ଗାର୍ଗୀ ଶତପଥୀ
ସମ୍ବଲପୁର: ଖଣି ଏବଂ କାରଖାନା ରୋଗ ଦେଉଛନ୍ତି, କିନ୍ତୁ ଡାକ୍ତର ଦେଉ ନାହାନ୍ତି। ସମ୍ବଲପୁର ଜିଲ୍ଲାର ଶିଳ୍ପାଞ୍ଚଳ ରେଙ୍ଗାଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି)ରେ ଗତ ସେପ୍ଟେମ୍ବର ମାସରେ ୫୩୬୦ ଜଣ ଓ ଅଗଷ୍ଟ ମାସରେ ୬୦୭୯ ଜଣ ରୋଗୀ ଚିକିତ୍ସିତ ହୋଇଥିଲେ। ଯାହାକି ରାଜ୍ୟର ସମସ୍ତ ପିଏଚ୍‌ସି ମଧ୍ୟରେ ସର୍ବାଧିକ ରୋଗୀ ଆସୁଥିବା ସ୍ବାସ୍ଥ୍ୟକେନ୍ଦ୍ର। କେବଳ ଏହି ଦୁଇ ମାସ ନୁହେଁ, ଜାନୁଆରି ମାସରୁ ଏହି ସ୍ଥିତି ରହିଛି। ଖଣି ଓ କାରଖାନା ନିକଟବର୍ତ୍ତୀ କତରବଗା ପିଏଚ୍‌ସିରେ ଗତ ଦୁଇ ମାସରେ ଯଥାକ୍ରମେ ୨୩୧୭ ଓ ୨୫୩୨ ରୋଗୀ ଚିକିତ୍ସିତ ହୋଇଥିଲେ। ଯାହାକି ଅଧିକ ରୋଗୀ ଆସୁଥିବା ଅଗ୍ରଣୀ ୧୦ ପିଏଚ୍‌ସି ମଧ୍ୟରେ ଅନ୍ୟତମ। କିନ୍ତୁ ଏଠାରେ ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତର ସମସ୍ୟା ଅତି ଉତ୍କଟ। ରେଙ୍ଗାଲି ପିଏଚ୍‌ସି (ନ୍ୟୁ)ର ସୂଚନା ଅନୁସାରେ, ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଦୈନିକ ୨୮୦ରୁ ୩୦୦ ରୋଗୀ ଆସିଥାନ୍ତି। କିନ୍ତୁ ଏତେସଂଖ୍ୟାରେ ରୋଗୀଙ୍କ ଚିକିତ୍ସା ପାଇଁ ଏଠାରେ ଜଣେମାତ୍ର ଡାକ୍ତର ଅଛନ୍ତି।

Advertisment

ଜଣେ ଡାକ୍ତରଙ୍କ ଭରସାରେ ଦୈନିକ ୨୮୦ରୁ ୩୦୦
କାରଖାନା ରୋଗ ଦେଉଛି, ଡାକ୍ତର ଦେଉନି

ଦୈନିକ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ଶିଶୁ ରୋଗୀ, ୮ରୁ ୧୦ ଜଣ ପ୍ରସୂତି, ସଡ଼କ ଓ କାରଖାନା ଦୁର୍ଘଟଣା ଯୋଗୁଁ ୧୦ରୁ ୧୫ ଜଣ, ରକ୍ତଚାପ, ମଧୁମେହ ରୋଗୀ ୩୦-୪୦ ଜଣ ଆସିଥାଆନ୍ତି। ଏହାଛଡ଼ା, ନିୟମିତ ବହୁ ସଂଖ୍ୟାରେ ଜ୍ବର, ଥଣ୍ଡା, କାଶ, ଝାଡ଼ାବାନ୍ତି ଓ ଚର୍ମରୋଗରେ ଆକ୍ରାନ୍ତ ଆସନ୍ତି। ଏସବୁକୁ ବାଦ୍‌ଦେଲେ ଏଠାରେ ଚିକିତ୍ସିତ ହେଉଥିବା ଶ୍ବାସ, ଯକ୍ଷ୍ମା, କୁଷ୍ଠ ରୋଗୀଙ୍କ ସଂଖ୍ୟା କାହିଁରେ କେତେ ରହିଛି। ଯକ୍ଷ୍ମାପ୍ରବଣ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ୍‌ରେ ସର୍ବାଧିକ ଯକ୍ଷ୍ମା ରୋଗୀ ଅଛନ୍ତି। ୨୦୨୪ ମସିହାରେ ୨୧୭ ଜଣ, ୨୦୨୩ରେ ୨୦୩ ଜଣ ଏବଂ ୨୦୨୨ ମସିହାରେ ୧୮୦ ଜଣ ଚିହ୍ନଟ ହୋଇଛନ୍ତି। କୁଷ୍ଠରୋଗୀଙ୍କ ମଧ୍ୟରେ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୯୦ ନୂଆ ରୋଗୀଙ୍କ ମଧ୍ୟରୁ ଲଇଡ଼ା ସିଏଚ୍‌ସିରେ ସର୍ବାଧିକ ୩୨ ଜଣ ଅଛନ୍ତି। ରେଙ୍ଗାଲି ପିଏଚ୍‌ସିରେ ମଧ୍ୟ ଅନେକ ଚିକିତ୍ସିତ ହୋଇଛନ୍ତି। ଖଣି ଓ କାରଖାନାର ବାୟୁ, ଧୂଳି, ପାଣି ପ୍ରଦୂଷଣ ସହିତ ଭାରୀଯାନ ଧକ୍କା ଓ ପ୍ଲାଣ୍ଟ ଦୁର୍ଘଟଣା ବଢୁଥିବା ରୋଗୀସଂଖ୍ୟାର ମୁଖ୍ୟ କାରଣ ହୋଇଥିବା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ପ୍ରଦୂଷଣ ଯୋଗୁଁ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି। କେବଳ ପିଏଚ୍‌ସି ନୁହେଁ, ଅନେକ ସିଏଚ୍‌ସି (ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର) ତୁଳନାରେ ବି ରେଙ୍ଗାଲି ପିଏଚ୍‌ସିକୁ ଆସୁଥିବା ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ। ସେଥିପାଇଁ ଅନେକ ବର୍ଷ ହେଲା ରେଙ୍ଗାଲି ନ୍ୟୁ ପିଏଚ୍‌ସିକୁ ସିଏଚ୍‌ସିର ମାନ୍ୟତା ପାଇଁ ଦାବି ହେଉଛି। 

