କାନପୁର ପ୍ରକଳ୍ପ ପାଇଁ ଉଚ୍ଛେଦ: ଦୁଇ ଗାଁରେ ବୁଲିଲା ଜେସିବି, ୮୧୧ ଘର ଚୂରମାର

ଧାନ ଅମଳକୁ ନେଇ ଚିନ୍ତାରେ ଚାଷୀ

ଚମକପୁର : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ବାସୁଦେବପୁରଠାରେ ନିମାର୍ଣାଧୀନ କାନପୁର ବୃହତ୍‌ ଜଳସେଚନ ପ୍ରକଳ୍ପ ପାଇଁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ବିସ୍ଥାପିତଙ୍କ ବିରୋଧ ସତ୍ତ୍ବେ ରବିବାର ଦିନ ଚମକପୁର ଏବଂ ରେଭେନ୍ସାପୁର-ଖ ଗ୍ରାମରେ ଘର ଭଙ୍ଗାଯାଇଛି। ଉଭୟ ଗ୍ରାମର ୮୧୧ଟି ଘରକୁ ଭାଙ୍ଗି ଦିଆଯାଇଛି। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ରବିବାର ଦିନ ଚମକପୁର ଏବଂ ରେଭେନ୍ସାପୁର-ଖ ଗ୍ରାମରେ ଘର ଭାଙ୍ଗିବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ଚମକପୁର ଗ୍ରାମର ବହୁ ଚାଷୀ ପ୍ରାୟ ୧୫ଶହ ଏକର ଜମିରେ ଧାନଚାଷ କରିଛନ୍ତି। ଜଙ୍ଗଲରେ ୩୨ଟିକିଆ ହାତୀପଲ ଘୂରି ବୁଲୁଛନ୍ତି। ଚାଷୀମାନେ ରାତି ଉଜାଗର ହୋଇ ଧାନ ଫସଲକୁ ସୁରକ୍ଷା ଦେଉଛନ୍ତି। ଏଭଳି ସ୍ଥିତିରେ ଘର ଭଙ୍ଗାଗଲେ ସେମାନେ ଅନ୍ୟତ୍ର ସ୍ଥାନାନ୍ତର ହେ‌ବେ। ଧାନ ଫସଲକୁ ହାତୀପଲ ଦଳିଚକଟି ନଷ୍ଟ କରିଦେବେ। ତେଣୁ ଧାନ ଅମଳ ହେବା ପର୍ଯ୍ୟନ୍ତ ଘର ନ ଭାଙ୍ଗିବାକୁ ଲୋକେ ଦାବି କରିଥିଲେ। ଏନେଇ ଗତକାଲି ଗ୍ରାମବାସୀ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। କିନ୍ତୁ କିଛି ସୁଫଳ ମିଳିଲା ନାହିଁ।

ରବିବାର ସକାଳୁ ଚମକପୁର ଗାଁରେ ଘରଭଙ୍ଗା ଆରମ୍ଭ ହୋଇଥିଲା। ପୁଲିସ ଫୋର୍ସ ଉପସ୍ଥିତିରେ ପ୍ରାଶାସନିକ ଅଧିକାରୀ ଏବଂ ପ୍ରକଳ୍ପ କର୍ତ୍ତୃପକ୍ଷ ୧୨ଟି ଜେସିବି ଲଗାଇ ୬୯୮ଟି ଘର ଭାଙ୍ଗିଛନ୍ତି। ଘର ଭାଙ୍ଗିଯିବା ପରେ ଲୋକଙ୍କ ଆସବାବପତ୍ର ଖୋଲା ଆକାଶ ତଳେ ପଡ଼ିଥିବା ଦେଖିବାକୁ ମିଳିଛି। ସେହିପରି ଅପରାହ୍‌ଣରେ ରେଭେନ୍ସାପୁର-ଖ ଗ୍ରାମରେ ଘର ଭଙ୍ଗାଯାଇଛି। ଏଠାରେ ମୋଟ ୧୮୯ ମଧ୍ୟରୁ ୧୫୩ଟି ଘର ଭଙ୍ଗା ଯାଇଥିବା ସୂଚନା ମିଳିଛି। ଧାନ ଅମଳ ପୂର୍ବରୁ ଘର ଭଙ୍ଗା ଯାଉଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସେମାନଙ୍କ ଫସଲକୁ କିଏ ସୁରକ୍ଷା ଦେବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ଘର ଉଚ୍ଛେଦ ବେଳେ କାନପୁର ଜଳସେଚନ ପ୍ରକଳ୍ପର ନି‌ର୍ଦ୍ଦେଶକ କୁଶଳ ଚନ୍ଦ୍ର ନାଏକ, ଅଧୀକ୍ଷଣ ଯନ୍ତ୍ରୀ ଉଦୟନାଥ ସାହୁ, ମଣ୍ତଳ ଅଧିକାରୀ ଚରଣ ନାଏକଙ୍କ ସମେତ ୧୨ ପ୍ଲାଟୁନ ଫୋର୍ସ, ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଚମକପୁର ଗ୍ରାମର ବାକିଥିବା ୪୦ ଘର ଓ ରେଭେନ୍ସାପୁର (ଖ) ଗ୍ରାମର ୩୬ଟି ଘରକୁ ଖୁବ୍‌ଶୀଘ୍ର ଭଙ୍ଗାଯିବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାଏକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର