ପୁରୀ: ଶ୍ରୀମନ୍ଦିର ଓ ରତ୍ନଭଣ୍ଡାର ମରାମତି ଅଗ୍ରଗତିର ଆଜି ସମୀକ୍ଷା କରାଯାଇଛି। ଶ୍ରୀମନ୍ଦିରରେ ନୀତି ବହୁଳ କାରଣରୁ ଏଏସ୍ଆଇ ମରାମତି ପାଇଁ ଅଧିକ ସମୟ ମାଗିଥିଲେ। ଏଣୁ ତିନିମାସ ବଦଳରେ ଅତିରିକ୍ତ ସମୟ ଦେବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ତିନିମାସରେ ଏଏସ୍ଆଇ କାମ ସାରିବ ବୋଲି କହିଥିଲା। କିନ୍ତୁ ନୀତିକାନ୍ତି କାରଣରୁ ମରାମତି ପାଇଁ ସମୟ ଅଭାବ ଦେଖାଦେଉଛି। ଏଣୁ ଅତିରିକ୍ତ ୪୫ରୁ ୬୦ ଦିନ ସମୟ ଲାଗିପାରେ ବୋଲି ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କରର ସ୍ବାଇଁ କହିଛନ୍ତି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ସ୍ବାଇଁ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ, ଏଏସ୍ଆଇ ଭୁବନେଶ୍ବର ମଣ୍ଡଳ ଅଧୀକ୍ଷକ ଡ. ଡି ବି ଗଡ଼ନାୟକଙ୍କ ସମେତ ଏଏସ୍ଆଇର ବରିଷ୍ଠ ଅଧିକାରୀ ଓ ଶ୍ରୀମନ୍ଦିର ବୈଷୟିକ କମିଟିର ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ପରେ ଜିଲ୍ଲାପାଳ ଶ୍ରୀ ସ୍ବାଇଁ କହିଛନ୍ତି, ଯେହେତୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଦୀର୍ଘସ୍ଥାୟୀ ଓ ଅତି ଯତ୍ନର ସହକାରେ ମରାମତି କାମ କରାଯାଉଛି। ଏଥିପାଇଁ ଅଧିକ ସମୟ ଆବଶ୍ୟକ। କିନ୍ତୁ ନୀତି ବହୁଳ ମାସ ଭିତରେ ସମୟ ଅଭାବରୁ କାମ ବିଳମ୍ବ ହେଉଛି। ସବୁଦିନ ୪/୫ ଘଣ୍ଟା ମରାମତି ପାଇଁ ମିଳୁନି। ଏଏସ୍ଆଇ ଉପରେ ଶୀଘ୍ର କାମ ସାରିବାକୁ ଚାପ ଦେଲେ, ଏହା ମରାମତି କାମକୁ ପ୍ରଭାବିତ କରିବ। ଏଣୁ ଏଏସ୍ଆଇକୁ ଯତ୍ନ ସହକାରରେ ସବୁ ମରାମତି କାମ ସାରିବାକୁ କୁହାଯାଇଛି ଓ ଅତିରିକ୍ତ ସମୟ ଦିଆଯାଇଛି। ମରାମତିର ଗୁଣବତ୍ତାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ୨୦୨୨ ମସିହାରେ ଅନୁମୋଦିତ ଶ୍ରୀମନ୍ଦିର ପାର୍ଶ୍ବ ଦେବଦେବୀ ମରାମତି ଓ ରକ୍ଷଣାବେକ୍ଷଣ ନିଷ୍ପତ୍ତିର କାର୍ଯ୍ୟକାରିତାର ସମୀକ୍ଷା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/ratna-bhandara-20323.jpg)