ରେଙ୍ଗାଳି ଛାଡ଼ିଲା ପ୍ରଥମ ବନ୍ୟାଜଳ

ରେଙ୍ଗାଳି : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ର ରେଙ୍ଗାଳି ଡ୍ୟାମ୍‌ ବୁଧବାର ଦିନ ଚଳିତବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ରେଙ୍ଗାଳି ଡ୍ୟାମ୍‌ରେ ବ୍ରାହ୍ମଣୀନଦୀର ଜଳସ୍ତର ବଢ଼ିବା ଫଳରେ ଗୋଟିଏ ଗେଟ୍‌ ଆଜି ଖୋଲାଯାଇଛି।

ଡ୍ୟାମ୍‌ ଅଧୀକ୍ଷଣ ଯନ୍ତ୍ରୀ ଅଜିତ ଜେନାଙ୍କ ସୂଚନା ଅନୁସାରେ, ରେଙ୍ଗାଳି ଡ୍ୟାମ୍‌ର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର । ବୁଧବାର ଦିନ ୧୧ଟା ସୁଦ୍ଧା ଡ୍ୟାମ୍‌ର ଜଳସ୍ତର ୧୧୯.୮୨ ମିଟର ଥିଲା। ଡ୍ୟାମ୍‌ର ଜଳଧାରଣ ସାରଣୀ ଅନୁଯାୟୀ, ଆଜି ଡ୍ୟାମ୍‌ର ଜଳସ୍ତର ୧୧୬.୭୫ ମିଟର ରହିବା କଥା। ଜଳସ୍ତର ବୃଦ୍ଧି ପାଇବାରୁ ଦିନ ୧୧ଟା୧୦ ମିନିଟ୍‌ରେ କର୍ତ୍ତୃପକ୍ଷ ଡ୍ୟାମ୍‌ର ଗୋଟିଏ ଗେଟ୍‌ (ଗେଟ୍‌ ନମ୍ବର-୭) ଖୋଲି ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିଛନ୍ତି । ଅପରାହ୍ଣ ୪ଟା ସୁଦ୍ଧା ଡ୍ୟାମ୍‌ର ଜଳସ୍ତର ୧୧୯.୮୪ ମିଟର ରହିଥିଲା । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୧୦୪୫.୧୩ ଘନମିଟର ଜଳ ପ୍ରବେଶ କରୁଥିବାବେଳେ ପାୱାର ଚ୍ୟାନେଲ୍‌ ଦେଇ ୫୧୪.୭୫ ଘନମିଟର ଓ ଖୋଲାଥିବା ଗୋଟିଏ ଗେଟ୍‌ରେ ୯୬୬ ଘନମିଟର, ଏହିପରି ମୋଟ ୧୪୮୦.୭୫ ଘନମିଟର ବନ୍ୟାଜଳ ନିଷ୍କାସିତ ହେଉଛି। ପ୍ରକଳ୍ପରେ ପ୍ରତି ଘଣ୍ଟାରେ ୧୬୭.୪୦ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦିତ ହେଉଛି।

ସମ୍ବନ୍ଧିତ ଖବର