ଅନୁଗୁଳ: ମୌସୁମୀ ଛୁଇଁବାକୁ ଏ ଭିତରେ ଦୁଇ ସପ୍ତାହ ହେଲାଣି। ‌ହେଲେ ଭଲ ବର୍ଷା ନାହିଁ। ତେଣୁ ଅନୁଗୁଳ ଜିଲ୍ଲାର ସମସ୍ତ ଜଳଭଣ୍ଡାର ଶୁଖିଲା ପଡ଼ିଛି। ରେଙ୍ଗାଳି ଜଳଭଣ୍ଡାରରେ ମାତ୍ର ୧୧୦.୬୨ ମିଟର ପାଣି ରହିଛି। ଆଉ ୧ ମିଟର ପାଣି ଶୁଖିଗଲେ ଏଠାରୁ ବିଜୁଳି ଉତ୍ପାଦନ ବି ବନ୍ଦ ହୋଇଯିବ। ଏପଟେ ଡେରେଜାଙ୍ଗ ଓ ମାନଯୋର ଜଳଭଣ୍ଡାର ମଧ୍ୟ ଖାଲି ପଡ଼ିଛି।

Advertisment

ଚଳିତବର୍ଷ ଅନୁଗୁଳରେ ନିଅଣ୍ଟିଆ ବର୍ଷା ଲାଗି ରହିଛି। ଏପ୍ରିଲ ଓ ମେ’ ମାସରେ କାଳବୈଶାଖୀ ବର୍ଷା ହୋଇନି। ଏହି ଦୁଇ ମାସରେ ପ୍ରବଳ ଖରା ସହ ବିଲ୍‌କୁଲ ବର୍ଷା ନ ହେବାରୁ ଜଳଭଣ୍ଡାରଗୁଡ଼ିକର ଜଳପତ୍ତନ ତଳକୁ ଖସିଥିଲା। ଆଶା କରାଯାଉଥିଲା, ଜୁନ୍‌ରେ ମୌସୁମୀ ଆସିଲେ ନିଅଣ୍ଟିଆ ବର୍ଷ‌ାକୁ ଭରଣା କରିଦେବ। ହେଲେ ଜୁନ୍‌ରେ ଅନୁଗୁଳ ଜିଲ୍ଲାରେ ୪୨ ପ୍ରତିଶତ ନିଅଣ୍ଟିଆ ବର୍ଷା ସ୍ଥିତିକୁ ଅଧିକ ବିଗାଡ଼ି ଦେଇଛି। ଜଳଭଣ୍ଡାରଗୁଡ଼ିକର ଜଳସ୍ତର ସର୍ବନିମ୍ନ ସ୍ତରକୁ ଖସିବାକୁ ବସିଲାଣି। ରେଙ୍ଗାଳି ଜଳଭଣ୍ଡାରରେ ଜଳସ୍ତର ଏବେ ୧୧୦.୬୨ ମିଟର ରହିଛି। ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩ ମିଟର ରହିଥିଲା ବେଳେ ବିଜୁଳି ଉତ୍ପାଦନ ପାଇଁ ସର୍ବନିମ୍ନ ଜଳସ୍ତର ରହିଛି ୧୦୯.୭୨ ମିଟର। ଅର୍ଥାତ୍‌ ଜଳସ୍ତର ଆଉ ୯୦ ସେମି କମିଗଲେ ଏଠାକାର ଜଳ ଆଉ ବ୍ୟବହାର କରିହେବନି। ବ୍ରାହ୍ମଣୀର ଉପରମୁଣ୍ଡରେ ବର୍ଷାର ପରିମାଣ କମ୍‌ ଥିଲା ବେଳେ ଅନୁଗୁଳରେ ମଧ୍ୟ ଭଲ ବର୍ଷା ନାହିଁ। ଏମିତି ପରିସ୍ଥିତିରେ ବିଜୁଳି ଉତ୍ପାଦନ ଲାଗି ରହିଲେ ଜଳଭଣ୍ଡାର ଖାଲି ହୋଇଯିବାର ଆଶଙ୍କା ରହିଛି। ଏପଟେ ଏହି ଜଳଭଣ୍ଡାରରେ ଜଳସ୍ତର କମିବା ପରେ ବ୍ରାହ୍ମଣୀ ନଦୀର ତଳମୁଣ୍ଡରେ ଏହାର ପ୍ରଭାବ ପଡ଼ିଛି। ‌ଜଳଭଣ୍ଡାର ତଳେ ଥିବା ସମଲ ବ୍ୟାରେଜ୍‌ରେ ମଧ୍ୟ ଜଳସ୍ତର କମିଛି। ଏଠାରୁ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପକୁ ପାଣି ଦିଆଯାଉଛି। ଅନୁଗୁଳ ଓ ଢେଙ୍କାନାଳର ଜିଲ୍ଲାର ଅଧା ଡଜନ୍‌ ଶିଳ୍ପ ସଂସ୍ଥା ମଧ୍ୟ ପାଣି ନେଉଛନ୍ତି। ଫଳରେ ତଳମୁଣ୍ଡକୁ ଆଉ ବିଶେଷ ପାଣି ବଳୁନି। ସେଥିପାଇଁ ତଳ ମୁଣ୍ଡରେ ଥିବା ଜିଲ୍ଲାଗୁଡ଼ିକ ସମସ୍ୟା ପଡ଼ୁଛନ୍ତି। ପାନୀୟ ଜଳ ଯୋଗାଣ ସହ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକ ଆବଶ୍ୟକ ପାଣି ପାଇବା ନେଇ ଆଶଙ୍କା ରହୁଛି।

କେବଳ ରେଙ୍ଗାଳି ଜଳଭଣ୍ଡାର ଶୁଖିଲା ପଡ଼ିଛି ତାହା ନୁହେଁ, ମଧ୍ୟମ ଜଳସେଚନ ପ୍ରକଳ୍ପ ଡେରେଜାଙ୍ଗ ଓ ମାନଯୋର ଜଳଭଣ୍ଡାରରେ ମଧ୍ୟ ପାଣି ନାହିଁ। ଡେରେଜାଙ୍ଗ ଡ୍ୟାମ୍‌ରୁ ଅନୁଗୁଳ ସହରକୁ ପାନୀୟ ଜଳ ଯୋଗାଣ କରାଯିବା ସହ ତଳମୁଣ୍ଡରେ ଜଳସେଚନ ହେଉଛି। ଖରିଫ୍‌ରେ ପ୍ରାୟ ୭ ହଜାର ହେକ୍ଟର ଓ ରବିରେ ପ୍ରାୟ ୨ ହଜାର ହେକ୍ଟର ଜମିକୁ ଏଠାରୁ ପାଣି ଯୋଗାଇ ଦିଆଯାଉଛି। କିନ୍ତୁ ଏଥର ବର୍ଷା ନ ଥିବାରୁ ଏହା ବି ଶୁଖିଲା। ଲଗାଣ ବର୍ଷା ହେଲେ ଏହି ଦୁଇ ଜଳଭଣ୍ଡାର ଭରିବା ଆଶା ରହିଥିଲା ବେଳେ ଆସନ୍ତା ଦୁଇ ସପ୍ତାହ ଭିତରେ ଲଗାଣ ବର୍ଷା ନ ହେଲେ ସମସ୍ୟା ନିଶ୍ଚିତ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।