ସ୍ବଦେଶୀ କଣ୍ଢେଇ ଓ ଖେଳନା ବିଭାଗରେ ରେମୁଣା ଜୁନିୟର କଲେଜର ଛାତ୍ର ଅଙ୍କିତ ଦାସ ଜାତୀୟ କଳା ଉତ୍ସବ ୨୦୨୦କୁ ଉତ୍ତୀର୍ଣ୍ଣ

ଭୁବନେଶ୍ବର: ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି ଦ୍ବାରା ଆୟୋଜିତ କଳା ଉତ୍ସବ ୨୦୨୦ ରେ ସ୍ବଦେଶୀ କଣ୍ଢେଇ ଓ ଖେଳନା ବିଭାଗରେ ରେମୁଣା ଜୁନିୟର କଲେଜର ଯୁକ୍ତ ଦୁଇ କଳା ଛାତ୍ର ଭଗତୋଷ ଅଙ୍କିତ ଦାସ ବାଲେଶ୍ବରୀ ଜଉ କଣ୍ଢେଇ କରି ଜାତୀୟ କଳା ଉତ୍ସବକୁ ଉତ୍ତୀର୍ଣ୍ଣ ହୋଇଛନ୍ତି।

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଭାରତ ସରକାରଙ୍କ ଶିକ୍ଷା ବିଭାଗ ଦ୍ଵାରା ସ୍ବଦେଶୀ, ଶାସ୍ତ୍ରୀୟ ଓ ଲୋକ ନୃତ୍ୟ, ଗୀତ, ବାଦ୍ୟ, ଚିତ୍ର ଓ କଣ୍ଢେଇର ପ୍ରତିଯୋଗିତା କରାଯାଇଥିଲା ଭର୍ଚୁଆଲ୍ ମୋଡରେ। ଏଥିରେ ସରକାରୀ ଓ ବେସରକାରୀର ନବମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଭାଗ ନିଅନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ବାରା ପରିଚାଳିତ ବ୍ଲକ ସ୍ତରରୁ ପ୍ରତି ବିଭାଗରେ ଜଣେ ଛାତ୍ର ଓ ଜଣେ ଛାତ୍ରୀ ବଛାଯାଇ ଜିଲ୍ଲାସ୍ତରକୁ ଆସନ୍ତି। ଜିଲ୍ଲାରୁ ଜୋନାଲ ସ୍ତର ( ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେଉଁଝର ଓ ଅନୁଗୁଳ ) ରୁ ରାଜ୍ୟସ୍ତରକୁ ବଛାଯାଏ। ଓଡ଼ିଶାର ୫ଟି ଜୋନରୁ ସବୁ ବିଭାଗରୁ ଜଣେ ଛାତ୍ର ଓ ଜଣେ ଛାତ୍ରୀ ବଛାଯାଇ ଜାତୀୟସ୍ତରୀୟ କଳା ଉତ୍ସବକୁ ମନୋନୀତ ହୁଅନ୍ତି। ଆମ ଜୋନରୁ ୩୫ ଜଣ ବିଭିନ୍ନ ବିଭାଗରେ ଭାଗ ନେଇଥିବା ବେଳେ ୩ ଜଣ ତିନୋଟି ବିଭାଗରେ ଜାତୀୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଲେଶ୍ବର ଜିଲ୍ଲାରୁ ଭଗତୋଷ ଅଙ୍କିତ ଦାସ ଗତ ୧୮ ତାରିଖରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇ ଜାତୀୟ ସ୍ତରକୁ ଯାଇଛନ୍ତି। ୧୯ ତାରିଖ ରାଜ୍ୟସ୍ତରୀୟ ଫଳାଫଳ ଘୋଷଣା ହେବାରୁ ବାଲେଶ୍ବର ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି ଜଣାଇଲେ।

ଡି ଏସ୍ ଏସ୍ କୃଷ୍ଣ ମୋହନ ସିଂହ ଓ ହିରଣ୍ମୟ ମହାପାତ୍ର ଏହି ଭର୍ଚୁଆଲ ଜୋନାଲ ସ୍ତରୀୟ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ବାଲେଶ୍ବରୀ ଜଉ କଣ୍ଢେଇ ଜାତୀୟସ୍ତରକୁ ଉତ୍ତୀର୍ଣ୍ଣ ହେବା ପରେ ଜଉକଣ୍ଢେଇ ଗୁରୁମାଆ କନକଲତା ଦାସ ଓ ଜଉ କଣ୍ଢେଇ ଗବେଷକ କେଶୁଦାସ ତଥା ବାଲେଶ୍ବର ବାସୀ , ବିଶେଷକରି ବାଲେଶ୍ବରର କଳା ସଂସ୍କୃତିପ୍ରେମୀ ମହଲରେ ଖୁସିର ଲହରୀ ଖେଳି ଯାଇଛି ।

ସମ୍ବନ୍ଧିତ ଖବର