ପୁରୀ: ନୀଳାଦ୍ରିବିଜେ ପୂର୍ବରୁ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଶେଷହୋଇଛି। ମହାପ୍ରଭୁଙ୍କ କୃପାରୁ ଏହା ସମ୍ଭବ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ଭିତର ଓ ବାହାର ରତ୍ନଭଣ୍ଡାରରେ ତିନିଟି ଲେଖାଏଁ ତାଲା ପକାଯାଇ ଜଉମୁଦ କରାଯାଇଛି। ଚାବିଗୁଡ଼ିକୁ ଉପଯୁକ୍ତ ସ୍ଥାନରେ ରଖାଯାଇଛି। ରତ୍ନଭଣ୍ଡାର ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଅତି କମ୍‌ରେ ଏହା ୨ଶହ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିବ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ସ୍ୱତନ୍ତ୍ର ମାର୍ଗଦର୍ଶିକା ଅନୁଯାୟୀ ଅସ୍ଥାୟୀ ଖଟ ଓ ଫୁଲ ଶେଯ ଘରେ ରହିଥିବା ରତ୍ନ ଅଳଙ୍କାର ରତ୍ନଭଣ୍ଡାରକୁ ଅଣାଯିବ ବୋଲି ଡ. ପାଢ଼ୀ ସୂଚନା ଦେଇଛନ୍ତି। ମହାପ୍ରଭୁଙ୍କ ନୀତିକାନ୍ତି କିମ୍ବା ଦର୍ଶନ ବ୍ୟାଘାତ ନକରି କାମ କରାଯାଇଛି। ଅନେକ ଦିନ ୧୬ରୁ ୧୭ ଘଣ୍ଟା କାମ ହୋଇଛି। ଏହା ଆମପାଇଁ ଏକ ଗର୍ବର ବିଷୟ ବୋଲି ସେ କହିଛନ୍ତି। ୨୦୨୪ ଜୁଲାଇ ୧୪ରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ଏହାର ମରାମତି ପାଇଁ ସରକାରଙ୍କ ଠାରୁ ଅନୁମତି ଓ ସ୍ବତନ୍ତ୍ର ମାର୍ଗଦର୍ଶିକା ଆସିଥିଲା। ଅସ୍ଥାୟୀ ଖଟ ଓ ଫୁଲଶେଯ ଘରକୁ ଷ୍ଟ୍ରଙ୍ଗ୍‌ରୁମ୍‌ କରାଯାଇଥିଲା। ଏସ୍‌ଓପି ଆଧାରରେ ଅଗଷ୍ଟ ୨୩ ତାରିଖରେ ଅସ୍ଥାୟୀ ଖଟ ଓ ଫୁଲଶେଯ ଘରକୁ ଅଳଙ୍କାର ସବୁକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରଥମେ ବାହାର ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା। ସେପ୍ଟେମ୍ବର୨୪ ତାରିଖରେ ଏଏସ୍‌ଆଇର ସ୍ୱତନ୍ତ୍ର ଟିମ୍‌ ରତ୍ନଭଣ୍ଡାର ଅନୁଧ୍ୟାନ କରିଥିଲା। ଡିସେମ୍ବର ୧୭ ତାରିଖରୁ ବିଧିବଦ୍ଧ ଭାବରେ କାମ ଆରମ୍ଭ ହୋଇଥିଲା। ତେବେ ସ୍ବତନ୍ତ୍ର ନୀତି ପାଇଁ ଏପ୍ରିଲ ୨୮ରୁ ଜୁନ୍‌ ୨୮ ତାରିଖ ପର୍ଯ୍ୟନ୍ତ ମରାମତି ବନ୍ଦ ରଖାଯାଇଥିଲା। ମହାପ୍ରଭୁ ଆଡ଼ପମଣ୍ଡପ ବିଜେ କରିବା ପରେ ପୁଣି ଥରେ କାମ ଆରମ୍ଭ ହୋଇ ଆଜି ଶେଷ ହୋଇଛି। 

