ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଅତ୍ୟାବଶ୍ୟକ ବୋଲି କହିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆଜି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ବେଳେ ଗଜପତି ମହାରାଜା ପ୍ରତ୍ୟକ୍ଷ ରତ୍ନଭଣ୍ଡାର ଖୋଲିବା ଓ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଦେଖିଛନ୍ତି। ରତ୍ନଭଣ୍ଡାର ଅଳଙ୍କାର କେଉଁଠୁ ଆସୁଛି ଓ କେଉଁଠି ରଖାଯାଉଛି, ଏହା ସୁରକ୍ଷିତ ନା ନାହିଁ, ସବୁ ଟିକିନିଖି ଦେଖିଛନ୍ତି। ଆଜି ଏଥିପାଇଁ ଗଜପତି ମହାରାଜା ପୂର୍ବାହ୍ଣରେ ଦକ୍ଷିଣଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। କିଛି ସମୟ ରହିବା ପରେ ଦକ୍ଷିଣଦ୍ବାର ପ୍ରସ୍ଥାନ କରିଛନ୍ତି। ଫେରିବା ପରେ ଗଜପତି କହିଛନ୍ତି, ବାହାର ରତ୍ନଭଣ୍ଡାରର ସବୁ ଅଳଙ୍କାର ବାହାର କରାଯାଇ, ଆଲମିରା ଓ ସିନ୍ଦୁକ ସବୁ ସଫାସଫି ହୋଇଯାଇଛି। ଏହାକୁ ବାହାରକୁ କଢ଼ାଯାଇଛି। ବାହାର ରତ୍ନଭଣ୍ଡାର ଅଳଙ୍କାର ଚାଙ୍ଗଡ଼ା ଓ ଫୁଲ ଘରେ ରଖାଯାଇ ସାରିଛି। ଏହାର ସ୍ଥିତି ଅନୁଧ୍ୟାନ କରିଥିଲି। ବାହାର ରତ୍ନଭଣ୍ଡାର ପାଇଁ ଷ୍ଟ୍ରଙ୍ଗରୁମ୍ କରାଯାଇଛି ଓ କଡ଼ା ନିରାପତ୍ତା ବ୍ୟବସ୍ଥା କରାଯାଇଛି। ୨୪ ଘଣ୍ଟିଆ ଅନୁଧ୍ୟାନ ପାଇଁ ସିସିଟିଭି ଲଗାଯାଇଛି। ଭିତର ରତ୍ନଭଣ୍ଡାରର ସବୁ ଅଳଙ୍କାର ସାମଗ୍ରୀ ଖଟଶେଜ ଘରେ ରହିବା ବ୍ୟବସ୍ଥା ହୋଇଛି। ତାକୁ ବି ଅନୁଧ୍ୟାନ କରିଛି। ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅଳଙ୍କାର ଖଟଶେଜ ଘରେ ରଖି ସାରିବା ପରେ ଏହାର କବାଟକୁ ସିଲ୍ କରାଯିବ। ଏହାର ଚାବି ଶ୍ରୀମନ୍ଦିର ଆଇନ ଅନୁସାରେ ଜିଲ୍ଲା ଟ୍ରେଜେରିରେ ରଖାଯିବ।
ଗଜପତି କହିଛନ୍ତି, ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ସଂପୂର୍ଣ୍ଣ ଭାବେ ଖାଲି ହୋଇସାରିବା ପରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳସଂପନ୍ନ ସ୍କାନର ଜରିଆରେ ସବୁ ନିରୀକ୍ଷଣ କରାଯିବ। ଯେତେବେଳେ ପ୍ରଶାସନ ସ୍ଥିର ନିଷ୍ପତ୍ତି ନେବ, ଅନ୍ୟ କୌଣସି ଅଳଙ୍କାର ସେଠାରେ ନାହିଁ, ତା’ ପରେ ଏଏସ୍ଆଇ କର୍ତ୍ତୃପକ୍ଷଙ୍କୁ ବାହାର ଓ ଭିତର ରତ୍ନଭଣ୍ଡାର ହସ୍ତାନ୍ତର କରାଯିବ। ନିଶ୍ଚିତ ଭାବେ ଦୁଇ ରତ୍ନଭଣ୍ଡାରର