କାଳିଆପାଣି: ସୁକିନ୍ଦା ତହସିଲ କାଙ୍କଡ଼ପାଳ ସର୍କଲ ଭାଲୁକିପାତଳା ଗାଁର ରେଙ୍ଗାଲି ବାମ କେନାଲ ସଂଲଗ୍ନ ବିଠଲ ବେହେରାଙ୍କ ଘରର କିଛିଅଂଶକୁ ପ୍ରଶାସନ ଆଜି ଉଚ୍ଛେଦ କରିଛି। ତହସିଲଦାର ଦମୟନ୍ତୀ ସାହୁଙ୍କ ଉପସ୍ଥିତିରେ ଅତିରିକ୍ତ ତହସିଲଦାର ସୁଧା ସଂଗୀତା ସାହୁ ଓ କାଳିଆପାଣି ଥାନା ଅଧିକାରୀ ସୁଶାନ୍ତ କୁମାର ଦାସଙ୍କ ନେତୃତ୍ବରେ ଏକ ପ୍ଲାଟୁନ ଫୋର୍ସ ଶ୍ରୀ ବେହେରାଙ୍କ ଘରକୁ ଘେରାବନ୍ଦୀ କରି ଏକ ଜେସିବି ସହାୟତାରେ ଉଚ୍ଛେଦ କରିଥିଲେ। ଛାତ ପତନ ହୋଇଥିବା ୪ ବଖରା ପଥର କାନ୍ଥ ଓ ଆଜବେଷ୍ଟସ ଛପର ଥିବା ୨ ବଖରା ଘର ଭଙ୍ଗା ଯାଇଥିଲା। ଏହି ସମୟରେ ଶ୍ରୀ ବେହେରାଙ୍କ ସହ ପତ୍ନୀ ଅପୂର୍ବ, ପୁଅ ରାଜୁ, ବୋହୂ ସସ୍ମିତା, ଝିଅ ପାର୍ବତୀ, ନାତୁଣୀ ଭାଗ୍ୟଶ୍ରୀ ଓ ନାତି ବିଦେଶ ସଂପୂର୍ଣ୍ଣ ଅସହାୟ ଭାବେ କେବଳ ଉପସ୍ଥିତ ଥିଲେ।

Advertisment

ଏଠାରେ ଶ୍ରୀ ବେହେରା ଏକ ଅନାବାଦୀ ଜମିରେ ୩୦ ରୁ ୩୫ ବର୍ଷ ଧରି ରହି ଆସୁଥିଲେ। ଉକ୍ତ ଜମି ବ୍ୟତୀତ ତାଙ୍କର କୌଣସି ଜମିବାଡ଼ି ନାହିଁ। ସରକାରୀ ନଥିପତ୍ରରେ ସେ ଭୂମିହୀନ। ପରେ ତାଙ୍କ ଘର ପାର୍ଶ୍ବରେ କେନାଲ ଖୋଳା ହୋଇଥିଲା। ଶ୍ରୀ ବେହେରାଙ୍କ ଘର ପାଇଁ କେନାଲ ସଂଲଗ୍ନ ସଡ଼କ ସଂପ୍ରସାରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଦର୍ଶାଯାଇ ୬ ମାସ ତଳେ ତାଙ୍କୁ ସରକାରୀ ଜମି ହସ୍ତାନ୍ତର ପାଇଁ ନୋଟିସ ହୋଇଥିଲା। ପରେ ପର୍ଯ୍ୟାୟ କ୍ରମେ ତାଙ୍କୁ ୪ ଟି ନୋଟିସ୍ ଜାରି ହୋଇଥିଲା। କିନ୍ତୁ ଶ୍ରୀ ବେହେରା ନିଜକୁ ଭୂମିହୀନ ଦର୍ଶାଇ ବସୁନ୍ଧରା ଯୋଜନାରେ ଅନ୍ୟତ୍ର ଜମିରେ ଥଇଥାନ ଦାବି କରି ଜିଲ୍ଲାପାଳଙ୍କୁ ଏକାଧିକ ବାର ନେହୁରା ହୋଇଥିଲେ। କିନ୍ତୁ କୌଣସି ଲାଭ ହୋଇନଥିଲା। ଗତମାସ ସେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ ନ୍ୟାୟ ମିଳିବା ପୂର୍ବରୁ ଗତକାଲି ଚେତାବନୀ ପରେ ଆଜି ସକାଳୁ ପ୍ରଶାସନର ଏ ପ୍ରକାର ଆଭିମୁଖ୍ୟ ତାଙ୍କୁ ଦାଣ୍ଡର ଭିକାରି ସଜାଇ ଦେଇଛି ବୋଲି ଶ୍ରୀ ବ‌େହେରା କହିଛନ୍ତି।