ସ୍ବାଇଁ ଗିରଫ ନହୋଇ ଲୁଚି ରହୁଥିଲେ। ତାଙ୍କ ପାଇଁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ପତ୍ର ଆସିଲା। ଏହାକୁ ପହଞ୍ଚାଇବାର ଦାୟିତ୍ବ ଦିଆଗଲା ସୋମନାଥ ପାତ୍ରଙ୍କୁ। ସେ ଚିଠି ଓ ଖାଦ୍ୟ ନେଇ ଯାଉଥିବା ବ‌େଳେ ପୁଲିସ୍‌ ତାଙ୍କୁ ଅଧାବାଟରେ ଅଟକାଇଲା। ଏହା ପୂର୍ବରୁ ଜାଣିପାରି ସୋମନାଥ ଚିଠିକୁ ଚୋବାଇ ଗିଳି ଦେଇଥିଲେ। ପରେ ସେ ଶ୍ୟାମସୁନ୍ଦରଙ୍କ ନିକଟରେ ଚିଠିରେ ଲେଖାଯାଇଥିବା ବାର୍ତ୍ତା ପହଞ୍ଚାଇଥିଲେ।

ସୋମନାଥ ସ୍କୁଲ୍‌ ଛାତ୍ର ଥିବା ବ‌େ‌ଳେ ଦିନେ ସ୍କୁଲ୍‌ ଶିକ୍ଷକ ବାଳକୃଷ୍ଣ ଦୀକ୍ଷିତ ‌ତାଙ୍କୁ ବାଡ଼େଇଲେ। ତେଣୁ ସେ ନଈକୁ ଡେଇଁ ଆତ୍ମହତ୍ୟା କରିବାକୁ ଦୌଡ଼ିଥିଲେ। ଶିକ୍ଷକଙ୍କ ଦଣ୍ଡ ବିରୋଧରେ ତାଙ୍କର ସଂଗ୍ରାମ ହିଁ ମନ ଭିତରେ ବିଦ୍ରୋହୀକୁ ଜନ୍ମ ଦେଇସାରିଥିଲା। ସବୁ ପିଲାମାନଙ୍କ ମଧ୍ୟରେ ସେ ଥାଆନ୍ତି ମେଳିଆ। ସମ୍ବଲପୁରର କଂଗ୍ରେସ ନେତା ଲକ୍ଷ୍ମୀନାରାୟଣ ମିଶ୍ର ତାଙ୍କ ଘର ସମ୍ମୁଖରେ ଚଉରାରେ ବସି ସ୍ବାଧୀନତା ଆନ୍ଦୋଳନ ସହ ହିନ୍ଦୀ ଭାଷା କହିବା ଓ ଲେଖିବା ଶିଖାଉଥାଆନ୍ତି। ତାଙ୍କ ପ୍ରରୋଚନାରେ ଗାଁ ପରିବେଶ ସଫେଇ କରି ସେ ବାରି ହୋଇ ପଡ଼ୁଥିଲେ। ତେଣୁ ତାଙ୍କୁ କଂଗ୍ରେସର ବାନର ସେନାର ସେନାପତି କରିଦିଆଗଲା। ମହାତ୍ମା ଗାନ୍ଧୀଙ୍କ ଡାକରାରେ ସୂତା କାଟି ନିଜ ହାତ କଟା ସୂତାରେ ଖଣ୍ଡିଏ ଲୁଗା ଓ ଗାମୁଛା ପକାଇ ସ୍କୁଲ୍‌କୁ ଯାଉଥିଲେ। ଦିନେ ପ୍ରଧାନଶିକ୍ଷକ ତାଙ୍କୁ କହିଲେ, ତୁ ଖଦଡ଼ ପିନ୍ଧି ସ୍କୁଲ୍‌କୁ ଆସିଲେ ତୋ ନାଁ କାଟିଦେବି।

ସୋମନାଥ ବିଦ୍ରୋହୀ ହୋଇ ଉଠିଲେ। କହିଲେ ପଢ଼ା ଛାଡ଼ିଦେବି, କିନ୍ତୁ ଖଦଡ଼ ଛାଡ଼ିବି ନାହିଁ। ୧୯୩୬-୩୭ରେ ହୋଇଥିବା ବିଧାନସଭା ନିର୍ବାଚନରେ ବି ସେ ଗ୍ରାମବାସୀଙ୍କ ସହ ମିଶି କଂଗ୍ରେସ ପ୍ରାର୍ଥୀ ନିମାପଡ଼ାର ମୋହନ ଦାସଙ୍କ ପାଇଁ ପ୍ରଚାର କଲେ। ଛାତ୍ରାବସ୍ଥାରେ କଂଗ୍ରେସର ଜଣେ ପ୍ରଚାରକର ଭୂମିକା ତୁଲାଇଥିଲେ। ଜମିଦାରୀ ପ୍ରଥା ବିରୋଧରେ ସଂଗ୍ରାମରେ ସାମିଲ୍‌ ହେବା ସହ ଚାଷୀମାନଙ୍କୁ ଏକତ୍ର କରାଇଥିଲେ। କଂଗ୍ରେସକୁ ଯିଏ ସମର୍ଥନ କରୁଥିଲା ସେ ସେତେବେଳେ ଗିରଫ ହେଉଥିଲା। ସେ ବି ବାରମ୍ବାର ଥାନାକୁ ଯାଉଥିଲେ। ତାଙ୍କ ପିତାମାତା ଥାନାରୁ ଉଦ୍ଧାର କରି ଆଣୁଥିଲେ ବି ପୁଲିସ୍‌ ବିଭିନ୍ନ ଦଫା ଲଗାଇ ପୁଣି ତାଙ୍କୁ ଗିରଫ କରି ଜେଲ୍‌କୁ ପଠାଇ ଦେଉଥିଲାବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର