ସମ୍ବଲପୁର: ହୀରାକୁଦ ବନ୍ଧରୁ ବାହାରିଥିବା ବରଗଡ଼ ମୁଖ୍ୟ କେନାଲର ସୁରକ୍ଷା ଓ ଜଳ ଅପଚୟ ରୋକିବା ପାଇଁ ପ୍ରସ୍ତାବିତ ମହାତ୍ବାକାଂକ୍ଷୀ ପ୍ରକଳ୍ପ କାମ ଆରମ୍ଭ ହୋଇଛି। କେନାଲରେ ପାଣି ବନ୍ଦ ହେବା ପରେ ଗତ ୧୦ ତାରିଖଠାରୁ ୧୭୩ କୋଟି ବ୍ୟୟରେ ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଛି।

Advertisment

ହୀରାକୁଦ ‌ସେଚାଞ୍ଚଳର ଅଧିକାଂଶ ଚାଷ ଜମି ବରଗଡ଼ ମୁଖ୍ୟ କେନାଲ ଜରିଆରେ ଜଳସେଚିତ ହୋଇଥାଏ। ହୀରାକୁଦରୁ ଶିଳ୍ପାନୁଷ୍ଠାନକୁ ପାଣି ଯୋଗାଇବାକୁ ବିରୋଧ କରି ୨୦୦୫ ମସିହାରେ ସମଗ୍ର ପଶ୍ଚିମ ଓଡ଼ିଶାରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଚାଷୀମାନଙ୍କ ଲମ୍ବା ଲଢ଼େଇ ସହିତ ଆଇନ ଅମାନ୍ୟ ଆନ୍ଦୋଳନ ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଥିଲା। ପରିଶେଷରେ ଏପ୍ରିଲ ୨୦୦୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକ ସଂଗଠନ ସହିତ ଆଲୋଚନା କରିଥି‌ଲେ। ଆଉ ଏହା ପରେ ସରକାର ୨୦୦ କୋଟି ଟଙ୍କା ବରଗଡ଼ କେନାଲର ନବୀକରଣ କାର୍ଯ୍ୟ ପାଇଁ ଯୋଗାଇ ଦେଇଥିଲେ। ସେହି ସମୟରେ ବରଗଡ଼ ମୁଖ୍ୟ କେନାଲ ସହିତ ଏହାର କେତେକ ଶାଖା କେନାଲର କିଛି କିଛି ମରାମତି କାମ ହୋଇଥିଲା। ପରବର୍ତ୍ତୀ ସମୟରେ ବିଜେପୁର ଅଂଚଳର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇବା ନିମନ୍ତେ ରାଜ୍ୟ ସରକାର ଗଂଗାଧର ମେ‌ହେର ଉଠା ଜଳସେନସେଚନ ପ୍ରକଳ୍ପ ଘୋଷଣା କରାଯାଇଥିଲା।

ରାଜ୍ୟ ସରକାରଙ୍କ ଏହି ବଡ଼ ପ୍ୟାକେଜରେ ବରଗଡ଼ କେନାଲର ନବୀକରଣ ପାଇଁ ଅର୍ଥ ବ୍ୟବସ୍ଥା ହୋଇଥିବା ସେତେବେଳେ କହାଯାଇଥିଲା। ମାତ୍ର କ’ଣ ହେଲା, ତାହା କେହି ଜାଣିପାରିଲେ ନାହିଁ। ଚାଷୀମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଅସନ୍ତୋଷକୁ ଦେଖି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଗତ ବର୍ଷ ଆରମ୍ଭରେ ବରଗଡ଼ କେନାଲର କେନାଲ ଲାଇନିଂ ଆଣ୍ଡ ସିଷ୍ଟମ ରିହାବିଲିଟେସନ୍ ପ୍ରୋଗ୍ରାମ(ସିଏଲ୍‌ଏସ୍ଆର୍‌ପି)ରେ ପ୍ରାୟ ୨୦୦ କୋଟି ଟଙ୍କାର ଏକ ବ୍ୟୟ ଅକଟଳ ପଠାଇଥି‌ଲେ। ରାଜ୍ୟ ସରକାରଙ୍କଠାରୁ ଏହି ପ୍ରକଳ୍ପକୁ ପ୍ରଶାସନିକ ମଂଜୁରି ମିଳିଥିଲେ ହେଁ ଏଥିପାଇଁ ପାଣ୍ଠି ବ୍ୟବସ୍ଥା ହୋଇନଥିଲା। ଗତ ୧୯ ଅକ୍ଟୋବର ୨୦୨୧ରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ତତ୍ପରତା ଦେଖାଇ ଗତ ନଭେମ୍ବର ମାସରେ ଟେଣ୍ଡର ଆହ୍ବାନ କରିଥିଲେ।

ତେବେ, କେତେକ କାରଣରୁ ଏହି ପ୍ରକଳ୍ପ ବିଳମ୍ବ ‌ହୋଇଥିବା ବେଳେ କେନାଲରେ ପାଣି ବନ୍ଦ ହେବା ପରେ ସିମେଣ୍ଟ କଂକ୍ରିଟ ଲାଇନିଂ କାମ ଆରମ୍ଭ ହୋଇଛି। ବରଗଡ଼ କେନାଲ ମୁହାଣ ଏବଂ ଟାଂଗରପାଲି ନିକଟ‌ରେ ଏବେ କାମ ଚାଲିଛି। କେନାଲର ଶଯ୍ୟା ସହିତ ଉଭୟ ହିଡ଼ ପାର୍ଶ୍ବ ମଧ୍ୟ ସିମେଣ୍ଟ କଂକ୍ରିଟ ଲାଇନିଂ କାମ ଆରମ୍ଭ ହୋଇଛି। କେନାଲରେ ପାଣି ବନ୍ଦ ହେଉଥିବା ସମୟରେ ଆଗାମୀ ୨ ବର୍ଷ ମଧ୍ୟରେ ୧୭୩ ‌କୋଟି ଟଙ୍କା ବ୍ୟୟରେ ବରଗଡ଼ କେନାଲର ପ୍ରାୟ ୨୫ କିଲୋମିଟର ପର୍ଯ୍ୟନ୍ତ ଲାଇନିଂ କାମ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ତେବେ, ଏଥର ପ୍ରଥମ ପର୍ଯ୍ୟାୟରେ ୬ କିଲୋମିଟର ପର୍ଯ୍ୟନ୍ତ ଲାଇନିଂ କରାଯିବା ପାଇଁ ଯୋଜନା ରହିଥିବା ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ।