କଟକ : ରାଜ୍ୟର ବିଭିନ୍ନ ସରକାରୀ କଲେଜର ଡେମୋନଷ୍ଟ୍ରେଟରଙ୍କୁ ୟୁଜିସି ନିୟମାବଳୀ ଅନୁସାରେ ଦରମା ପ୍ରଦାନ ପାଇଁ ହାଇକୋର୍ଟର ଜଣିକିଆ ବିଚାରପତି ପ୍ରଦାନ କରିଥିବା ରାୟ କାଏମ ରହିଛି। ଏହି ରାୟ ବିରୋଧରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଜଣିଆ ଖଣ୍ଡପୀଠରେ ଦାୟର ରିଟ୍ ଅପିଲ ଖାରଜ ହୋଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କ ରିଟ୍ ଅପିଲକୁ ଖାରଜ କରିଛନ୍ତି। ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ସମାନ ପ୍ରସଂଗରେ ହାଇକୋର୍ଟ ପ୍ରଦାନ କରିଥିବା ରାୟକୁ ସୁପ୍ରିମକୋର୍ଟ ୨୦୨୨ ଅକ୍ଟୋବର ୧୦ରେ କାଏମ ରଖିଥିଲେ। ଏହାପରେ ହାଇକୋର୍ଟ ସରକାରଙ୍କ ରିଟ୍ ଅପିଲ ଖାରଜ ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ରାଜ୍ୟର ବିଭିନ୍ନ ସଂପୂର୍ଣ୍ଣ ସରକାରୀ ଅନୁଦାନପ୍ରାପ୍ତ କଲେଜରେ କାର୍ଯ୍ୟରତ ଡେମୋନଷ୍ଟ୍ରେଟରଙ୍କୁ ୟୁଜିସି ନିୟମାବଳୀ ଅନୁସାରେ ସଂଶୋଧିତ ଦରମା ପ୍ରଦାନ କରାଯାଉ ବୋଲି ଦର୍ଶାଇ ଏକାଧିକ ମାମଲା ଦାୟର ହୋଇଥିଲା। କେନ୍ଦ୍ର ସରକାର ଅଧ୍ୟାପକ ଓ ଡେମୋନଷ୍ଟ୍ରେଟରଙ୍କ ଦରମା ସଂଶୋଧନ ପାଇଁ କହିଥିଲେ। ଯଦି ରାଜ୍ୟ ସରକାର ଏହି ଯୋଜନା ଲାଗୁ କରନ୍ତି ତେବେ ଏଥିପାଇଁ ୧୯୮୬ ଜାନୁଆରି ୧ରୁ ୧୯୯୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପଡିବାକୁ ଥିବା ଆର୍ଥିକ ବୋଝରୁ ୮୦ ପ୍ରତିଶତ କେନ୍ଦ୍ର ସରକାର ବହନ କରିବେ ବୋଲି କୁହାଯାଇଥିଲା। ଅବଶିଷ୍ଟ ୨୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ଦେବେ ବୋଲି କେନ୍ଦ୍ର ସରକାର କହିଥିଲେ। ୧୯୯୦ ଏପ୍ରିଲରୁ ରାଜ୍ୟ ସରକାର ଏ ବାବଦ ସବୁ ଅର୍ଥ ଦେବେ ବୋଲି ସ୍ପଷ୍ଟ କରାଯାଇଥିଲା। ଏହି ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ କରାଯାଇ ନଥିଲା। ଉଚ୍ଚଶିକ୍ଷା ବିଭାଗ ୟୁଜିସି ନିୟମାବଳୀ ଅନୁସାରେ ଡେମୋନଷ୍ଟ୍ରେଟରଙ୍କୁ ସଂଶୋଧିତ ଦରମା ପ୍ରଦାନ କରି ନଥିଲା ବୋଲି ଅଭିଯୋଗ ହୋଇଥିଲା।
ହାଇକୋର୍ଟ ମାମଲାର ଶୁଣାଣି କରି ଆବେଦନକାରୀ ଡେମୋନଷ୍ଟ୍ରେଟରଙ୍କୁ ୟୁଜିସି ସ୍କେଲ୍ ଅଫ୍ ପେ' ୧୯୮୬ ଜାନୁଆରି ୧ରୁ ପ୍ରଦାନ କରାଯିବ ବୋଲି ରାୟ ଦେଇଥିଲେ। ପ୍ରତିପକ୍ଷ ଡେମୋନଷ୍ଟ୍ରେଟରଙ୍କ ତରଫରୁ ଆଇନଜୀବୀ ଶିଶିଭୂଷଣ ଜେନା ମାମଲା ପରିଚାଳନା କରୁଥିବା ବେଳେ ସତ୍ୟଜିତ ବେହେରା ଓ ସ୍ବୟଂପ୍ରଭୁ ଜେନା ସହାୟତା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/high-court.jpg)