କଟକ : ପ୍ରାୟ ସବୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଏବେ ଜେଲ୍‌ରେ। କଟକଠାରୁ ଦୂରରେ। କିନ୍ତୁ ଲକଡାଉନ୍ ଯେତିକି କୋହଳ ହୋଇ ଚାଲିଛି, ଗ୍ୟାଙ୍ଗଷ୍ଟରଙ୍କ ଅନୁଗତ ସେତିକି ଚଳଚଞ୍ଚଳ ହେଉଥିବା ଖବରକୁ ନେଇ ଏବେ ପୁଲିସ ସତର୍କ ହୋଇପଡ଼ିଛି। ଶାନ୍ତ ପଡିଥିବା କଟକରେ ଯେଭଳି ଗ୍ୟାଙ୍ଗ ୱାର୍‌ର କ୍ଷେତ୍ର ପ୍ରସ୍ତୁତ ନହୁଏ, ସେଥିପାଇଁ ପୁଲିସ ସଜାଗ ରହିଥିଲେ ବି ଗ୍ୟାଙ୍ଗଷ୍ଟର ଟିଟୋ ଏବଂ ଧଳସାମନ୍ତ ଭାଇ ସେମାନଙ୍କ ଖାସ୍ ସହଯୋଗୀ ମାନଙ୍କ ଜରିଆରେ ଜେଲ ଭିତରୁ ଅପରାଧ ସାମ୍ରାଜ୍ୟର ରିମୋଟ୍ କଣ୍ଟ୍ରୋଲ କରିବା ଯୋଜନା ଆରମ୍ଭ କରି ଦେଇଛନ୍ତି। ସାରା ରାଜ୍ୟରେ ବ୍ୟବସାୟ କାରବାର ଏକପ୍ରକାର ବନ୍ଦ ହୋଇଯାଇଥିବା ବେଳେ ବାଲିଘାଟ ବେପାର ବି ଅପେକ୍ଷାକୃତ ମାନ୍ଦା ପଡିଛି। ବଡ ଟେଣ୍ଡର କାରବାର ଧିମା ପଡି ଯାଇଛି। କିନ୍ତୁ ବଜାର ଖୋଲିବା ସହିତ ବାଲିଘାଟ ଓ ଟେଣ୍ଡର କାରବାର ଆରମ୍ଭ ହେବା ଆଶାରେ ଏବେ ସବୁ ଗ୍ୟାଙ୍ଗଷ୍ଟର ନିଜର ଯୋଜନା ଆରମ୍ଭ କରି ଦେଇଥିବା ସୂଚନା ମିଳିଛି।