Advertisment

ପ୍ରାୟ ୪୦ ବର୍ଷ ପରେ ରତ୍ନଭଣ୍ଡାରର ମରାମତି କରାଯାଇଛି। ଏହି ମରାମତି ତଥା ସଂରକ୍ଷଣ କରିବାକୁ ୩୩୨ ଘଣ୍ଟା ୪୭ ମିନିଟ୍‌ ଲାଗିଛି। ଲେଜର ସ୍କାନିଂ ଓ ଜିପିଆର୍‌ଏସ୍‌ ସର୍ଭେରୁ ମିଳିଥିବା ତଥ୍ୟ ଆଧାରରେ ସମ୍ପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ ଏହି ସଂରକ୍ଷଣ ଓ ମରାମତି କାର୍ଯ୍ୟ କରାଯାଇଛି। ପୁରୁଣା ବିମ୍‌କୁ ମିଶାଇ ମୋଟ ୨୧ଟି ଲଗାଯାଇଛି। ଗ୍ରାନାଇଟ୍‌ ଚଟାଣ ନିର୍ମାଣ ସହ ଛାତରେ ୧୫ଟି ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବକ୍ସବିମ୍‌ ଲଗାଯାଇଛି। ଜଏଣ୍ଟ ସିଲିଂ, ଗ୍ରାଉଟିଂ, ଷ୍ଟେନ୍‌ଲେସ୍‌ ବକ୍ସ ବିମ୍‌, କେମିକାଲ୍‌ ୱାସିଂ କରାଯାଇଛି। ବର୍ମାଟିକ୍‌ କାଠରେ ଦୁଆର ପ୍ରସ୍ତୁତ ହୋଇଥିବା ବେଳେ ବାହାର ଭଣ୍ଡାର ଘର ଦୁଆରକୁ ରୁପା ଛାଉଣୀ ଓ ଭିତର ଦୁଆରକୁ ସୁନା ଛାଉଣି କରାଯିବ। ଏନେଇ ପ୍ରସ୍ତୁତି ଆରମ୍ଭ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଅସ୍ଥାୟୀ ଭଣ୍ଡାରଘରୁ ରତ୍ନଗୁଡ଼ିକୁ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯିବ। ସମ୍ପୃକ୍ତ ସେବକମାନଙ୍କର ପରାମର୍ଶ ନିଆଯିବ। ପ୍ରତିଷ୍ଠା ଉତ୍ସବ ବା ଆବଶ୍ୟକ ପୂଜାବିଧି କରାଯିବ। ଏହା ପରେ ଭଣ୍ଡାର ମେକାପ, ଗଜପତିଙ୍କ ପ୍ରତିନିଧି ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ଉପସ୍ଥିତିରେ ଜଉମୁଦ କରାଯିବ। ଅଳଙ୍କାର ଆସିବା ପରେ ଚାବି ଟ୍ରେଜେରିରେ ରଖାଯିବ। ଭିତରେ ଏବେ ଲାଇଟ୍‌ ଲାଗିନାହିଁ। ଭିତରେ କି ପ୍ରକାରର ଲାଇଟ୍‌ ଲାଗିବ ତାହା ଉପରେ ବିଚାରବିମର୍ଶ ହେବ। ଟେକ୍ନିକାଲ୍‌ ଏକ୍ସପର୍ଟଙ୍କ ପରାମର୍ଶ ଆଧାରରେ ଏହା ଲାଗିବ। 

ଏହା ପରେ ରାଜ୍ୟ ସରକାରଙ୍କ ଉଚ୍ଚ ସ୍ତରୀୟ କମିଟିର ସ୍ୱତନ୍ତ୍ର ଏସ୍‌ଓପି ମାଧ୍ୟମରେ ରତ୍ନଭଣ୍ଡାରର ରତ୍ନଗୁଡ଼ିକର ଗଣତି ମଣତି କାର୍ଯ୍ୟ କରାଯିବ। ଏଥିପାଇଁ ରାଜ୍ୟସ୍ତରୀୟ କମିଟି କରାଯାଇଛି। ୧୯୭୮ରେ ଗଣତିମଣତି କରାଯାଇ ତାଲିକା ରହିଛି। ଏହି ତାଲିକା ସହ ମେଳକ କରାଯାଇ ଗଣତିମଣତି କରାଯିବ। ସରକାରୀ ପ୍ରକ୍ରିୟା ରହିଥିବାରୁ ଏହା କେବେ ହେବ କହି ହେବ ନାହିଁ ବୋଲି ଡ. ପାଢ଼ୀ କହିଛନ୍ତି। ଏଏସ୍‌ଆଇ ଅଧୀକ୍ଷଣ ଯନ୍ତ୍ରୀ ଡିବି ଗଡ଼ନାୟକ କହିଛନ୍ତି, ୫୨୦ଟି ପଥର ବଦଳା ଯାଇଛି। ଆମର ଟେକ୍ନିକାଲ୍‌ ଟିମ୍‌ ଓ ୮୦ ଜଣ କର୍ମଚାରୀ କାମ କରୁଥିଲେ। ଅତି ସୁନ୍ଦର କାମ ହୋଇଛି। ଚଟାଣକୁ ମଜଭୁତ କରାଯାଇଛି। ଛାତକୁ ୱାଟର ସିଲ୍‌ କରାଯାଇଛି। ପାଣି ଗଳିବ ନାହିଁ। ଲୁହା ବିମ୍‌ କଳଙ୍କି ଲାଗି ଯାଇଥିଲା। ଏଣୁ ଭିତର ବିମ୍‌ ସବୁକୁ ବଦଳାଯାଇଛି।