ଚନ୍ଦନେଶ୍ୱର: ପାଖାପାଖି ମାସେ ହେଲା ଅଘୋଷିତ କଟକଣା ଯୋଗୁ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ ରହିଛି। ଫଳରେ ଆଳୁ ଯୋଗାଇବାକୁ ଓଡ଼ିଶା ବ୍ୟବସାୟୀଙ୍କ ସହିତ ଚୁକ୍ତିବଦ୍ଧ ହୋଇଥିବା ପଶ୍ଚିମବଙ୍ଗ ଗୋଦାମ ମାଲିକମାନେ କ୍ଷତି ସହୁଛନ୍ତି। ଏଥିସହିତ, ଓଡ଼ିଶା ବ୍ୟବସାୟୀଙ୍କ ପାଖରୁ ବକେୟା ଅର୍ଥ ବି ଆଦାୟ କରିପାରୁନାହାନ୍ତି। ଏହାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ସେଠାକାର ବ୍ୟବସାୟୀଙ୍କ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏହାର ପ୍ରତିବାଦରେ ସମୂହ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଳୁ ରପ୍ତାନି କଟକଣା ହଟାଇବା ଦାବିରେ ମେଦିନୀପୁର, ହୁଗୁଳି ଓ ବର୍ଦ୍ଧମାନ ଜିଲ୍ଲାର ଶୀତଳଭଣ୍ଡାର ମାଲିକମାନେ ଆସନ୍ତାକାଲିଠାରୁ ସମୂହ ଧର୍ମଘଟ କରିବାକୁ ଘୋଷଣା କରିଛନ୍ତି।
ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଯୋଗାଣ କଟକଣା ଲାଗୁ କରିବାପରେ ସେଠାକାର ବ୍ୟବସାୟୀ ସିଧାସଳଖ ପ୍ରଭାବିତ ହୋଇଛନ୍ତି। କଟକଣା ଲାଗୁ ପରେ ସେମାନେ ଲୁଚାଛପାରେ କିମ୍ବା ଗଳାବାଟ ଦେଇ ଓଡ଼ିଶାକୁ ଆଳୁ ପଠାଉଥିଲେ। ମାତ୍ର, ପଶ୍ଚିମବଙ୍ଗ ସରକାର ତାହା ବି କରାଇ ଦେଲେନି। ପୁଲିସ ଲଗାଇ ସେମାନଙ୍କୁ ଅଟକାଇଲେ। ଅଧାବାଟରୁ ଆଳୁ ଗାଡ଼ିକୁ ଜବତ କରି ନେଇଗଲେ। ଏପରିକି, ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲଗାଇ ଆଳୁ ଯୋଗାଣ ଉପରେ ତୀକ୍ଷ୍ଣ ନଜର ବି ରଖିଲେ। ଫଳରେ, ସେଠାକାର ବ୍ୟବସାୟୀମାନେ ବିପୁଳ କ୍ଷତି ସହିଥିବା ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳର ଜଣେ ବ୍ୟବସାୟୀ ନରେନ୍ଦ୍ର ଦତ୍ତ କହିଛନ୍ତି। ଅଧିକ ଦିନ କଟକଣା ଲାଗି ରହିଲେ ସେମାନଙ୍କ ଆର୍ଥିକ ଅବସ୍ଥା ଦୋହଲିଯିବ ବୋଲି କହିଛନ୍ତି। ଅନ୍ୟଜଣେ ବ୍ୟବସାୟୀ ରଞ୍ଜନ ସାହୁ କହିଛନ୍ତି, ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଯୋଗାଣ ଉପରେ କଟକଣା ଲଗାଇବା ପରେ ଚୁକ୍ତିବଦ୍ଧ ହୋଇଥିବା ଓଡ଼ିଶାର ଆଳୁ ବ୍ୟବସାୟୀଙ୍କ ପାଖରେ ଲକ୍ଷାଧିକ ଟଙ୍କା ବାକି ପଡ଼ିଛି। ଫଳରେ ଆଉ ବ୍ୟବସାୟ ଚଳାଇବା ସହଜ ହେଉନାହିଁ। ଏହି କାରଣରୁ ଆସନ୍ତାକାଲିଠୁ ସମୂହ ଧର୍ମଘଟ ଡାକରା ଦିଆଯାଇଥିବା ସେ କହିଛନ୍ତି। ଆନ୍ତାକାଲିଠାରୁ ଧର୍ମଘଟ ଚାଲିଲେ ଚୋରାରେ ଓଡ଼ିଶାକୁ ଆଳୁ ଆସିବା ମଧ୍ୟ ବନ୍ଦ ହୋଇଯିବ। ତେଣୁ ଏହାକୁ ନେଇ ଓଡ଼ିଶାର ବ୍ୟବସାୟୀ ଓ ଖାଉଟିମାନେ ଚିନ୍ତାପ୍ରକଟ କରିଛନ୍ତି।