Advertisment

publive-image odishasuntimes.com

କଟକ ଏବଂ ଉପକୂଳବର୍ତ୍ତି ଜିଲ୍ଲାରେ ଯେତେ ସବୁ ବାଲିଘାଟ ରହିଛି, ତାହାକୁ ନିୟନ୍ତ୍ରଣ କରିବା ପାଇଁ ଏବେ ସବୁଠୁ ବଡ କସରତ ଚାଲିଛି। ଟେଣ୍ଡର ପ୍ରକ୍ରିୟାରେ ସିଧାସଳଖ ଭାବେ ଗ୍ୟାଙ୍ଗଷ୍ଟର ଅଥବା ସେମାନଙ୍କ ସହଯୋଗୀ ଯଦିଓ ବାଲିଘାଟ ହାତେଇ ପାରି ନାହାନ୍ତି, କିନ୍ତୁ ସ୍ଥିତି ଯାହା ସେଥିରେ ସେମାନଙ୍କୁ ବାଦ ଦେଇ ଏ କାରବାର ଆଗକୁ ବଢିବା ଏକପ୍ରକାର ଅସମ୍ଭବ ବୋଲି କୁହାଯାଉଛି। ବିଭିନ୍ନ ବାଲିଘାଟ ପାଇଁ ଅତିକମରେ କୋଟିଏ, ଦୁଇ କୋଟି ଟଙ୍କା ରାଜକୋଷରେ ଜମା ଦେବାକୁ ପଡିଛି। ତା ସହିତ କାରବାରକୁ ଆଗକୁ ନେବା ପାଇଁ ଅନେକ ପ୍ରତିବନ୍ଧକ ରହିଛି। ଏଭଳି ସ୍ଥିତିରେ ଜଣେ ସାଧାରଣ ବ୍ୟବସାୟୀ ବାଲିଘାଟ ବ୍ୟବସାୟ ଚଳାଇବା ଅସମ୍ଭବ ହେଉଥିବା ବେଳେ ବାଲିଘାଟକୁ ପରୋକ୍ଷ ନିୟନ୍ତ୍ରଣରେ ରଖିବା ପାଇଁ ଏବେ ମୁଖ୍ୟତଃ ଟିଟୋ ଓ ଧଳସାମନ୍ତ ଗ୍ୟାଙ୍ଗ ଭିତରେ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଯାଇଛି। କିନ୍ତୁ ଗ୍ୟାଙ୍ଗ ବିବାଦକୁ ବଢାଇ ପୁଲିସ ଆକ୍ରୋଶର ଶିକାର ହେବା ବଦଳରେ ଏବେ ଉଭୟ ଗ୍ୟାଙ୍ଗ ନିଜନିଜ ଭିତରେ ଅଞ୍ଚଳ ବାଣ୍ଟିବାର ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି। ବିଶେଷକରି କଟକ ଜିଲ୍ଲାର ବାଲିଘାଟ ଧଳସାମନ୍ତ ଗ୍ୟାଙ୍ଗ ଏବଂ ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲାର ବାଲିଘାଟ ଟିଟୋ ଗ୍ୟାଙ୍ଗ ରଖିବା ପାଇଁ ନିଜନିଜ ଭିତରେ ବୁଝାମଣା କରି ନେଇଥିବା ସୂଚନା ରହିଛି।

publive-image

ଧଳସାମନ୍ତ ଭାଇ ଜେଲରେ ଥାଇ ବି ବନ୍ଧୁକ ଫ୍ୟାକ୍ଟ୍ରି ମାଲିକ ଟୁକୁନା ସ୍ବାଇଁ ମାଧ୍ୟମରେ ବନ୍ଧୁକ ଆଣି ସହରରେ ଦାଦା ବଟି ଆଦାୟ ଯୋଜନାରେ ଥିବା ବେଳେ ପୁଲିସ କିଛି ଦିନ ତଳେ ଟୁକୁନାକୁ ଗିରଫ କରି ସେହି ଯୋଜନାକୁ କିଛିଟା ପଣ୍ଡ କରି ଦେଇ ପାରିଛି। କିନ୍ତୁ ଏହି ଗ୍ୟାଙ୍ଗର ଅନେକ ସଦସ୍ୟଙ୍କ ହାତରେ ଏବେ ବି ବନ୍ଧୁକ ଥିବା ବେଳେ ପୁଲିସ ତାହାକୁ ଜବତ କରିବାରେ ସଫଳ ହୋଇପାରି ନାହିଁ।

ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‌ ସୟଦ୍‌ ଉସମାନ ଅଲ୍ଲୀ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ହାତରେ ୨୦୧୮ ଜୁନ ୩୦ ତାରିଖରେ ଗିରଫ ହେବା ପରେ ତାର ଦୁଇ ଭାଇ ଜି ବାବୁ ଏବଂ ସେକ୍ ଜିତୁ ମାଧ୍ୟମରେ ବେଆଇନ ବାଲି କାରବାର, ଗୋରୁ ଚାଲାଣ, ଟେଣ୍ତର ଫିକ୍ସିଂ ନିୟନ୍ତ୍ରଣ କରୁଥିଲା। କିନ୍ତୁ ଏହି ଦୁଇ ଭାଇଙ୍କୁ ୨୦୧୯ ଜୁନ ୧୯ ତାରିଖରେ ଏସ୍‌ଟିଏଫ୍‌ ଗିରଫ କରିବା ପରେ ଟିଟୋ ଗ୍ୟାଙ୍ଗର କାର୍ଯ୍ୟକଳାପ ଏବେ ତୃତୀୟ ପାହ୍ୟାର ସହଯୋଗୀଙ୍କ ଉପରେ ନିର୍ଭର କରୁଛି। ଟିଟୋ ଗ୍ୟାଙ୍ଗ୍ ପାଇଁ କଟକରେ କାମ କରୁଥିବା କାଲା ବାବୁ ଓରଫ୍‌ ବାବୁ ଖାଁ, ସାଇଲୋ ବଡବିଲିର ଡେଙ୍ଗା ଓରଫ ଅଲେଖ ରାଉତରାୟ, ଜଗତପୁରର ଟିଟୁନି ଓରଫ ଅଶୋକ ବେହେରାଙ୍କୁ କଟକ କମିସନରେଟ୍‌ ପୁଲିସ ଏନକାଉଣ୍ଟର କରିବା ସହ ଗିରଫ କରିଥିଲା।

