ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଣ୍ଣ ୟୁନିଟ୍ ଖୋଲିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିବାବେଳେ ତାହା ଏପର୍ଯ୍ୟନ୍ତ ଖୋଲା ଯାଇପାରିନାହିଁ। ପୋଡ଼ାଜଳା ରୋଗୀଙ୍କ ପାଇଁ ଏଠାରେ ଆବଶ୍ୟକ ବେଡ୍ ମଧ୍ୟ ନାହିଁ। ଗୁରୁତର ରୋଗୀଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ବ୍ୟତୀତ ଏଠାରେ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ। ଅନ୍ୟପକ୍ଷରେ ପୋଡ଼ିହୋଇ ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀଙ୍କ ନିମନ୍ତେ ଏଠାରେ ଆଇସିୟୁ ନଥିବାରୁ ଏଭଳି ରୋଗୀଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି।
ସୂଚନା ମୁତାବକ, ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରୁ ବିପୁଳ ରାଜସ୍ବ ଆଦାୟ ହେଉଛି। ଖଣିଖଦାନ ଓ ଶିଳ୍ପରେ ଭରିରହିଥିବା ଏହି ଜିଲ୍ଲା କିନ୍ତୁ ସ୍ବାସ୍ଥ୍ୟ ସୁବିଧା କ୍ଷେତ୍ରରେ ପଛୁଆ। ଗୁରୁତର ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇବା ପାଇଁ ଏଠି ସେଭଳି ସୁବିଧା ନାହିଁ। ବିଶେଷକରି ଜଳାପୋଡ଼ା ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଏଠାରେ ବର୍ଣ୍ଣ ୟୁନିଟ୍ ନାହିଁ। ଜଳାପୋଡ଼ା ରୋଗୀଙ୍କ ଚିକିତ୍ସା ପାଇଁ ଏକ ୱାର୍ଡ ରହିଥିବାବେଳେ ସେଠାରେ ଏକକାଳୀନ ମାତ୍ର ୪ ଜଣ ରହିବାର ବ୍ୟବସ୍ଥା କରାଯାଇଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଯୁକ୍ତ ଚିକିତ୍ସା ପାଇବା ଆଶାରେ ଅନୁଗୁଳ ସମେତ ପଡ଼ୋଶୀ ଢେଙ୍କାନାଳ, ଦେବଗଡ଼, ନୟାଗଡ଼, ବୌଦ୍ଧ ଜିଲ୍ଲା ଅଞ୍ଚଳରୁ ପ୍ରତିଦିନ ରୋଗୀ ଆସୁଛନ୍ତି। କିନ୍ତୁ ଏଠାରେ ଆଇସିୟୁ ବ୍ୟବସ୍ଥା ନଥିବା ଯୋଗୁଁ ଗୁରୁତର ରୋଗୀଙ୍କ ଜୀବନ ସଂକଟାପନ୍ନ ହୋଇପଡ଼ୁଛି। ଗୁରୁତର ରୋଗୀଙ୍କୁ କେବଳ ପ୍ରାଥମିକ ଚିକିତ୍ସା କରାଯାଇ କଟକ ସ୍ଥାନାନ୍ତର କରିଦିଆଯାଉଛି।
ସୂଚନାଯୋଗ୍ୟ, ନିକଟରେ ପୁରୀ ନରେନ୍ଦ୍ର ପୋଖରୀରେ ଠାକୁରଙ୍କର ଚାପ ଖେଳବେଳେ ବାଣ ଫୁଟି ବହୁଲୋକ ଆହତ ହୋଇଥିଲେ। ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ବର୍ଣ୍ଣ ୟୁନିଟ୍ ନଥିବାରୁ ଚିକିତ୍ସା ହୋଇପରି ନଥିଲା। ସେମାନଙ୍କୁ କଟକ ରେଫର୍ କରି ଦିଆଯାଇଥିଲା। ଫଳରେ ଏଥିରେ ୧୩ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଅନେକ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତେବେ ଅନୁଗୁଳରେ ଏଭଳି ଅଘଟଣ ଘଟିଲେ ଆହାତମାନଙ୍କୁ ସମାନ ଦଶା ଭୋଗିବାକୁ ପଡ଼ିବ। ବାରମ୍ବାର ଦାବି ପରେ ମଧ୍ୟ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଣ୍ଣ ୟୁନିଟ୍ ନଖୋଲିବା ଯୋଗୁଁ ଅସନ୍ତୋଷ ମଧ୍ୟ ବଢ଼ିବାରେ ଲାଗିଛି। ତେବେ ଏ ସଂପର୍କରେ ସିଡିଏମ୍ଓ ଡା. ଶିବାନନ୍ଦ ମହାନ୍ତି କହିଛନ୍ତି, ‘ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟ୍ରମା କେୟାର୍ ୟୁନିଟ୍ ନିର୍ମାଣ କାର୍ଯ୍ୟ ପ୍ରାୟ ସରିଲାଣି। ଆମକୁ ଏହା ହସ୍ତଗତ କରାଗଲେ ଓପିଡିରେ କେଉଁ ବିଭାଗର କେତେ ବେଡ୍ ରଖାଯିବ, ସେ ନେଇ ବ୍ୟବସ୍ଥା କରିବୁ।’