ନବୀନ ସରକାରକୁ ହଟାଅ: ନଡ୍ଡା

ବିଜେପିର ବିଜୟ ସଂକଳ୍ପ ସମାବେଶ

ବ୍ରହ୍ମପୁର:‌ ଓଡ଼ିଶାରେ କ’ଣ ନେତୃତ୍ବ ନେବା ପାଇଁ କେହି ଓଡ଼ିଆ ନାହାନ୍ତି। ବାହାରୁ ନେତା ଆଣିବେ କି? ଓଡ଼ିଶାରେ ନବୀନ ବାବୁଙ୍କ ନେତୃତ୍ବରେ ଏଭଳି ପ୍ରୟାସ ଚାଲିଛି। ଯାହାକି ବର୍ତ୍ତମାନ ଚିନ୍ତାର ବିଷୟ ହୋଇଛି। ଏଥିପ୍ରତି ସତର୍କ ରହନ୍ତୁ। ଆସନ୍ତା ୧୩ତାରିଖରେ ଭୋଟ୍‌ ଦିନ ଜନସାଧାରଣ ବିଜେଡିକୁ ଜବାବ ଦିଅନ୍ତୁ। ନବୀନ ବାବୁଙ୍କ ସରକାରଙ୍କୁ ହଟାଇ ନିର୍ବାଚନରେ ବିଜେପିକୁ ବିଜୟ କରାନ୍ତୁ। ନିଜ ମାଟିର ନେତାଙ୍କ ହାତରେ ରାଜ୍ୟର ଶାସନଭାର ଦିଅନ୍ତୁ ବୋଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି। ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ବିବେକବିହାରରେ ବିଜେପିର ‘ବିଜୟ ସଂକଳ୍ପ’ ସମାବେଶରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗଦେଇ ରାଜ୍ୟ ସରକାରକୁ ସିଧାସଳଖ ଟାର୍ଗେଟ କରିଥିଲେ। ଶ୍ରୀ ନଡ୍ଡା କହିଥିଲେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇ ବ୍ରହ୍ମପୁର ଲୋକସଭା ଓ ଏହା ଅଧୀନରେ ରହିଥିବା ୭ଟି ବିଧାନସଭାର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତର ସ୍ବପ୍ନକୁ ପୂରଣ କରିବା ପାଇଁ ନିର୍ବାଚନରେ ସମସ୍ତେ ଭାଗ ନେବାକୁ ହେବ। ମୋଦୀ ସରକାରଙ୍କ ଅମଳରେ ଯାହା ସବୁ ବିକାଶ କାର୍ଯ୍ୟକ୍ରମ ଆଗେଇଛି ତାକୁ ଓଡ଼ିଶାରେ ବାଧା ଦିଆଯାଉଛି। ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକାରୀ ନକରିବା ଏହାର ଏକ ଉଦାହାରଣ। ଓଡ଼ିଶାର ବିଜେଡି ସରକାରରେ ଦୁର୍ନୀତି ଚାଲିଛି। ଏଣୁ ଜନସାଧାରଣ ଏହାର କଡ଼ା ଜବାବ ଦିଅନ୍ତୁ। ୧୬୦ଟି ଚିଟ୍‌ଫଣ୍ଡ ସଂସ୍ଥା ଜନସାଧାରଣଙ୍କ ଠାରୁ ୩୨ହଜାର କୋଟି ଟଙ୍କା ଠକି ନେଇଛନ୍ତି। ବିଜେଡି ସରକାର କ’ଣ କରିଛନ୍ତି? ଏଭଳି ସରକାର କ୍ଷମତାରେ ରହିବା ଯୋଗ୍ୟ ନୁହେଁ। ବ୍ଲାକ୍‌ଲିଷ୍ଟ୍‌ ହୋଇଥିବା ଠିକାଦାରଙ୍କୁ ଜଳଜୀବନ ମିସନ୍‌ରେ କାମ ଦିଆଯାଉଛି। ଏହା ମଧ୍ୟ ଏକ ପ୍ରକାର ଦୁର୍ନୀତି। ବିଜେପି ସରକାର ଆସିଲେ ଏହି ସବୁ ଦୁର୍ନୀତି ବନ୍ଦ ହେବ ବୋଲି ଅଧ୍ୟକ୍ଷ ନଡ୍ଡା କହିଥିଲେ।