ସମ୍ବଲପୁର ଜିଲ୍ଲାରେ ବିଶେଷ କରି ରେଂଗାଲି ବ୍ଲକ୍‌ରେ ଇସ୍ପାତ୍‌ କାରଖାନା, ତାପଜ ବିଦ୍ୟୁତ୍‌ କେନ୍ଦ୍ର ଭଳି ବହୁ ବୃହତ୍‌ ଶିଳ୍ପ କାରଖାନା ତଥା କୋଇଲା ଖଣି ରହିଛି। ଏହି ଖଣି ଓ କାରଖାନା ଗୁଡ଼ିକର ସିଧାସଳଖ ପ୍ରଭାବ ରେଙ୍ଗାଲି ବ୍ଲକ୍‌ବାସୀ ଅନୁଭବ କରୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଡିଏମ୍‌ଏଫ୍‌ ପାଣ୍ଠିରୁ ଡାକ୍ତର ନିଯୁକ୍ତି ବ୍ୟବସ୍ଥା ରହିଛି। କିନ୍ତୁ ସମ୍ବଲପୁର ଜିଲ୍ଲାରେ ଆର୍‌ପିଡିଏସି ଓ ଡିଏମ୍‌ଏଫ୍‌ ପକ୍ଷରୁ ସ୍ବତନ୍ତ୍ର ଡାକ୍ତର ନିଯୁକ୍ତି ହୋଇନାହିଁ। ଲଇଡ଼ା ସିଏ୍‌ଚସି ଅଧୀକ୍ଷକ କହିଛନ୍ତି, ରେଙ୍ଗାଲିକୁ ଆସୁଥିବା ରୋଗୀ ଚାପକୁ ଦୃଷ୍ଟିରେ ରଖି ସିଏଚ୍‌ସିରୁ ଜଣେ ଡାକ୍ତରଙ୍କୁ ଡେପୁଟେସନ୍‌ରେ ପିଏଚ୍‌ସିକୁ ପଠାଯାଇଛି। ଏହାସତ୍ତ୍ବେ ଅଞ୍ଚଳର ସ୍ବାସ୍ଥ୍ୟ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇପାରୁ ନାହିଁ। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର କହିଛନ୍ତି, ରେଙ୍ଗାଲିରେ ରୋଗୀ ଚାପ ଅଧିକ ରହିଛି। ଏଥିପାଇଁ ଜଣେ ଡାକ୍ତରଙ୍କୁ ଡେପୁଟେସନ୍‌ରେ ନିଯୁକ୍ତ କରାଯାଇଛି। ଆଗାମୀ ଦିନରେ ସେଠାକାର ସ୍ବାସ୍ଥ୍ୟ ସମସ୍ୟା ସମାଧାନ ପାଇଁ ନୂତନ ଯୋଜନା ରହିଛି। ଯାହା ଉପଯୁକ୍ତ ସମୟରେ ଘୋଷଣା ହେବ। କିନ୍ତୁ ଡିଏମ୍‌ଏଫ୍‌ ପାଣ୍ଠିରୁ ଏଠାରେ ଡାକ୍ତର ନିଯୁକ୍ତିର ବ୍ୟବସ୍ଥା ନାହିଁ ‌ବୋଲି ଜିଲ୍ଲାପାଳ ସ୍ବୀକାର କରିଛନ୍ତି।