ରେମୁଣା ବିଧାୟକଙ୍କୁ କରୋନା

ବାଲେଶ୍ବର: ନୀଳଗିରି ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ସୁକାନ୍ତ ନାୟକଙ୍କ ପରେ ବାଲେଶ୍ବର ଜିଲ୍ଲାର ରେମୁଣା ନିର୍ବାଚନମଣ୍ଡଳୀ ବିଧାୟକ ସୁଧାଂଶୁ ଶେଖର ପରିଡ଼ା (୪୩) ମହାମାରୀ କୋଭିଡ୍‌ ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଶ୍ରୀ ପରିଡ଼ା ଶାସକ ବିଜେଡି ଦଳରୁ ପ୍ରତିନିଧିତ୍ବ କରୁଛନ୍ତି। ଯଦିଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ସୂଚନା ଦିଆଯାଇନାହିଁ, କିନ୍ତୁ ଜନହିତ ଦୃଷ୍ଟିରୁ ବିଧାୟକ ଶ୍ରୀ ପରିଡ଼ା ନିଜ ଆଡୁ ଏହା ସ୍ପଷ୍ଟ କରିଛନ୍ତି। ଆଜି ସଂଧ୍ୟାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ତାଙ୍କୁ ବାଲେଶ୍ବର କୁରୁଡ଼ାସ୍ଥିତ କୋଭିଡ୍‌ ହସ୍ପିଟାଲକୁ ନେଇଥିବା ସୂଚନା ମିଳିଛି। ପ୍ରକାଶଥାଉକି, ନୀଳଗିରି ବିଧାୟକ ସୁକାନ୍ତ ନାୟକ କରୋନା କବଳିତ ହେବା ପରେ ଶ୍ରୀ ପରିଡ଼ା ଗୃହ ସଙ୍ଗରୋଧରେ ଥିଲେ। ଶ୍ରୀ ପରିଡ଼ାଙ୍କ ସଂକ୍ରମଣ ଉତ୍ସ ବାଲେଶ୍ବରର ଦିବଂଗତ ବିଧାୟକ ମଦନମୋହନ ଦତ୍ତଙ୍କ ଶ୍ରାଦ୍ଧସଭା ବୋଲି କୁହାଯାଉଛି।

ଜୁଲାଇ ୬ ତାରିଖରେ ନୀଳଗିରି ବିଧାୟକ ସୁକା‌ନ୍ତ ନାୟକଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ଜଣାପଡ଼ିବା ପରେ ବାଲେଶ୍ବରର ଦିବଂଗତ ବିଧାୟକଙ୍କ ଶ୍ରାଦ୍ଧସଭାରେ ଯୋଗ ଦେଇଥିବା ରାଜନେତାଙ୍କ ମଧ୍ୟରେ ଛନକା ଖେଳି ଯାଇଥିଲା। ସେହି ସଭାରେ ରେମୁଣା ବିଧାୟକ ଶ୍ରୀ ପରିଡ଼ା ମଧ୍ୟ ଉପସ୍ଥିତ ଥିଲେ। ନୀଳଗିରି ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବାରୁ ଶ୍ରୀ ପରିଡ଼ା ଆଗୁଆ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ବାଲେଶ୍ବର ସହର ଗୋପାଳଗାଁସ୍ଥିତ ନିଜ ବାସଭବନରେ ସଙ୍ଗରୋଧରେ ରହିଥିଲେ। ଗତ ୧୧ ତାରିଖରେ ବିଧାୟକ ଶ୍ରୀ ପରିଡ଼ାଙ୍କଠାରୁ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଥିବା ବେଳେ ଆଜି ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଶ୍ରୀ ପରିଡ଼ାଙ୍କ ପରିବାର ଲୋକଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର