ଅଡ଼ୁଆରେ ରେମୁଣା ବିଧାୟକ: ୨ମାସ ମଧ୍ୟରେ ରିପୋର୍ଟ ଦାଖଲ, ଭିଜିଲାନ୍ସ ତଦନ୍ତ ପାଇଁ ଲୋକାୟୁକ୍ତଙ୍କ ନିର୍ଦେଶ

ଭୁବନେଶ୍ବର: ଅଡ଼ୁଆରେ ବାଲେଶ୍ବର ଜିଲ୍ଲା ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା। କୃଷି ଯନ୍ତ୍ରାଂଶ ବିକ୍ରିରେ ବ୍ୟାପକ ଦୁର୍ନୀତି ଓ ଅର୍ଥ ହେରଫେର ଅଭିଯୋଗ ମାମଲାର ପ୍ରାଥମିକ ତଦନ୍ତ ପାଇଁ ଲୋକାୟୁକ୍ତ ଭିଜିଲାନ୍ସ ନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି। ଉଭୟ ଅଭିଯୋଗକାରୀ ଏବଂ ବିପକ୍ଷ ନିଜ ନିଜର ତଥ୍ୟ ଓ ପ୍ରମାଣକୁ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରିବେ। ଆସନ୍ତା ଦୁଇମାସ ମଧ୍ୟରେ ପ୍ରାଥମିକ ତଦନ୍ତର ରିପୋର୍ଟ ଦାଖଲ ପାଇଁ ଭିଜିଲାନ୍ସକୁ ନିର୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୧୭ ତାରିଖକୁ ସ୍ଥିର କରାଯଇଛି।

ସୂଚନା ମୁତାବକ, ଚାଷୀଙ୍କ ନାଁରେ କୃଷି ଯନ୍ତ୍ରପାତି ଉଠାଇ ବିଧାୟକ ଶ୍ରୀ ପରିଡ଼ା କୋଟି କୋଟି ଟଙ୍କାର ସବ୍‌ସିଡି ଅର୍ଥ ହଡ଼ପ କରିଥିବା ନେଇ ତନ୍ମୟ ମହାନ୍ତି ଲୋକାୟୁକ୍ତରେ ଅଭିଯୋଗ କରିଥିଲେ। ଏହାଛଡ଼ା ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ବାଲେଶ୍ବର ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ ସହ ତାଙ୍କ ବିରୋଧରେ ବାଲେଶ୍ବର ଭିଜିଲାନ୍ସ ଡିଭିଜନ୍‌ରେ ଅଭିଯୋଗ ହୋଇଥିଲା। ସେଥିରେ ମଧ୍ୟ ସମାନ କଥା ଉଲ୍ଲେଖ କରାଯାଇଥିଲା ଯେ, ବିଧାୟକ ଶ୍ରୀ ପରିଡ଼ାଙ୍କ ମାଲିକାନାରେ ଥିବା ନିଗମାନନ୍ଦ ଆସୋସିଏଟ୍ କୃଷି ଯନ୍ତ୍ରାଂଶ ବିକ୍ରିରେ ବ୍ୟାପକ ଦୁର୍ନୀତି କରିଥିଲା। ଜଣେ କି ଦୁଇଜଣ ନୁହେଁ; ବହୁ ଗରିବ ଓ ଅନୁସୂଚିତ ଜାତି ହିତାଧିକାରୀଙ୍କ ନାଁରେ ଚଞ୍ଚକତା କରି ସରକାରୀ ସବ୍‌ସିଡିକୁ ହରିଲୁଟ୍‌ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର