ବାଲେଶ୍ୱର: ରେମୁଣା ବିଧାନସଭା ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ କିଏ ହେବ, ତାକୁ ନେଇ ରାଜନୈତିକ ମହଲରେ ଏବେଠୁ ଚର୍ଚ୍ଚା, ଆକଳନ ଜୋର୍ ଧରିଲାଣି। ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଦଳରୁ ବହିଷ୍କୃତ ହେବା ପରେ ଅନେକ ଆଶାୟୀ ଏଥିପାଇଁ ନିଜକୁ ଦାବିଦାର ଭାବେ ଉପସ୍ଥାପନ କରୁଛନ୍ତି। ଯଦିଓ ଆଇଏଏସ୍‌ ସରୋଜ ସେଠୀଙ୍କୁ ଏହି ଆସନରେ ଟିକେଟ୍‌ ଦିଆଯିବ ବୋଲି ଶୁଣିବାକୁ ମିଳୁଛି, ତାକୁ କିନ୍ତୁ ଅନେକ ଭିନ୍ନ ଦୃଷ୍ଟିକୋଣରେ ଦେଖୁଛନ୍ତି। ସରୋଜଙ୍କ ଘର ନୀଳଗିରି ହୋଇଥିବା ବେଳେ ସେ ଏଠାରୁ କାହିଁକି ପ୍ରାର୍ଥୀ ହେବେ ବୋଲି ଗୋଟିଏ ମହଲ ପ୍ରଶ୍ନ କରୁଛନ୍ତି। ସେହିପରି ସୁଧାଂଶୁଙ୍କ ବ୍ୟତିରେକ ଦଳ ଉପରେ କି ପ୍ରଭାବ ପଡ଼ିବ, ତା ଉପରେ ମଧ୍ୟ ଶୀର୍ଷ ନେତୃତ୍ୱ ତୀକ୍ଷ୍ମଣ ଦୃଷ୍ଟି ରଖିଛନ୍ତି।

Advertisment

୨୦୦୯ ମସିହାରେ ନୀଳଗିରି ନିର୍ବାଚନମଣ୍ଡଳୀରୁ ଅଲଗା କରି ରେମୁଣାକୁ ଅଲଗା ନିର୍ବାଚନମଣ୍ଡଳୀ କରାଗଲା। ଏହି ଆସନ ଅନୁସୂଚିତ ବର୍ଗ ପାଇଁ ସଂରକ୍ଷିତ ଅଛି। ପ୍ରଥମ ବିଧାୟକ ଭାବେ ଏଠାରୁ ବିଜୁ ଜନତା ଦଳରୁ ସୁଦର୍ଶନ ଜେନା ବିଜୟୀ ହୋଇଥିଲେ। ଏହା ପରେ ୨୦୧୪ରେ ଏହି ଆସନରେ ବିଜେପିରୁ ଗୋବିନ୍ଦଚନ୍ଦ୍ର ଦାସ ଓ ୨୦୧୯ରେ ବିଜେଡି ପ୍ରାର୍ଥୀ ସୁଧାଂଶୁ ଶେଖର ପରିଡ଼ା ବିଜୟୀ ହୋଇଛନ୍ତି। ତେବେ ଗତ ସାଧାରଣ ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ ଭୋଟ୍‌ ବ୍ୟବଧାନ ମାତ୍ର ୪୦୦୦ ପାଖାପାଖି ରହିଥିଲା। ଯାହା ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନରେ ବଢ଼ିଯାଇ ୧୨ ହଜାର ପାଖାପାଖି ହୋଇଛି। ବର୍ତ୍ତମାନ ସୁଧାଂଶୁଙ୍କ ବିକଳ୍ପ ଭାବେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ଆଇଏଏସ୍‌ ସରୋଜ ସେଠୀ, ସମାଜସେବୀ ଶାନ୍ତା ଦାସ, ଯୁବନେତା ବଂଶୀଧର ଦଳେଇଙ୍କ ନାଁ ଚର୍ଚ୍ଚାରେ ରହିଛି। ଏହାଛଡ଼ା ଦଳ ବାହାରେ ଥିବା କିଛି ଯୁବ ଚେହେରା ମଧ୍ୟ ବିଜେଡି ଟିକେଟ୍‌ ପାଇଁ ଆଶାୟୀ ଅଛନ୍ତି। ଯେଉଁଥିରେ ଗୌତମ ଶଙ୍କର ସେଠୀଙ୍କ ନାଁ ଆଗରେ ରହିଛି। ବିକଳ୍ପ ନେତୃତ୍ୱ ଭାବେ ଉଭା ହୋଇଥିବା ଏହି ନେତାମାନେ ବିଭିନ୍ନ ପୂଜାପାର୍ବଣରେ ନିଜ ନିଜର ବ୍ୟାନର୍‌, ହୋର୍ଡିଂ ଜରିଆରେ ରେମୁଣାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏକପ୍ରକାର ପ୍ରଚାର ଯୁଦ୍ଧରେ ଅବତୀର୍ଣ୍ଣ ହୋଇ ସାରିଲେଣି। ସଭାସମିତିରେ ବିଭିନ୍ନ ପ୍ରସଙ୍ଗରେ ନିଜର ଶାଣିତ ବକ୍ତବ୍ୟ ମଧ୍ୟ ରଖୁଛନ୍ତି।