ଭୁବନେଶ୍ବର: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ମୃତ ଦେହ ଉଦ୍ଧାର ସମୟରେ ମୁଣ୍ଡରେ ରକ୍ତ ଦାଗ, ବେକରେ ଗଭୀର କ୍ଷତ ଚିହ୍ନ ଥିଲା। ଗତ ଶନିବାର ରାତିରେ ଏକ ଭୋଜିରେ ଯୋଗଦେବାକୁ ଯାଇ ଚିତ୍ତରଞ୍ଜନଙ୍କ ନିଖୋ‌ଜ ହୋଇଥିଲେ। ସେହି ରାତିରେ ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଥିଲା। ନିଖୋଜ ସମ୍ପର୍କରେ ଶ୍ରୀ ଦାସବର୍ମା ସମ୍ପୂର୍ଣ୍ଣ ଅବଗତ ଥାଇ ସୁଦ୍ଧା କାହିଁକି ନିରବ ଥିଲେ? ପୁଲିସ ୨ଦିନ ଧରି କାହିଁକି କୌଣସି ଖୋଜ୍‌ ଖବର କରିନଥିଲା? ସଂଜୟ ଦାସବର୍ମା ମାରିଦେଲେ ବୋଲି ମୃତକଙ୍କ ପରିବାର ସଦସ୍ୟ ତଥା ତାଙ୍କ ବାପା, ମା’, ଦାଦା, ଖୁଡ଼ି ଓ ସ୍ତ୍ରୀ ସିଧାସଳଖ କହୁଛନ୍ତି। ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ କାହିଁକି ତଦନ୍ତ କରାଯାଉନାହିଁ ବୋଲି ବିଜେପି ବିଧା‌ୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରଶ୍ନ କରିଛନ୍ତି।

Advertisment

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ମହାପାତ୍ର କହିଛନ୍ତି, ହତ୍ୟାକାଣ୍ଡର ମୂଳ କାରଣ ସମ୍ପର୍କରେ ଖୋଳତାଡ଼ ହେବ ନା ନାହିଁ? ଆଇନ ବାଟ ଓଗାଳି ତଦନ୍ତ ପ୍ରକ୍ରିୟାକୁ ବାଟବଣା କରାଯିବ ନାହିଁ ତ? ମମିତା ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପରୀ ହତ୍ୟାକାଣ୍ଡ ଘଟଣାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ମାହାଙ୍ଗା ଡବଲ୍‌ ମର୍ଡର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଏସିଏଫ୍‌ ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସଂପୃକ୍ତି ମାମଲାରେ ଯେମିତି ଆଇନର ବାଟ ଓଗାଳି ତଦନ୍ତ ପ୍ରକ୍ରିୟାକୁ ବିଭ୍ରାନ୍ତ କରାଯାଇଛି ସେହିଭଳି ସଂଜୟ ମାମଲାରେ ପ୍ରୟାସ ହେବ ନାହିଁ ତ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ୨୦୧୨ଅକ୍ଟୋବର ୨୭ତାରିଖରେ ମହିଳା ଆୟୁର୍ବେଦ ଡାକ୍ତର ମାଧବୀଲତା ପ୍ରଧାନଙ୍କ ମୃତ ଶରୀର ପୁରୀ ରେଳ ଷ୍ଟେସନ ନିକଟରେ ସନ୍ଦେହଜନକ ଅବସ୍ଥାରେ ମିଳିବା ପରେ ଏଥିରେ ତତ୍କାଳୀନ ମନ୍ତ୍ରୀ ଶ୍ରୀ ଦାସବର୍ମାଙ୍କ ସଂପୃକ୍ତିର ସିଧାସଳଖ ଅଭିଯୋଗ ଥିଲା।

ଗତକାଲି ଚିତ୍ତରଞ୍ଜନଙ୍କ ମୃତଦେହ ନୂଆନଈ କୂଳରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହେବା ଏବଂ ଏହି ଦୁଇଟି ଘଟଣାରେ ଶ୍ରୀ ଦାସବର୍ମାଙ୍କ ସଂପୃକ୍ତିର ଅଭିଯୋଗ ଆଦୌ ‘ସଂଯୋଗବଶତଃ’ ନୁହେଁ, ବରଂ ବିରାଟ ଷଡଯନ୍ତ୍ରର ଗନ୍ଧ ସ୍ପଷ୍ଟ ବାରି ହୋଇପଡ଼ୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ ନିରପେକ୍ଷ ହେବା ଉଚିତ। ସଞ୍ଜୟ ଦାସବର୍ମାଙ୍କ ସମେତ ତାଙ୍କ ସରକାରୀ ପିଏସ୍‌ଓ ବିପ୍ଳବ ଦଳେଇ, ଜଗା ଓ ହତ୍ୟାକାଣ୍ଡର ଶିକାର ହୋଇଥିବା ଚିତ୍ତରଞ୍ଜନଙ୍କ ମୋବାଇଲ୍‌ କଲ୍‌ ରେକର୍ଡ ଯାଞ୍ଚ କରାଯାଇ ତଦନ୍ତ ପରିସରଭୁକ୍ତ କରାଯାଉ। କ୍ଷମତା ଓ ପଦପଦବିରେ ରହି ତଦନ୍ତ ପ୍ରକ୍ରିୟାକୁ ବାଟବଣା କରିବା ସହ ଆଇନର ବାଟ ଓଗାଳିବାର ସମ୍ଭାବନା ଅଛି। ତେଣୁ ସର୍ବପ୍ରଥମେ ଶ୍ରୀ ଦାସବର୍ମାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରୁ ହଟାଯାଉ ବୋଲି ବିଜେପି ଦାବି କରିଛି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।