ବିଧାନସଭାରୁ ଉଠିଲା କୋଭିଡ୍‌ କଟକଣା

ଭିସିରେ ଯୋଗ ଦେଇପାରିବେ ବିଧାୟକ, ସମାଲୋଚନା କଲେ ବିରୋଧୀ ଦଳ ନେତା

ଭୁବନେଶ୍ବର : ବିଧାନସଭାରୁ କୋଭିଡ୍‌ କଟକଣା ଉଠାଇଦିଆଯାଇଛି। ଆସନ୍ତା ୨୪ ତାରିଖରୁ ହେବାକୁ ଥିବା ଶୀତ ଅଧିବେଶନରେ କୋଭିଡ୍‌ କଟକଣା ରହିବ ନାହିଁ। ଗୃହର ସଦସ୍ୟମାନେ ସ୍ବାଭାବିକ ଭାବେ ନିଜ ନିଜ ଆସନରେ ବସିବେ। ପ୍ରେସ୍‌ ଗ୍ୟାଲେରିରେ ସାମ୍ବାଦିକମାନେ ପୂର୍ବ ପରି ବସିପାରିବେ। ପୂର୍ବ ଅପେକ୍ଷା ବିଧାନସଭା ଅବଧି ୧ ଘଣ୍ଟା ବୃଦ୍ଧି ହୋଇଛି । ସନ୍ଧ୍ୟା ୬ଟା ପରିବର୍ତ୍ତେ ସନ୍ଧ୍ୟା ୭ ଯାଏ ଗୃହକାର୍ଯ୍ୟ ଚାଲିବ। ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ତେବେ ବିଧାୟକମାନେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଗୃହ କାର୍ଯ୍ୟରେ ଯୋଗ ଦେବା ପାଇଁ ବିକଳ୍ପ ବ୍ୟବସ୍ଥା‌ ରଖାଯାଇଛି। ଅସୁସ୍ଥତା କାରଣରୁ ଯେଉଁ ବିଧାୟକମାନେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଗ ଦେବାକୁ ଚାହିଁବେ, ସେମାନେ ଦରଖାସ୍ତ ଜରିଆରେ ଜଣାଇଲେ ସେହି ସୁବିଧା ଯୋଗାଇ ଦିଆଯିବ ବୋଲି ବାଚସ୍ପତି କହିଛନ୍ତି। ଏପରି ନିଷ୍ପତ୍ତିକୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କିପରି ବିଧାନସଭା ନ ଆସିବେ ସେଥିପାଇଁ ଭିସି ବ୍ୟବସ୍ଥା ଏକ ବାହାନା ହୋଇଛି। ଏପରି ବ୍ୟବସ୍ଥାକୁ ବିଜେପି ବିରୋଧ କରୁଛି। ବିଧାୟକମାନେ ବିଧାନସଭା ଗାରିମା ରକ୍ଷା କରିବା ପାଇଁ ବିଧାନସଭା ଗୃହରେ ଆସି ବସନ୍ତୁ।
୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏ ଚାଲିବ। ଅଧିବେଶନରେ ମୋଟ୍ ୩୩ଟି କାର୍ଯ୍ୟଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରାଯିବ। ୨୪ ତାରିଖରେ ଅର୍ଥ ମନ୍ତ୍ରୀ ଅତିରିକ୍ତ ବଜେଟ୍ ଆଗତ ହେବା ପରେ ୩୦ ଓ ୧ ତାରିଖ ଦୁଇ ଦିନ ଧରି ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ୨ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ। ଅଧିବେଶନରେ ମୋଟ୍ ୬ଟି ବେସରକାରୀ କାର୍ଯ୍ୟ ଦିବସ ରହିଛି। ଅଧିବେଶନ ସମୟରେ ୫ଟି ରବିବାର ପଡ଼ୁଥିବାରୁ ସେହିଦିନ ଗୃହ କାର୍ଯ୍ୟ ହେବ ନାହିଁ।
ଆଜିର ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ସୁଦାମ ମାର୍ଣ୍ଡି ଓ ଲକ୍ଷ୍ମଣ ମୁଣ୍ଡା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର