ଅନୁଗୁଳ : ଉଛୁଳିଲାଣି ହୀରାକୁଦ ଜଳଭଣ୍ଡାର। ଆଜି ୫ଟି ଗେଟ୍‌ ଖୋଲି ବନ୍ୟାଜଳ ନିଷ୍କାସନ କରାଯିବ। କିନ୍ତୁ ଏପରି ସମୟରେ ରେଙ୍ଗାଳି ଜଳଭଣ୍ଡାର ଶୁଖିଲା ପଡ଼ିଛି। ପୂରିବା ତ ଦୂରର କଥା, ଅଧାଅଧି ବି ହୋଇନି। ପୁଣି ଦିନେ ଦୁଇଦିନ ଅଧିକ ବିଜୁଳି ଉତ୍ପାଦନ କରିଦେଲେ ଜଳଭଣ୍ଡାରର ଜଳସ୍ତର କମିଯାଉଛି। ଜୁଲାଇ ସରିବାକୁ ବସିଥିଲା ବେଳେ ରେଙ୍ଗାଳି ଜଳଭଣ୍ଡାର ନ ଭରିବା କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇ ଦେଇଛି। ଏପଟେ ଜଳଭଣ୍ଡାରରୁ ପାଣି ଛଡ଼ା‌ ନଯିବା ଦ୍ବାରା ବ୍ରାହ୍ମଣୀ ନଦୀର ତଳମୁଣ୍ଡ ବର୍ଷାଦିନରେ ବି ଶୁଖିଲା ପଡ଼ିଛି।

Advertisment

ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ନଦୀନାଳ ସବୁ ଭରିଗଲାଣି। କିନ୍ତୁ ବ୍ରାହ୍ମଣୀରେ ପାଣି ନାହିଁ। ସେଥିପାଇଁ ରେଙ୍ଗାଳି​ରେ ଥିବା ଜଳଭଣ୍ଡାର ଖାଲି ପଡ଼ିଛି। ଉପରମୁଣ୍ଡରେ ଅଳ୍ପ ବର୍ଷା ପାଇଁ ଜଳଭଣ୍ଡାରର ଜଳସ୍ତର ୧୧୨.୫୬ ମିଟର ରହିଛି। ବିଦ୍ୟୁତ୍‌ ଉତ୍ପାଦନ ପାଇଁ ସମସ୍ତ ୟୁନିଟ୍‌ କାର୍ଯ୍ୟକ୍ଷମ ଥିବାରୁ ଏହି ଜଳସ୍ତର ବଢ଼ିବା ପରିବର୍ତ୍ତେ କମୁଛି।

ସୂଚନା ଅନୁସାରେ, ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫ ମିଟର। ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଜଳଭଣ୍ଡାରର ଜଳସ୍ତର ସର୍ବନିମ୍ନ ୧୦୯.୭୨ ମିଟର ରହିବା ଆବଶ୍ୟକ। ଜୁଲାଇ ସରିବାକୁ ବସିଥିଲା ବେଳେ ଜଳଭଣ୍ଡାର ଭର୍ତ୍ତି ହେବାକୁ ଆହୁରି ୧୧ ମିଟର ପାଣି ଆବଶ୍ୟକ। ଚଳିତବର୍ଷ ବର୍ଷାରେ ଜଳଭଣ୍ଡାରର ଜଳସ୍ତର ପାଖାପାଖି ୨ ମିଟର ବଢ଼ିଛି। ତେଣୁ ଏଥର ଜଳଭଣ୍ଡାର ଭରିବା ନେଇ ମଧ୍ୟ ସନ୍ଦେହ ଦେଖାଦେଲାଣି।

ଉପରମୁଣ୍ଡରେ ବଡ଼ ବର୍ଷା ହେଉ ନଥିବାରୁ ଜଳଭଣ୍ଡାରକୁ ଅଧିକ ପାଣି ଆସୁନି। ଏପଟେ ବର୍ଷା ସମୟରେ ଜଳ ବିଦ୍ୟୁତ୍‌ର ଅଧିକ ଆବଶ୍ୟକତା ଥିବାରୁ ଏଠାରୁ ଅଧିକ ଜଳ ବ୍ୟବହାର ହେଉଛି। ଏଥିପାଇଁ ଜଳଭଣ୍ଡାର ଭର୍ତ୍ତି ହୋଇପାରୁନଥିବା କୁହାଯାଉଛି।