ରେମୁଣା: ବାଲେଶ୍ବର ଜିଲ୍ଲାର ରେମୁଣାକୁ ୨୦୨୨ ମାର୍ଚ୍ଚ ୨୬ରେ ଏନ୍‌ଏସି ମାନ୍ୟତା ମିଳିଥିଲା। ୧୩ଟି ୱାର୍ଡକୁ ନେଇ ଏନ୍‌ଏସି ହେବା ପରେ ରେମୁଣାର ଜନସାଧାରଣ ଅନେକ ସୁବିଧା ପାଇବେ ବୋଲି ଆଶା କରିଥିଲେ। ହେଲେ ବିଭିନ୍ନ ୱାର୍ଡରେ ଥିବା ମୌଳିକ ସମସ୍ୟାର ସମାଧାନ କରିବାରେ କର୍ତ୍ତୃପକ୍ଷ ବିଫଳ ହୋଇଥିବା ବେଳେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଟଣାଓଟରା ଯୋଗୁ ଏଠାରେ ବିକାଶ ବାଟ ହୁଡ଼ିଛି।

Advertisment

ଏନ୍‌ଏସି କାର୍ଯ୍ୟାଳୟରେ ୨୪ କର୍ମଚାରୀଙ୍କ ସ୍ଥାନରେ ଅଛନ୍ତି ମାତ୍ର ୭ ଜଣ। ୨୦୧୧ ଜନଗଣନା ଅନୁଯାୟୀ ଏନ୍‌ଏସିର ଲୋକସଂଖ୍ୟା ୩୮ ହଜାର ୮୭୯। ଥିବା ବେଳେ ଏବେ ଏହା ଦ୍ବିଗୁଣିତ ହେବ। ସେତେବେଳର ଜନସଂଖ୍ୟା ଅନୁଯାୟୀ ୨୪ ଜଣ କର୍ମଚାରୀ ରହିବା କଥା। ବର୍ତ୍ତମାନର ଜନସଂଖ୍ୟା ଆଧାରରେ ଅଧିକ କର୍ମଚାରୀ ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୭। ଅର୍ଥାତ୍‌ ୧୭ ଜଣ କର୍ମଚାରୀ ନାହାନ୍ତି। ଏହି ୭ ଜଣ କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ବିଭିନ୍ନ ପରିଦର୍ଶନରେ ଯାଉଥିବା ସମୟରେ କାର୍ଯ୍ୟାଳୟରେ ୨ରୁ ୩ କର୍ମଚାରୀ ଉପସ୍ଥିତ ରହୁଥିବା ନଜିର ରହିଛି। ସହକାରୀ ଯନ୍ତ୍ରୀ (ସିଭିଲ୍‌), ରାଜସ୍ବ ଅଧିକାରୀ, ଅଡିଟର୍‌ ନଥିବା ବେଳେ ସାଧାରଣ ସ୍ୱାସ୍ଥ୍ୟ ଇନ୍‌ସ୍ପେକ୍ଟର, ସ୍ୱଚ୍ଛତା ପରିଦର୍ଶନ ଅଧିକାରୀ, ବରିଷ୍ଠ ଓ କନିଷ୍ଠ ସହକାରୀ ମଧ୍ୟ ନାହାନ୍ତି। ଏପରି ସ୍ଥିତିରେ ବିଭିନ୍ନ କର ଆଦାୟ କରିବାକୁ ମଧ୍ୟ କେହି ନାହାନ୍ତି। ଏଭଳି ସ୍ଥିତିରେ ଲୋକଙ୍କୁ କେମିତି ସୁବିଧା ପ୍ରଦାନ କରାଯାଉଥିବ ତାହା ସ୍ପଷ୍ଟ ବୁଝାପଡ଼ୁଛି।

୨୪ କର୍ମଚାରୀଙ୍କ ସ୍ଥାନରେ ଅଛନ୍ତି ମାତ୍ର ୭
ମିଳୁନି ମୌଳିକ ସୁବିଧା, ବିକାଶ ଠପ୍‌

 ରେମୁଣାରେ ଫକୀରମୋହନ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌, ଫକୀରମୋହନ ବିଶ୍ୱବିଦ୍ୟାଳୟ, ସରକାରୀ ପଲିଟେକ୍‌ନିକ୍‌ ସହ ଇମାମି ଭଳି ବହୁ ବଡ଼ ବଡ଼ ଶିଳ୍ପାନୁଷ୍ଠାନ ରହିଛି। ସେହିପରି ଏଠାରେ ବିଶ୍ୱପ୍ରସିଦ୍ଧ କ୍ଷୀରଚୋରା ଗୋପୀନାଥ ମନ୍ଦିର, ଇମାମି ଶ୍ରୀଜଗନ୍ନାଥ ମନ୍ଦିର, ଅଷ୍ଟାଦଶଭୁଜା ମା’ କନକଦୁର୍ଗା ମନ୍ଦିର ଭଳି ବିଭିନ୍ନ ପର୍ଯ୍ୟଟନସ୍ଥଳ ରହିଛି। ହେଲେ ରାଜନୈତିକ ଟଣାଓଟରା ଭିତରେ ବହୁ ୱାର୍ଡରେ ସମସ୍ୟାକୁ ଅଣଦେଖା କରାଯାଉଛି। ରେମୁଣା ବଜାରରେ  ଶୌଚାଳୟଟିଏ ମଧ୍ୟ ନାହିଁ। ରାସ୍ତା ଅଣଓସାରିଆ ଯୋଗୁ ୫ ମିନିଟ୍‌ର ରାସ୍ତାକୁ ଅଧାଘଣ୍ଟାରୁ ଅଧିକ ସମୟ ଲାଗୁଛି। ରାସ୍ତାପାର୍ଶ୍ୱରେ ଥିବା ଡ୍ରେନ୍‌ ନିୟମିତ ଭାବେ ସଫା ହେଉ ନଥିବା ବେଳେ ଡ୍ରେନ୍‌ ଉପରେ ସ୍ଲାବ୍‌ ନଥିବା କାରଣରୁ ଜୀବଜନ୍ତୁ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି। ଏନ୍‌ଏସିର ବହୁ ଅଞ୍ଚଳରେ ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିନାହିଁ; ଯେଉଁ ସ୍ଥାନରେ ଲାଗିଛି ତାହା ମଧ୍ୟ ଜଳୁନାହିଁ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ଏନ୍‌ଏସି ଗଠନ ହେବାର ୩ ବର୍ଷ ଭିତରେ ୪ରୁ ୫ ଜଣ ନିର୍ବାହୀ ଅଧିକାରୀଙ୍କ ବଦଳି ହୋଇଛି। ୪ ଜଣ ଭାରପ୍ରାପ୍ତ ଭାବେ କାମ ଚଳାଇ ଆସିଛନ୍ତି। ବାରମ୍ବାର ନିର୍ବାହୀ ଅଧିକାରୀଙ୍କ ବଦଳି ହେବା ଫଳରେ ଏନ୍‌ଏସିର ବିକାଶଧାରା ମନ୍ଥର ହେଉଛି। ଏ ସମ୍ପର୍କରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କମଳ ବିହାରୀ ଦାସଙ୍କୁ ପଚାରିବାରୁ ଏଠାରେ ସମସ୍ୟା ଅନେକ; ମୁଖ୍ୟତଃ କର୍ମଚାରୀ ଅଭାବ ଯୋଗୁଁ ବିକାଶମୂଳକ କାମ କରିବାରେ ସମସ୍ୟା ସୃଷ୍ଟି ହେଉଛି ବୋଲି କହିଛନ୍ତି।