କାମାକ୍ଷାନଗର : ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଓ ଭୁବନ ବ୍ଲକ୍ ଦେଇ ଯାଇଛି ରେଙ୍ଗାଳି ବାମ ପାର୍ଶ୍ବ କେନାଲର ଜିରାଳ- ଅଁଳାପାଳ ସବ୍ମାଇନର-୧ ଶାଖା କେନାଲ। ଆଜକୁ ୧୨ ବର୍ଷ ତଳେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା ଏହି ଶାଖା କେନାଲ। ହେଲେ ଆଜି ପର୍ଯ୍ୟନ୍ତ ବୁନ୍ଦାଏ ଜଳ ଚାଷ ଜମିକୁ ମାଡ଼ି ପାରିଲା ନାହିଁ। ହଜାର ହଜାର ଏକର ଚାଷ ଜମି ଏବେ ପଡ଼ିଆ ପଡିଛି । କିନ୍ତୁ କାଗଜକଲମରେ ଚାଷ ଚାଲିଛି। ସରକାର କା ମାଲ୍ ଦରିଆ ମେଁ ଡାଲ୍ ନୀତିରେ ଏ ବାବଦରେ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପବୋ ସାର ହୋଇଛି।
yourstory.comଏହି ଶାଖା କେନାଲ ନିର୍ମାଣ ବେଳେ ହଜାର ହଜାର ଚାଷୀ ଖୁସିରେ ବିଭୋର ହୋଇଯାଇଥିଲେ। ଆଶା ଥିଲା ଜମିକୁ ପାଣି ମାଡିବ ଏବଂ କ୍ଷେତରେ ସୁନାର ଫସଲ ଫଳିବ। ଦିନେ ନୁହେଁ କି ମାସେ ନୁହେଁ, ୧୨ ବର୍ଷ ଧରି ଜଳ ଭରସାରେ ଚାଷୀ ଅପେକ୍ଷା କରି ରହିଛନ୍ତି। କିନ୍ତୁ ଜମିକୁ ପାଣି ମିଳିବା ସ୍ବପ୍ନ ସ୍ବପ୍ନରେ ହିଁ ରହିଯାଇଛି। ଜଳାଭାବରୁ ଗୁରୁଡ଼ିଆ, ଦିଘି, ବାଲିଚତୁରୀ, ଶରଦେଇପୁର, ତାଳପଡା, ଗୋବିନ୍ଦପୁର, ଅଁଳାପାଳ ଆଦି ମୌଜାର ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ କହିବାନୁଯାୟୀ, ବାପା ଅଜାଙ୍କ ସମୟରେ ଉଭୟ ଖରିଫ ଓ ରବି ଋତୁରେ ଭଲ ବୃଷ୍ଟି ସାଙ୍ଗକୁ ଚାଷ ଠିକ୍ରେ ହେଉଥିଲା। ଫଳରେ ସେମାନଙ୍କ ପରିବାରଗୁଡିକ ବେଶ୍ ହସଖୁସିରେ ଚଳୁଥିଲେ। କିନ୍ତୁ କେନାଲ ଗଲା ପରେ ଲୋକେ ଚାଷ ଜମି ହରାଇଲେ, ମାତ୍ର ଜଳ ବୁନ୍ଦାଏ ପାଇ ପାରିଲେ ନାହିଁ ।
/sambad/media/post_attachments/wp-content/uploads/2021/08/llll.jpg)
ଗାଁକୁ ଲାଗି ବ୍ରାହ୍ମଣୀ ନଦୀ ରହିଥିଲେ ସୁଦ୍ଧା ଚାଷ ଜମିକୁ ଜଳ ମାଡି ପାରୁନାହିଁ । ଚାଷ ଜମି ଫାଟି ଆଁ କଲାଣି। ହଜାର ହଜାର ଜମି ପଡ଼ିଆ ପଡ଼ିଛି। ସେଥିରେ ଗୋରୁ, ଗାଈ, ଛେଳି ମେଣ୍ଢା ଚରୁଛନ୍ତି । ଅନ୍ୟ ଯେଉଁ କିଛି ଜମି ଅଛି, ସେଥିରେ ମୌସୁମୀ ବର୍ଷା ଭରସାରେ କୃଷି କାର୍ଯ୍ୟ କରୁଛନ୍ତି। ପ୍ରତିବର୍ଷ କେନାଲ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଟଙ୍କା ଆସୁଛି। ହେଲେ କେନାଲ ନିର୍ମାଣ ପର ଠାରୁ ଦିନେ ବି ହେଲେ ଜମିରେ ପାଣି ମାଡ଼ିଲା ନାହିଁ । ରେଙ୍ଗାଳି ଶାଖା କେନାଲଟି ହଜାର ହଜାର ଚାଷୀଙ୍କ ଦୁଃଖ ପାଲଟିଛି । ସେମାନେ ଚାତକ ପ୍ରାୟେ ଜଳକୁ ଚାହିଁ ରହିଛନ୍ତି ବୋଲି ଚାଷୀମାନେ ଦୁଃଖର ସହ କହିଛନ୍ତି।
ଏ ସମ୍ପର୍କରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କୁ ପଚାରିବାରୁ ସେ କହିଲେ, କେନାଲ ନିର୍ମାଣ କେତେକ ସ୍ଥାନରେ ଠିକ୍ରେ ହୋଇ ନଥିବାରୁ ପାଣି ଯାଇପାରୁନାହିଁ। ଅନ୍ୟ କେତେକ ସ୍ଥାନରେ ଅନାବନା ଗଛ ଉଠିଯାଇଥିବାରୁ ପାଣି ଯିବାରେ ବାଧା ସୃଷ୍ଟି ହେଉଛି। ତୁରନ୍ତ କେନାଲ ମରାମତି କରି ଚାଷ ଜମିକୁ ଜଳଯୋଗାଇ ଦେବା ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କହିବେ ବୋଲି ସେ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/land-f.jpg)