ମରାମତି ଆବଶ୍ୟକତା ରହିଛି। ଆମେ ଜାଣିନୁ ଭଣ୍ଡାର ଘର କେବେ ମରାମତି ହୋଇଥିଲା। ଏଏସ୍ଆଇ ୧୯୭୧ରୁ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ ନେବାଠାରୁ ମରାମତି ହୋଇନି। କୌଣସି ମରାମତି ହେବାର ପ୍ରମାଣ ନାହିଁ। ପୂର୍ବରୁ କେବେ ହୋଇଥିଲା ଆମେ କହିପାରିବା ନାହିଁ। ଏଣୁ ମରାମତି ନିଶ୍ଚିତ ଆବଶ୍ୟକ।
ଭିତର ରତ୍ନଭଣ୍ଡାରର ହେବ ଲେଜର୍ ସ୍କାନିଂ
ପୁରୀ: ଶ୍ରୀମନ୍ଦିର ବାହାର ଓ ଭିତର ରତ୍ନଭଣ୍ଡାର ଲେଜର୍ ସ୍କାନିଂ କରାଯିବ ବୋଲି କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି କହିଛନ୍ତି, ବାହାର ଓ ଭିତର ରତ୍ନଭଣ୍ଡାର ସଂପୂର୍ଣ୍ଣ ଅଳଙ୍କାର ଖାଲି ହେବା ପରେ ଅଧିକୃତ କମିଟି ଉଭୟ ଭଣ୍ଡାରକୁ ସ୍କାନର୍ ଜରିଆରେ ଭଲ କରି ଯାଞ୍ଚ କରିବେ। ଯାଞ୍ଚ ପରେ ଏଏସ୍ଆଇ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ମରାମତିର ଅନୁଧ୍ୟାନ ପାଇଁ ଉଭୟ ଭଣ୍ଡାର ଦିଆଯିବ। ଏଏସ୍ଆଇ ଲେଜର୍ ସ୍କାନିଂ ଜରିଆରେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର କାନ୍ଥ ଓ ଚଟାଣ ଭିତର ପାର୍ଶ୍ବରୁ ଅନୁଧ୍ୟାନ କରିବେ। ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଆଧାରରେ ଆବଶ୍ୟକ ମରାମତି କରାଯିବ ବୋଲି ଗଜପତି କହିଛନ୍ତି।
ଯାଞ୍ଚ ପରେ ଜଣାପଡ଼ିବ ସୁଡ଼ଙ୍ଗ କଥା
ଏହି ସମୟରେ ମହାପ୍ରଭୁଙ୍କ ସେବାପୂଜାରେ କୌଣସି ବ୍ୟତିକ୍ରମ ହେବନି। ଭକ୍ତମାନଙ୍କ ଦର୍ଶନ ବି ସ୍ବାଭାବିକ ଚାଲିବ। ତାକୁ ଦେଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଯେଉଁ ସମୟ ନିର୍ଦ୍ଧାରଣ କରିବେ, ସେ ସମୟରେ ଏଏସ୍ଆଇ କର୍ତ୍ତୃପକ୍ଷ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି କରିବେ। ଏଏସ୍ଆଇର ମରାମତି ସରିବା ପରେ ଭିତର ରତ୍ନଭଣ୍ଡାର ଅଳଙ୍କାର ଭିତର ରତ୍ନଭଣ୍ଡାରକୁ ଓ ବାହାର ରତ୍ନଭଣ୍ଡାର ଅଳଙ୍କାର ବାହାର ରତ୍ନଭଣ୍ଡାରକୁ ଯିବ। ପରେ ରତ୍ନଭଣ୍ଡାର ଯାଞ୍ଚ କମିଟି ଓ ଶ୍ରୀମନ୍ଦିର ପରିଚାଳନା କମିଟି ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଗଣତି ଓ ମଣତି କାମ ଆରମ୍ଭ କରିବେ। ଏଥିପାଇଁ ସମୟ ଅଛି। ଯେ ପର୍ଯ୍ୟନ୍ତ ଏଏସ୍ଆଇ ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ମରାମତି