ବିଜେପିର ବିଜୟ ସଂକଳ୍ପ ସମାବେଶ
ରାଜ୍ୟ ସରକାରକୁ ଟାର୍ଗେଟ କଲେ ନଡ୍ଡା
ମାଟିର ନେତାଙ୍କୁ ଶାସନଭାର ଦିଅ

ସେ ଆହୁରି କହିଥିଲେ, ମୋଦୀ ଯେଉଁ ବିକାଶ ଦିଲ୍ଲୀରେ କରୁଛନ୍ତି, ତାହା ଓଡ଼ିଶାରେ କରିବା ପାଇଁ ପଦ୍ମ ଫୁଟିବା ଦରକାର। ଭାରତରେ ୮୦କୋଟି ଲୋକଙ୍କୁ ମାଗଣା ରାସନ୍‌ ଦିଆଯାଉଥିବା ବେଳେ ଓଡ଼ିଶାରେ ୩କୋଟି ୨୦ଲକ୍ଷ ଲୋକ ଏହାଦ୍ବାରା ଉପକୃତ ହେଉଛନ୍ତି। ୧୧କୋଟି ୭୮ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ଦିଆଯାଉଛି। ଉଜ୍ବଳା ଯୋଜନାରେ ଓଡ଼ିଶାରେ ୫୩ଲକ୍ଷ ଓ ଗଞ୍ଜାମରେ ୨୭ହଜାର ଲୋକ ଉପକୃତ ହୋଇଛନ୍ତି। ବିଗତ ୫ବର୍ଷରେ ଦେଶରେ ୪ କୋଟି ପକ୍କା ଘର ହୋଇଛି। ବିଜେପି ସରକାର ଆସିଲେ ଆସନ୍ତା ୫ବର୍ଷରେ ଆଉ ୩କୋଟି ଘର ନିର୍ମାଣ ହେବ। ୭୦ ବର୍ଷରୁ ଅଧିକ ବୟସ୍କକୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବ। ପାଇପ ଯୋଗେ ସମସ୍ତ ଘରକୁ ଇନ୍ଧନ ଗ୍ୟାସ ଯୋଗାଇ ଦିଆଯିବ ବୋଲି ଅଧ୍ୟକ୍ଷ ନଡ୍ଡା କହିଛନ୍ତି। ପ୍ରାରମ୍ଭରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଲେ, ଜନସାଧାରଣ ପରିବର୍ତ୍ତନ ଚାହୁଁଛନ୍ତି। ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ, ଗଞ୍ଜାମ ଜିଲ୍ଲା ସଭାପତି ଡା. ସୁବାସ ସାହୁ, ଲୋକସଭା ସଂଯୋଜକ ସରୋଜ ସାବତ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ବିଧାୟକ କେ. ନାରାୟଣ ରାଓ, ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର, ମନୋରଞ୍ଜନ ଦ୍ୟାନସାମନ୍ତରାୟ, କେ. ଅନୀଲ କୁମାର, ବିଭୂତି ଭୂଷଣ ଜେନା, କୃଷ୍ଣଚନ୍ଦ୍ର ନାୟକ, ପ୍ରଶାନ୍ତ ମଲ୍ଲିକ, ବରିଷ୍ଠ ନେତା ରାମଚନ୍ଦ୍ର ପଣ୍ଡା, ଟି ଗୋପୀ, ପ୍ରଶାନ୍ତ କର, ବନମାଳୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର