ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଶିଳ୍ପାଂଚଳ ବିଧାନସଭା କ୍ଷେତ୍ର‌ ରେଂଗାଲିବାସୀ ସବୁବେଳେ କ୍ଷମତାସୀନ ଦଳ ବିରୋଧରେ ଭୋଟ ଦେବାର ନଜିର ରହିଛି। କୌଣସି ଦଳ ରେଂଗାଲି ବିଧାନସଭା କ୍ଷେତ୍ରରୁ କ୍ରମାଗତ ଜିତ୍ ହାସଲ କରିବାର ସୌଭାଗ୍ୟ ଅର୍ଜନ କରିନାହିଁ। କେବଳ ବିଧାନସଭା ନୁହେଁ, ପଞ୍ଚାୟତ ନିର୍ବାଚନରେ ବି ଏଭଳି ଚିତ୍ର ଦେଖିବାକୁ ମିଳିଛି। ଆଗରୁ ରେଂଗାଲି ବ୍ଲକ ଅଂଚଳ ଝାରସୁଗୁଡ଼ା ବିଧାନସଭା କ୍ଷେତ୍ର ଅଧୀନରେ ରହିଥିଲା। ତେବେ, ବିଧାନସଭା କ୍ଷେତ୍ର ପୁନର୍ଗଠନ ପରେ ୨୦୦୯ ମସିହାରେ ରେଂଗାଲି ନୂଆ ବିଧାନସଭା କ୍ଷେତ୍ର ରୂପେ ଜନ୍ମ ନେଇଥିଲା। ରେଂଗାଲି ଓ ଧନକଉଡ଼ା ବ୍ଲକର ସମଗ୍ର ଅଂଚଳ ସହିତ ମାନେଶ୍ବର ବ୍ଲକର କିଛି ପଞ୍ଚାୟତ ରେଂଗାଲି ବିଧାନସଭା କ୍ଷେତ୍ରରେ ରହିଥିଲା। ଅବଶ୍ୟ ପରେ ଏହି ବିଧାନସଭା କ୍ଷେତ୍ରର ୧୨ଟି ପଞ୍ଚାୟତକୁ ସମ୍ବଲପୁର ମହାନଗର ନିଗମରେ ସାମିଲ କରାଯାଇଥିଲା। ବିଧାନସଭା ପୁନର୍ଗଠନ ପରେ ୨୦୦୯ ମସିହାରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦୁର୍ଯ୍ୟୋଧନ ଗର୍ଡ଼ିଆ ଜିତିବା ସହ ଏଠାକାର ପ୍ରଥମ ବିଧାୟକ ହେବାର ଗୌରବ ହାସଲ କରିଥିଲେ। ୨୦୧୪ ମସିହା ବିଧାନସଭା ନିର୍ବାଚନରେ ତତ୍କାଳୀନ ବିଧାୟକ ଶ୍ରୀ ଗର୍ଡ଼ିଆ କଂଗ୍ରେସରୁ ପୁଣି ଥରେ ପ୍ରାର୍ଥୀ ହୋଇଥିଲେ। ହେଲେ, ସେ ବିଜେଡି ପ୍ରାର୍ଥୀ ରମେଶ ପଟୁଆଙ୍କଠାରୁ ପରାଜିତ ହୋଇଥିଲେ। ୨୦୧୭ ମସିହାରେ ପଞ୍ଚାୟତ ନିର୍ବାଚନରେ ତତ୍କାଳୀନ ବିଧାୟକ ରମେଶ ପଟୁଆଙ୍କ ନେତୃତ୍ବରେ ଲଢ଼ିଥିବା ବିଜେଡି ପୂରା ସଫା ହୋଇଯାଇଥିଲା।

Advertisment

ନାଉରୀ ନାୟକଙ୍କ ନେତୃତ୍ବରେ ବିଜେପି ଏହି ନିର୍ବାଚନ ଲଢ଼ି ସମସ୍ତ ୫ଟି ଯାକ ଜିଲ୍ଲା ପରିଷଦ ଜୋନ୍‌ରୁ ବିଜୟୀ ହୋଇଥିଲା। ଜାତି ପ୍ରମାଣପତ୍ର ପ୍ରସଂଗକୁ ନେଇ ବିଧାୟକ ରମେଶ ପଟୁଆ ବିବାଦୀୟ ହୋଇପଡ଼ିଥିବାରୁ ୨୦୧୯ ମସିହା ବିଧାନସଭା ନିର୍ବାଚନରେ ବିଜେଡି ରୀନା ତନ୍ତୀଙ୍କୁ ପ୍ରାର୍ଥୀ କରିଥିଲା। ରୀନା କିନ୍ତୁ ବିଜେପି ପ୍ରାର୍ଥୀ ନାଉରୀ ନାୟକଙ୍କଠାରୁ ପରାଜିତ ହୋଇଥିଲେ। ୨୦୧୪ ନିର୍ବାଚନରେ ମାତ୍ର ୧୮୩୦ ଭୋଟରେ ପରାସ୍ତ ହୋଇଥିବା ନାଉରୀ ନାୟକ କିନ୍ତୁ ୨୦୧୯ ମସିହା ନିର୍ବାଚନରେ ୬୭୪୩ ଭୋଟରେ ରୀନା ତନ୍ତୀଙ୍କୁ ପରାସ୍ତ କରିଥିଲେ। କଂଗ୍ରେସ ପ୍ରାର୍ଥୀ ବାଳକୃଷ୍ଣ ରୋହିଦାସଙ୍କୁ ମାତ୍ର ୯୭୯୯ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ତେବେ, ୨୦୨୨ ମସିହାରେ ବିଧାୟକ ନାଉରୀ ନାୟକଙ୍କ ନେତୃତ୍ବରେ ପଞ୍ଚାୟତ ନିର୍ବାଚନ ଲଢ଼ିଥିବା ବିଜେପିକୁ ରେଂଗାଲି ଜନତା ହତାଶ କରିଥିଲେ। ସବୁ ୫ଟି ଯାକ ଜିଲ୍ଲା ପରିଷଦ ଜୋନ୍‌ରୁ ଲୋକେ ବିଜେଡିକୁ ଜିତାଇ ଥିଲେ। ନବଗଠିତ ରେଂଗାଲି ବିଧାନସଭା କ୍ଷେତ୍ରରେ ଇତିମଧ୍ୟରେ ୩ଟି ବିଧାନସଭା ନିର୍ବାଚନ ହୋଇଥିବା ବେଳେ ପ୍ରତ୍ୟେକ ଥର ଏଠାକାର ମତଦାତା ଅଲଗା ଅଲଗା ଦଳ ସପକ୍ଷରେ ଭୋଟ ଦେଇଛନ୍ତି। ଏବେ କଂଗ୍ରେସ ପୁଣି ଥରେ ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗର୍ଡ଼ିଆଙ୍କ ନେତୃତ୍ବରେ ବଳ ଗୋଟାଇବାକୁ ପ୍ରୟାସ କରୁଛି। ଅନେକ‌ ଗୋଷ୍ଠୀରେ ବିଭାଜିତ ଥିଲେ ବି ବିଜେଡି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ଯୁବନେତା ବିଶାଳ ଦାସଙ୍କ ନେତୃତ୍ବରେ ପୁଣି ଥରେ କ୍ଷମତାକୁ ଫେରିବାକୁ ଚେଷ୍ଟା କରୁଛି। ଅପରପକ୍ଷରେ ନିଜ ସାଂଗଠନିକ ଦକ୍ଷତା ଓ ବିଧାୟକ ସମୟର କାର୍ଯ୍ୟ ବଳରେ ବିଜେପି ରାଜ୍ୟ ଉପସଭାପତି ଥିବା ନାଉରୀ ନାୟକ କ୍ରମାଗତ ବିଜୟ ହାସଲ କରି ପୂର୍ବ ରେକର୍ଡ ଭାଂଗିବା ଲକ୍ଷ୍ୟରେ ରହିଛନ୍ତି। ସବୁ ଦଳ କ୍ଷମତା ଦଖଲ ପାଇଁ ଚେଷ୍ଟା କରୁଥିଲେ ବି ଏହି ଶିଳ୍ପାଂଚଳ ବିଧାନସଭା କ୍ଷେତ୍ର‌ରେ କେଉଁ ଦଳକୁ ରେଂଗାଲିବାସୀ ଜିତାଇବେ, ତାହା ଏବେ ଠୁ କହିବା କଷ୍ଟକର।