ଅଳ୍ପକେ ବର୍ତିଲେ ରେମୁଣା ବିଧାୟକ: ହସ୍ପିଟାଲ ପରିସରରେ ଢେଲା ମାରି ବିଧାୟକଙ୍କ ଗାଡ଼ି କାଚ ଭାଙ୍ଗିଦେଲେ ନିଶାସକ୍ତ ଯୁବକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅସାମାଜିକଙ୍କ ପ୍ରାଦୁର୍ଭାବ ଦିନକୁଦିନ ବଢ଼ିଚାଲିଛି। ପ୍ରତିଦିନ ସାଧାରଣ ଲୋକ ସେମାନଙ୍କ ଦ୍ୱାରା ଆକ୍ରୋଶର ଶିକାର ହେଉଥିବା ବେଳେ ସେଥିରୁ ବର୍ତ୍ତି ପାରିନାହାନ୍ତି ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା। ମଙ୍ଗଳବାର ରାତି ପ୍ରାୟ ସାଢ଼େ ୯ଟାରେ ସେ ଡାକ୍ତରଖାନା ଯାଇଥିବା ବେଳେ କିଛି ଯୁବକ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଉପରକୁ ଢେଲା ମାରିଥିଲେ। ବିଧାୟକ ଶ୍ରୀ ପରିଡ଼ା ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ତାଙ୍କ ଗାଡ଼ିର କାଚ ଭାଙ୍ଗି ଯାଇଛି। ଏନେଇ ତୁରନ୍ତ ସେ ପୁଲିସକୁ ଖବର ଦେବା ସହ ଟାଉନ ଥାନା ଯାଇ ଲିଖିତ ଅଭିଯୋଗ କରିଥିବା   ସୂଚନା ମିଳିଛି।

ଏନେଇ ବିଧାୟକ ଶ୍ରୀ ପରିଡ଼ାଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ରାତି ପ୍ରାୟ ୯ଟା ବେଳେ ସେ ତାଙ୍କ କାରରେ ନିଜେ ଡ୍ରାଇଭିଂ କରି ଘରକୁ ଫେରୁଥିଲେ। ଏହି ସମୟରେ ଡାକ୍ତରଖାନା ରୋଡ଼ରେ ଏକ ଘରୋଇ ଆମ୍ବୁଲାନ୍ସ ତାଙ୍କୁ ସାଇଟ ମାରି ଦ୍ରୁତ ଗତିରେ ଡାକ୍ତରଖାନା ଭିତରକୁ ପଶି ଯାଇଥିଲା। ଫଳରେ ସେ ଡାକ୍ତରଖାନା ଯାଇ ଘରୋଇ ଆମ୍ବୁଲାନ୍ସ ରହୁଥିବା ଷ୍ଟାଣ୍ଡରେ ଯାଇ ଡ୍ରାଇଭରମାନଙ୍କୁ ଏ ସମ୍ପର୍କରେ ପଚାରି ବୁଝୁଥିଲେ। ଏହି ସମୟରେ ସେଠାରେ ଠିଆହୋଇଥିବା ତିନିଜଣ ଯୁବକ ତାଙ୍କୁ ଆକ୍ଷେପ କରି ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ସେ ସେମାନଙ୍କୁ ଯାଇ ପଚାରିବା ସମୟରେ ସେମାନଙ୍କୁ ଭିତରୁ ଜଣେ ଯୁବକ ପାଖରେ ପଡିଥିବା ଏକ ଢେଲା ଆଣି ତାଙ୍କ ଉପରକୁ ଫିଙ୍ଗିଥିଲା। ବିଧାୟକ ହଟିଯିବାରୁ ଢେଲାଟି ତାଙ୍କ କାର କାଚରେ ବାଜିଥିଲା।

ସମ୍ବନ୍ଧିତ ଖବର