ଭୁବନେଶ୍ବର : ଓଲିଉଡ୍ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ସମ୍ପର୍କରେ ୱିକିପିଡିଆରେ ଭୁଲ ତଥ୍ୟ ଦିଆଯାଇଥିବା ନେଇ ସମ୍ବାଦରେ ଖବର ପ୍ରକାଶ ପାଇଥିଲା। ସିଦ୍ଧାନ୍ତଙ୍କ ବିବାହ ଓ ତାଙ୍କ ସନ୍ତାନଙ୍କ ସମ୍ପର୍କରେ ଅନେକ ଭୁଲ ଓ ମିଛ ତଥ୍ୟ ଉଲ୍ଲେଖ ରହିଥିବା ବେଳେ ସିଦ୍ଧାନ୍ତ ମଧ୍ୟ ଉଦ୍ବେଗ ପ୍ରକାଶ କରିଥିଲେ। ତେବେ ଆଜି ୱିକିପିଡିଆରୁ ସମସ୍ତ ଭୁଲ ତଥ୍ୟ ହଟାଯାଇଥିଲେ ବି ଠିକ୍ ତଥ୍ୟ ଲେଖାଯାଇନାହିଁ। ଅନ୍ୟପଟେ ବଲିଉଡ୍ର ପୂର୍ବତନ ଅଭିନେତ୍ରୀ ଫରାହ ନାଜ୍ଙ୍କ ୱିକିପିଡିଆ ପୃଷ୍ଠାରେ ସିଦ୍ଧାନ୍ତ ମହାପାତ୍ର, ଫରାହ ନାଜ୍ଙ୍କ ଭିଣୋଇ ବୋଲି ଉଲ୍ଲେଖ ରହିଛି। ଅସଲରେ ଉଭୟଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ତଥାପି ୱିକିପିଡିଆରୁ ଏହି ଭୁଲ ତଥ୍ୟ ହଟାଯାଇନାହିଁ।
ଉଲ୍ଲେଖଯୋଗ୍ୟ, ଗତକାଲି ପର୍ଯ୍ୟନ୍ତ ସିଦ୍ଧାନ୍ତଙ୍କ ୱିକିପିଡିଆ ପୃଷ୍ଠାରେ ଉଲ୍ଲେଖ ତଥ୍ୟ ଅନୁସାରେ, ସେ ୧୯୯୩ ମସିହାରେ ପ୍ରଥମେ ମାଲାୟାଲମ୍ ଅତିନେତ୍ରୀ ମାଲ୍ଲୁ ମାରିଆ (ମରିୟମ୍ ନାଜ୍)ଙ୍କୁ ବିବାହ କରିଥିଲେ। ଆହୁରି ମଧ୍ୟ ସେଥିରେ ଉଲ୍ଲେଖ ଥିଲା ପ୍ରଥମ ବିବାହରୁ ତାଙ୍କର ୩ଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଏହାପରେ ୨୦୦୪ ମସିହାରେ ସେ କନ୍ନଡ଼ ଅଭିନେତ୍ରୀ ମାୟେଶା ତସ୍ଲିମ୍ ହାସ୍ମିଙ୍କୁ ବିବାହ କରିଥିଲେ। ଏହି ବିବାହରୁ ତାଙ୍କ ଝିଅ ସାଇସିଦ୍ଧି ମହାପାତ୍ର ଓ ପୁଅ ସାଇସମର୍ଥ ମହାପାତ୍ର ହୋଇଥିବା ୱିକିପିଡିଆରେ ଉଲ୍ଲେଖ ରହିଥିଲା। ଯାହାକି ସମ୍ପୂର୍ଣ୍ଣ ଭୁଲ ଓ ମିଛ ତଥ୍ୟ ଥିଲା।