ରେଙ୍ଗାଲି : ରେଙ୍ଗାଲି ମହୋତ୍ସବ ପାଇଁ ଉତ୍ସାହିତ ହୋଇପଡ଼ିଛି ସମଗ୍ର ରେଙ୍ଗାଲି। ସ୍ୱାଧୀନ ଏକତା ସଂଗଠନ ଦ୍ୱାରା ଆୟୋଜିତ ରେଙ୍ଗାଲି ମହୋତ୍ସବ ଗୁରୁବାର ମିନି ମାରାଥନରୁ ଆରମ୍ଭ ହୋଇଯାଇଛି। ରାମଚନ୍ଦ୍ର ନଗରରୁ ରେଙ୍ଗାଲି ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ମିନି ମାରାଥନ ହୋଇଥିଲା। ରେଙ୍ଗାଲି ବିଧାୟକ ନାଉରୀ ନାୟକ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ ଉପସ୍ଥିତ ଥିଲେ। ମାରାଥନରେ ପୁରୁଷ ବିଭାଗରେ ରୁଦ୍ର ନାରାୟଣ ନାୟକ, ଉମାକାନ୍ତ ଓରାମ ଓ ଜଗଦୀଶ କିଷାନ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ହୋଇଥିବା ବେଳେ ବାଳିକା ବିଭାଗରେ ସବ୍ୟା ଧାରୁଆ ପ୍ରଥମ, ସନ୍ଧ୍ୟାରାଣୀ ମିଞ୍ଜ ଦ୍ବିତୀୟ ଓ ସରତି ଓରାମ ତୃତୀୟ ସ୍ଥାନ ଅଧିକାର କରିଥିଲେ। ରେଙ୍ଗାଲି ଗଣେଶ ନଗରର ବରିଷ୍ଠ ନାଗରି ନବୀନ ସାହୁ ଏଥିରେ ଭାଗ ନେଇଥିଲେ।
ସକାଳ ୧୦ଟା ବେଳେ ରେଳ ଷ୍ଟେସନ ଦୁର୍ଗା ମନ୍ଦିରରୁ ପୂଜାର୍ଚ୍ଚନା ପରେ ଏକ ବିଶାଳ ମଶାଲ ଶୋଭାଯାତ୍ର ଓ ସାଂସ୍କୃତିକ ଶୋଭାଯାତ୍ର ବାହାରି ରେଙ୍ଗାଲି ସହର ପରିକ୍ରମା କରିଥିଲା। ଏଥିରେ ସଂକୀର୍ତ୍ତନ, ଗୌଡ଼ବାଡ଼ି, କୃଷ୍ଣଗୁରୁ, ଦୁଲଦୁଲି, ସଂପ୍ରଦା, ଆଦିବାସୀ ନାଚ ଓ ଅନେକ ଲୋକ କଳା ସାମିଲ ହୋଇଥିଲା। ସାଂସ୍କୃତିକ ଶୋଭାଯାତ୍ରା ରେ ବିଧାୟକ ଶ୍ରୀ ନାୟକ ମାଦଲ ବଜାଇ କଳାକାରଙ୍କ ସହ ନାଚିଥିଲେ। ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଗ୍ରୱାଲ, ରେଙ୍ଗାଲି ସରପଞ୍ଚ ଚିତ୍ତରଞ୍ଜନ ବାଗ, ନିଷାନଭଙ୍ଗା ସରପଞ୍ଚ ସରୋଜ ମେହେର ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
ସନ୍ଧ୍ୟାରେ ରେଙ୍ଗାଲି ଟ୍ରକ ମାଲିକ ସଂଘଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ହୀରାକୁଦ ବିସ୍ଥାପିତଙ୍କ ସମସ୍ୟା ସମ୍ବଳିତ ‘ଲାଲ ପାଏନ’ ନାଟକ ମଞ୍ଚସ୍ଥ ହୋଇଥିଲା। ସନ୍ଧ୍ୟା ଅଧିବେଶନରେ ବିଧାୟକ ଶ୍ରୀ ନାୟକ, କୁଚିଣ୍ଡା ବିଧାୟକ କିଶୋର ନାଏକ, ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଗ୍ରୱାଲ, ସ୍ୱାଧୀନ ଏକତା ସଂଗଠନ ସଭାପତି ରାଜୀବ ମିଶ୍ର, ଏନୱାଇକେ ଜିଲ୍ଲା ସଂଯୋଜକ ମାରିୟାନୁସ ବିଲୁଙ୍ଗ ଯୋଗ ଦେଇଥିଲେ। ଆୟୋଜକ ଅନୁଷ୍ଠାନ କର୍ମକର୍ତ୍ତା ଓ ଜନସାଧାରଣ ସହଯୋଗ କରିଥିଲେ। ୧୩ ତାରିଖ ଦିନ ମହୋତ୍ସବ ଉଦ୍ଯାପିତ ହେବ ବୋଲି ଜଣାପଡ଼ିଛି।