କାମ ସାରିନାହାନ୍ତି, ଗଣତି ଓ ମଣତି ଆରମ୍ଭ ହୋଇପାରିବନି। ଗଣତି ଓ ମଣତି ଉଭୟ ବାହାର ଓ ଭିତର ରତ୍ନଭଣ୍ଡାରରେ ହେବ। ଏଥିପାଇଁ ନିଶ୍ଚିତ ସମୟ ଲାଗିବ। ସମୟ ପଛେ ଲାଗୁ, ଆମର ନିବେଦନ ରହିବ, ତାକୁ ଉତ୍ତମ ଭାବେ ଓ ସୁଯୋଗ୍ୟ ପ୍ରକ୍ରିୟାରେ ଗଣତି ଓ ମଣତି କରାଯାଉ। ବର୍ତ୍ତମାନର ଯେଉଁ ଡିଜିଟାଇଜେସନ୍ ପ୍ରକ୍ରିୟା ଓ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରକ୍ରିୟା ରହିଛି, ତାକୁ ବ୍ୟବହାର କରି ସଂପୂର୍ଣ୍ଣ ବିବରଣୀ ପ୍ରସ୍ତୁତ ହେବ। ପ୍ରତ୍ୟେକ ଅଳଙ୍କାରର ସଂପୂର୍ଣ୍ଣ ବିବରଣୀ ତିଆରି ହେବ। ଏହାର ସଂପୂର୍ଣ୍ଣ ରେକର୍ଡିଂ ହେବ। ଏହାର ରକ୍ଷଣାବେକ୍ଷଣ ଯେପରି ଅତି ଭଲ ଭାବେ ହୋଇପାରିବ, ତାର ବ୍ୟବସ୍ଥା କରାଯିବ ବୋଲି ଗଜପତି କହିଛନ୍ତି।
ଭିତରକୁ ଗଲେନି ସହଯୋଗୀ ଦଳ, ଫେରିଲେ ମେଟାଲ ଡିଟେକ୍ଟର, ସ୍ନେକ୍ ହେଲ୍ପ ଲାଇନ୍ ଦଳ
ପୁରୀ: ରତ୍ନଭଣ୍ଡାର ଭିତରକୁ ଯିବାକୁ ମେଟାଲ୍ ଡିଟେକ୍ଟର ଟିମ୍ ପ୍ରସ୍ତୁତ ଥିଲେ। ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପରେ ମେଟାଲ୍ ଡିଟେକ୍ଟର ଟିମ୍ ଭିତରେ ପଶି ଚଟାଣ, କାନ୍ଥ ଆଦି ଯାଞ୍ଚ କରିବାର ଥିଲା। କିନ୍ତୁ ମାର୍ଗଦର୍ଶିକାରେ ଏହା ନ ଥିବା ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିବା ପରେ ଶ୍ରୀମନ୍ଦିର ଭିତରକୁ ଯାଇଥିବା ମେଟାଲ୍ ଡିଟେକ୍ଟର ଟିମ୍ ଆଜି ଫେରି ଆସିଛି। କିନ୍ତୁ ଓଡ୍ରାଫ୍ ଦଳ ଉଚ୍ଚକ୍ଷମତା ସଂପନ୍ନ ସ୍ପଟ୍ ଲାଇଟ୍ ଆଦିର ବ୍ୟବସ୍ଥା କରିଥିଲା। ଯେଉଁ ଲାଇଟ୍ରେ ଅଧିକୃତ ବ୍ୟକ୍ତି ଭିତର ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରିବା ସହ ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର କରିଛନ୍ତି। ସ୍ନେକ ହେଲ୍ପ ଲାଇନ୍ର ଶୁଭେନ୍ଦୁ ମଲ୍ଲିକଙ୍କ ଟିମ୍ ବି ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। କିନ୍ତୁ ଭିତର ରତ୍ନଭଣ୍ଡାରକୁ ଯିବାବେଳେ ସ୍ନେକ ହେଲ୍ପ ଲାଇନ୍ର କୌଣସି ଆବଶ୍ୟକତା ପଡ଼ିନି ବୋଲି କହିଛନ୍ତି ଜଷ୍ଟିସ ରଥ। ଅପରପକ୍ଷେ ସ୍ନେକ ହେଲ୍ପ ଲାଇନ୍ର ଶ୍ରୀ ମଲ୍ଲିକ କହିଛନ୍ତି, ରତ୍ନଭଣ୍ଡାରରୁ ସାପ ବାହାରିବା କଥା ମିଛ। ସେଭଳି କିଛି ସାପ ବାହାରିନି ବୋଲି ସେ କହିଛନ୍ତି।