କଟକ: ଏସ୍‌ସିବିରେ ୧୧ବର୍ଷ ହେଲା ଆରମ୍ଭ ହେଲାଣି କିଡ୍‌ନି ପ୍ରତିରୋପଣ ବ୍ୟବସ୍ଥା। ପାଖାପାଖି ଦୁଇଶହ ରୋଗୀଙ୍କର ଇତିମଧ୍ୟରେ ସଫଳ ପ୍ରତିରୋପଣ କରାଗଲାଣି। କେବଳ ‌ସେତିକି ନୁହେଁ, ୭ଟି କାଡାଭରିକ୍‌ ପ୍ରତିରୋପଣ ବି ହୋଇଛି। ଏପଟେ କିନ୍ତୁ ପ୍ରତିରୋପଣ ବ୍ୟବସ୍ଥା ପାଇଁ ଆବଶ୍ୟକ ଥିବା ହ୍ୟୁମାନ୍‌ ଲ୍ୟୁକୋସାଇଟ୍‌ ଆଣ୍ଟିଜେନ୍‌(ଏଚ୍‌ଏଲ୍‌ଏ) ଲାବୋରେଟୋରି ଆଜି ପର୍ଯ୍ୟନ୍ତ ଏସ୍‌ସିବିରେ ହୋଇପାରିଲାନି। ଯାହା ଫଳରେ ପ୍ରତିରୋପଣ ପାଇଁ ଅତି ଜରୁରୀ ଥିବା କ୍ରସ୍‌ ମ୍ୟାଚିଂ ପରୀକ୍ଷଣ ପାଇଁ ଏବେବି ଭୁବନେଶ୍ବରର ଘରୋଇ ହସ୍ପିଟାଲ୍‌ ଲାବୋରେଟୋରି ଉପରେ ନିର୍ଭର କରୁଛନ୍ତି ଏସ୍‌ସିବି କର୍ତ୍ତୃପକ୍ଷ। ଗତକାଲି ଦିନ ୧୧ଟାରୁ ଏସ୍‌ସିବିରୁ କ୍ରସ୍‌ ମ୍ୟାଚିଂ ପାଇଁ ପଠାଯାଇଥିବା ୩ଜଣଙ୍କ ନମୁନା ରିପୋର୍ଟ ରାତି ସାଢେ ୭ଟାରେ ଆସିବା ଏହାର ସଦ୍ୟ ଉଦାହରଣ। ରିପୋର୍ଟ ବିଳମ୍ବ କାରଣରୁ ପ୍ରତିରୋପଣ ପ୍ରକ୍ରିୟା ବି ବିଳମ୍ବିତ ହୋଇଥିଲା। ଏପଟେ ଏସ୍‌ସିବି ଟ୍ରାନ୍ସଫ୍ୟୁଜନ୍‌ ମେଡିସିନ୍‌ ବିଭାଗରେ ଏଚ୍‌ଏଲ୍‌ଏ ଲାବୋରେଟୋରି ପାଇଁ ଓଏସ୍‌ଏମ୍‌ସିଏଲ୍‌କୁ ବିଭିନ୍ନ ଯନ୍ତ୍ରାଂଶ ଯୋଗାଣ କରିବାକୁ କର୍ତ୍ତୃପକ୍ଷ ଚିଠି ଲେଖିଥିଲେ ବି ଆଜି ପର୍ଯ୍ୟନ୍ତ ଓଏସ୍‌ଏମ୍‌ସିଏଲ୍‌ ଏସ୍‌ସିବିରେ ଏହି ଲାବୋରେଟୋରି କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନି।

Advertisment

କଟକ ବଡ ଡାକ୍ତରଖାନାରେ ପ୍ରତିରୋପଣ ବ୍ୟବସ୍ଥା ପାଇଁ ହ୍ୟୁମାନ୍‌ ଲ୍ୟୁକୋସାଇଟ୍‌ ଆଣ୍ଟିଜେନ୍‌(ଏଚ୍‌ଏଲ୍‌ଏ)ଲାବୋରେଟୋରି କରିବା ପାଇଁ ଏସ୍‌ସିବି ମେଡିକାଲ କଲେଜର ବିଶେଷଜ୍ଞମାନେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ଘରୋଇ ଲାବୋରେଟୋରି ଉପରେ ନିର୍ଭର କରିବା ଦ୍ବାରା ରିପୋର୍ଟ ପାଇବାରେ ବିଳମ୍ବ ହେଉଥିବା ନେଇ ମଧ୍ୟ ଅଭିଯୋଗ ଉଠାଇଥିଲେ। ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ଏଚ୍‌ଏଲ୍‌ଏ ଲାବୋରେଟୋରି ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା। ଏଥିପାଇଁ ଏସ୍‌ସିବି କର୍ତ୍ତୃପକ୍ଷ ମଧ୍ୟ ଓଏସ୍‌ଏମ୍‌ସିଏଲ୍‌କୁ ଚିଠି ଦେଇଥିଲେ। ଏହା ପରେ ଏସ୍‌ସିବି ଟ୍ରାନ୍ସଫ୍ୟୁଜନ୍‌ ମେଡିସିନ୍‌ ବିଭାଗରେ ଲାବୋରେଟୋରି ଖୋଲିବା ପାଇଁ ଯୋଜନା ହୋଇଥିଲା। ହେଲେ, ଉକ୍ତ ଯୋଜନାକୁ ୬ମାସରୁ ଅଧିକ ସମୟ ବିତି ସାରିଥିଲେ ବି ଆଜି ପର୍ଯ୍ୟନ୍ତ କିଛି ଅଗ୍ରଗତି ହୋଇପାରିନି। ରାଜ୍ୟରେ ସରକାରୀ ବ୍ୟବସ୍ଥାରେ କେବଳ ଏସ୍‌ସିବିରେ କିଡ୍‌ନି ପ୍ରତିରୋପଣ ବ୍ୟବସ୍ଥା କରାଯାଉଥିବା ବେଳେ ଲିଭର୍‌ ପ୍ରତିରୋପଣ ପାଇଁ ଏସ୍‌ସିବିରେ ଜୋରସୋର ପ୍ରସ୍ତୁତି ଚାଲିଛି। ଏପଟେ ହାର୍ଟ ପ୍ରତିରୋପଣ ପାଇଁ ଏସ୍‌ସିବିକୁ ଅନୁମତି ମିଳିଥିଲେ ବି ସେ ପ୍ରକ୍ରିୟା ଆରମ୍ଭ ହୋଇପାରିନି। ତୁରନ୍ତ ସରକାରୀ ବ୍ୟବସ୍ଥାରେ ଏସ୍‌ସିବିରେ ଏହି ଲାବୋରେଟୋରି ଖୋଲାଗଲେ ପ୍ରତିରୋପଣ ବ୍ୟବସ୍ଥା ସମୟରେ ଆଉ ଘରୋଇ ହସ୍ପିଟାଲ୍‌ ଉପରେ ନିର୍ଭର କରିବାକୁ ପଡ଼ନ୍ତା ନାହିଁ ବୋଲି ବରିଷ୍ଠ ଚିକିତ୍ସା ବିଶେଷଜ୍ଞମାନେ ମତ ରଖିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଏସ୍‌ସିବି ୟୁରୋଲୋଜି ବିଭାଗରେ କରାଯାଇଥିବା କାଡାଭରିକ୍‌ ପ୍ରତିରୋପଣ ପରେ ବାଲେଶ୍ବରର ସମାତିକା ମହାନ୍ତି ଓ ଭୁବନେଶ୍ବରର ଚିତ୍ତରଂଜନ ମହାନ୍ତି ଆଇସିୟୁରେ ରହିଛନ୍ତି। ଉଭୟଙ୍କୁ ନିରୀକ୍ଷଣରେ ରଖାଯାଇଥିବା ବେଳେ ସେମାନେ ସୁସ୍ଥ ଥିବା ୟୁରୋଲୋଜି ବିଭାଗ ମୁଖ୍ୟ ଆସୋସିଏଟ୍‌ ପ୍ରଫେସର ଡାକ୍ତର ସମୀର ରଞ୍ଜନ ସ୍ବାଇଁ ସୂଚନ‌ା ଦେଇଛନ୍ତି। ଆଜି ପର୍ଯ୍ୟନ୍ତ ଏସ୍‌ସିବିରେ ୭ଟି କାଡାଭରିକ୍‌ ପ୍ରତିରୋପଣ କରାଯାଇଥିବା ବେଳେ ସେମାନଙ୍କ ଭିତରୁ ୨ଜଣଙ୍କର ମୃତ୍ୟୁ ଘଟିଛି।