କଟକ: ବାରବାଟୀ ଷ୍ଟାଡିୟମ୍ ଭଂଗାଯାଇ ନୂତନ ଷ୍ଟାଡିୟମ୍ ନିର୍ମାଣ ପ୍ରସଙ୍ଗକୁ ନେଇ କଟକରେ ରାଜନୈତିକ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି। କଟକର ବିଭିନ୍ନ ସଂଗଠନ, ରାଜନେତା ବାରବାଟୀ ଷ୍ଟାଡିୟମ୍କୁ ନ ଭାଂଗିବାକୁ ଦାବି କରିଛନ୍ତି। ନିଜେ ବାଟବାଟୀ କଟକ ବିଧାୟକ ଇଂ. ମହମ୍ମଦ ମୋକିମ୍, ସରକାର ବାରବାଟୀ ଭଂଗା ନିଷ୍ପତ୍ତିରୁ ଓହରିଯିବାକୁ ମତ ରଖିବା ପରେ ଆଜି ଏହି ପ୍ରସଙ୍ଗକୁ ନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ର ପୂର୍ବତନ ସଂପାଦକ ତଥା ବିଶିଷ୍ଟ କ୍ରୀଡ଼ା ସଂଗଠକ ଆଶୀର୍ବାଦ ବେହେରା ମୁହଁ ଖୋଲିଛନ୍ତି। ଶ୍ରୀ ବେହେରା କହିଛନ୍ତି ଯେ ଅସଲ ତଥ୍ୟ ନଜାଣି ଅଯଥାରେ ଓଡ଼ିଶାର ଜନସାଧାରଣଙ୍କୁ ବିଭ୍ରାନ୍ତି କରିବାକୁ ଉଦ୍ୟମ କରାଯାଉଛି। ଅତୀତରେ ମଧ୍ୟ ବାରବାଟୀକୁ ଶ୍ରୀହୀନ କରିବାକୁ ଉଦ୍ୟମ କରି କିଛି ଲୋକ ବିଫଳ ହୋଇଛନ୍ତି। ବାରବାଟୀ ଷ୍ଟାଡିୟମକୁ ସଂପୂର୍ଣ୍ଣ ଭଂଗାଯିବ ନାହିଁ। ଐତିହ୍ୟକୁ ସଂପୂର୍ଣ୍ଣ ସୁରକ୍ଷିତ ରଖି ଷ୍ଟାଡିୟମ୍ ନିର୍ମାଣ କରାଯିବ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ରାଜ୍ୟ ସରକାର, ବିସିସିଆଇ, ଓସିଏ ଓ ରାଜ୍ୟ ଅଲମ୍ପିକ୍ ସଂଘର ମିଳିତ ସହଯୋଗରେ ବାରବାଟୀର ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ କରାଯିବ।
ସମ୍ପୂର୍ଣ୍ଣ ଭଙ୍ଗା ହେବନି ବାରବାଟୀ ଷ୍ଟାଡିୟମ: ଆଶୀର୍ବାଦ
ବିଧାୟକ ବିରୋଧ କରିବା ଆଶ୍ଚର୍ଯ୍ୟଜନକ: ଓସିଏ ସଂପାଦକ
ଏହାଦ୍ବାରା ବାରବାଟୀ ଷ୍ଟାଡିୟମ୍ ବିଶ୍ବସ୍ତରୀୟ ହୋଇପାରିବ, ବାରବାଟୀକୁ ଅଧିକ ମ୍ୟାଚ୍ ମଧ୍ୟ ମିଳିପାରିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଷ୍ଟାଡିୟମ୍ର ୬ଟି ଗ୍ୟାଲେରି, ଡର୍ମିଟୋରି ଓ କ୍ଲବ୍ହାଉସ୍ ନିର୍ମାଣ ହୋଇଥିଲା। ଏହାର ନିର୍ମାଣକାଳକୁ ଏବେ ପାଖାପାଖି ୬୦ ବର୍ଷରୁ ଅଧିକ ହେଲାଣି। ତେଣୁ ଏ ସବୁ ଏବେ ଅସୁରକ୍ଷିତ ହୋଇପଡିଲାଣି। ତାହାର ପୁନରୁଦ୍ଧାର ବା ନବୀକରଣର ଆବଶ୍ୟକତା ରହିଛି। ବାରବାଟୀ ଷ୍ଟାଡିୟମ୍ ଓଡ଼ିଶା ତଥା କଟକକୁ ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ବାରବାଟୀକୁ ବାଦ୍ ଦେଇ ଅନ୍ୟତ୍ର ଷ୍ଟାଡିୟମ୍ ନିର୍ମାଣ ହେଲେ ବାରବାଟୀର ଗୌରବମୟ ଐତିହ୍ୟ ଅଧିକ କ୍ଷୟ ହେବ। ଏବେ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ପାଇଁ ବିସିସିଆଇ ଓ ଆଇସିସିର ସ୍ବତନ୍ତ୍ର ନିୟମାବଳୀ ରହିଛି। ତେଣୁ ତାକୁ ପାଳନ କରିବା ପାଇଁ ବାରବାଟୀ ଭିତ୍ତିଭୂମିର ନବୀକରଣ ନିହାତି ଜରୁରୀ ବୋଲି ସେ କହିଛନ୍ତି। ଷ୍ଟାଡିୟମ୍ ନବୀକରଣ ପାଇଁ ନିଷ୍ପତ୍ତି ନେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷଙ୍କୁ ଶ୍ରୀବେହେରା କୃତଜ୍ଞତା ଜଣାଇଥିଲେ।
ସେହିଭଳି ଓସିଏ ସଂପାଦକ ସଂଜୟ ବେହେରା କହିଛନ୍ତି ଯେ, ବାରବାଟୀ ଷ୍ଟାଡିୟମ୍ ନବୀକରଣ ନିଷ୍ପତ୍ତିକୁ ବାରବାଟୀ କଟକ ବିଧାୟକ ଇଂ ମହମ୍ମଦ୍ ମୋକିମ୍ ବିରୋଧ କରିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟତ୍ର ଷ୍ଟାଡିୟମ୍ ନିର୍ମାଣ ହୋଇଥିଲେ କ’ଣ ଭଲ ହୋଇଥା’ନ୍ତା କି? କଟକିଆ ଭାବେ ବାରବାଟୀରେ ବାରବାଟୀ ଷ୍ଟାଡିୟମ୍ ନିର୍ମାଣ/ନବୀକରଣକୁ ସମର୍ଥନ କରିବାକୁ ସେ ବିଧାୟକଙ୍କୁ ଆହ୍ବାନ କହିଥିଲେ। ଅପରପକ୍ଷେ ବିଜେପି ନେତା ଶ୍ରୀତମ ଦାସ୍ କହିଛନ୍ତି, ସରକାର ବାରବାଟୀ ଭଂଗା ନିଷ୍ପତ୍ତିରୁ ଓହରିଗଲେ ଭଲ।