publive-image

କିନ୍ତୁ ସକିଲ ଏବଂ ତାର ଅନ୍ୟ ସହଯୋଗୀଙ୍କ ଜରିଆରେ ଟିଟୋ ଜଗତପୁର-କେନ୍ଦ୍ରାପଡ଼ାରେ ଜଳସମ୍ପଦ ବିଭାଗର ଟେଣ୍ଡର ନିଜର ସଂପୂର୍ଣ୍ଣ ନିୟନ୍ତ୍ରଣରେ ରଖିବାକୁ ପୁଣି ଯୋଜନା ଆରମ୍ଭ କରି ଦେଇଛି। ଏଥିପାଇଁ ଝାରପଡ଼ା ଜେଲରେ ଥିବା ଟିଟୋକୁ ଗଲା ଗଲା ମେ ୫ ତାରିଖରେ ବ୍ରହ୍ମପୁର ସର୍କଲ ଜେଲକୁ ସ୍ଥାନାନ୍ତର କରାଯାଇଛି। କଟକ ବଡ଼ ଡାକ୍ତରଖାନାରୁ ଗ୍ୟାଙ୍ଗଷ୍ଟର ହାଇଦରକୁ ଫେରାର ଷଡ଼ଯନ୍ତ୍ର ପଛରେ ବି ଟିଟୋର ସମ୍ପୃକ୍ତି ଥିବା ଚର୍ଚ୍ଚା ଉଠିଥିଲା। ୨୦୦୯ରେ କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟର ସେକ୍‌ ସୁଲେମାନ ହତ୍ୟାକାଣ୍ତର ଅନ୍ୟତମ ଅଭିଯୁକ୍ତ ତଥା ଟିଟୋର ସହଯୋଗୀ ବିଜୟ ନାୟକକୁ ଚାଉଳିଆଗଞ୍ଜ ଥାନା ପୁଲିସ ଗଲା ମାର୍ଚ୍ଚ ୩୦ ତାରିଖରେ ଗିରଫ କରି ଝାରପଡ଼ା ଜେଲକୁ ପଠାଇଥିଲା। ସେଠାରେ ଟିଟୋ ସହିତ ମିଶି ସେ ବି ଅପରାଧ ଷଡ଼ଯନ୍ତ୍ର ଆରମ୍ଭ କରିଥିଲା।

ଅନ୍ୟପଟେ ୨୦୧୬, ଜାନୁଆରି ୨୯ରେ ଗିରଫ ହୋଇଥିବା ସୁଶାନ୍ତ ଧଳସାମନ୍ତ ଏବେ ବଲାଙ୍ଗୀର ଓ ସୁଶିଲ ଧଳସାମନ୍ତ ଏବେ ବାଲେଶ୍ବର ଜେଲରେ ଅଛି। କିନ୍ତୁ ମାଛୁଆ ବଜାର ଅଞ୍ଚଳର ଚନ୍ଦନ, ମଧୁପାଟଣା ଅଞ୍ଚଳର କାଳିଆ ଭଳି ଧଳସାମନ୍ତର କିଛି ସହଯୋଗୀ ଏବେ ଜେଲ୍ ବାହାରେ ରହି ଗ୍ୟାଙ୍ଗ ପାଇଁ କାମ କରୁଥିବା କୁହାଯାଉଛି।