ପାଣି ପ୍ରକଳ୍ପକୁ ନେଇ ବିଧାୟକ ଗ୍ରାମବାସୀ ମୁହାଁମୁହିଁ

ଭାଇରାଲ ଭିଡିଓକୁ ନେଇ ସବୁଠି ଚର୍ଚ୍ଚା

ବାଲେଶ୍ୱର : ରେମୁଣା ବିଧାୟକ ଗୋବିନ୍ଦ ଦାସ ଗତକାଲି ବେଶ୍‌ ହଟହଟା ହୋଇଛନ୍ତି। ନିଜ ନିର୍ବାଚନମଣ୍ଡଳୀର ବିରୁଆଁ ପଞ୍ଚାୟତରେ ଲୋକେ ତାଙ୍କୁ ଘେରି ତାଙ୍କ କାର୍ଯ୍ୟକାଳ ଭିତରେ କ’ଣ ଉନ୍ନତି ହୋଇଛି ହିସାବ ମାଗିଛନ୍ତି। ଏମିତି ଏକ ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ଭିଡିଓକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ବିଧାୟକ ଶ୍ରୀ ଦାସ ଗତକାଲି ସକାଳ ୧୦ଟା ବେଳେ ବିରୁଆଁ ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟ ତଦାରଖ ପାଇଁ ଯାଇଥିଲେ। ତାଙ୍କ ସହ ଜିଲ୍ଲା ପରିଷଦ ସଦସ୍ୟ ସୀତାରାମ ପ୍ରଧାନ ମଧ୍ୟ ଥିଲେ। ବିଧାୟକ ସୋମନାଥପୁର ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ସରପଞ୍ଚଙ୍କ ସହ ୫୦ରୁ ଅଧିକ ଲୋକ ବିଧାୟକଙ୍କୁ ଘେରି ପ୍ରଶ୍ନ ପଚାରିଥିଲେ। ଏହି ଘଟଣାକୁ ନେଇ ଗାଁ ଲୋକଙ୍କ ସହ ୧୦ରୁ ୧୫ ମିନିଟ ଧରି ବିଧାୟକଙ୍କ ବଚସା ହୋଇଥିଲା। ଫଳରେ ଅନ୍ୟ ସବୁ କାର୍ଯ୍ୟକ୍ରମ ବାତିଲ କରି ବିଧାୟକ ସେଠାରୁ ଫେରି ଆସିଥିଲେ।

ଘଟଣା ଅନୁସାରେ ବିରୁଆଁ ପଞ୍ଚାୟତର ସୋମନାଥପୁର ଛକ ନିକଟରେ ଗତ ୭ ତାରିଖ ଦିନ ସ୍ଥାନୀୟ ସରପଞ୍ଚ ଗୌରୀମଣି ବେହେରା, ସମିତି ସଭ୍ୟ ଦିଲ୍ଲୀପ ଦାସ ଓ ସ୍ଥାନୀୟ କିଛି ମୁରବୀ ବ୍ୟକ୍ତି ଗ୍ରାମୀଣ ପାଇପ ପାଣି ପ୍ରକଳ୍ପର ଶୁଭ ଦେଇଥିଲେ। ବିଧାୟକ ଗୋବିନ୍ଦ ଦାସ ଗତକାଲି ସୋମନାଥପୁର ଗାଁରେ ପହଞ୍ଚି ଏ ସଂପର୍କରେ ତାଙ୍କୁ କାହିଁକି ଜଣାଗଲା ନାହିଁ ବୋଲି ପଚାରିଥିଲେ। ଏହାକୁ ନେଇ କାମ କରୁଥିବା ସଂସ୍ଥାର କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହ ବିଧାୟକଙ୍କ ଉଚ୍ଚବାଚ ହୋଇଥିଲା।

ଏ ସଂପର୍କିତ ଭିଡିଓ ଭାଇରାଲ ହେବା ପରେ ବିଧାୟକ ଗୋବିନ୍ଦ ଦାସ କହିଛନ୍ତି ସେଭଳି କିଛି ହୋଇନି। ବିରୁଆଁ ପଞ୍ଚାୟତ ପାଇଁ ସେ ଅନେକ କିଛି କାମ କରିଛନ୍ତି। ତେବେ କିଛି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ବ୍ୟକ୍ତି ବିଶେଷ ତାଙ୍କୁ ବଦନାମ କରିବାକୁ ଏଭଳି ଚକ୍ରାନ୍ତ କରିଛନ୍ତି। ସେମାନଙ୍କ ବିରୋଧରେ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର